ଡୁରାଣ୍ଡ ଲାଇନ: ପାକିସ୍ତାନକୁ ତାଲିବାନର ନାଲି ଆଖି, ଏହା କାଳ୍ପନିକ ବୋଲି କହିଲା…

କାବୁଲ,୨୭।୧ : ଆଫଗାନିସ୍ତାନ ଦଖଲ କରିଥିବା ତାଲିବାନ ସୀମା ବିବାଦକୁ ନେଇ ପାକିସ୍ତାନକୁ ନାଲି ଆଖି ଦେଖାଇଛି। ତାଲିବାନ ସରକାରର ସୀମା ତଥା ଆଦିବାସୀ ବ୍ୟାପାର ମନ୍ତ୍ରୀ ମଲ୍ଲିକ ନୁରୁଲ୍ଲା ନୁରି କହିଛନ୍ତି ପାକିସ୍ତାନ ସହିତ ଆଫଗାନିସ୍ତାନର କୌଣସି ସରକାରୀ ସୀମା ନାହିଁ। ସେ ଡୁରାଣ୍ଡ ଲାଇନକୁ ଏକ କାଳ୍ପନିକ ରେଖା ବୋଲି କହିିଛନ୍ତି । ତୋରଖାମ ସୀମା ପରିଦର୍ଶନ କରିବା ପରେ ମୁଲ୍ଲା ନୁରୁଲ୍ଲା ନୁରୀ ଏହି ବିବୃତ୍ତି ଦେଇଛନ୍ତି। ଏହି ସୀମା ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ବିବାଦର କେନ୍ଦ୍ର ପାଲଟିଛି। ତାଲିବାନ ଧମକ ଦେଇଛି ଯଦି ପାକିସ୍ତାନ ଏହା ନ ଶୁଣେ ତେବେ ତୋରଖାମ ସୀମାରେ କାନ୍ଥ ନିର୍ମାଣ କରି ଏହା ସବୁଦିନ ପାଇଁ ବନ୍ଦ କରାଯିବ।

ଆଫଗାନିସ୍ତାନରୁ ଆସୁଥିବା ଟ୍ରକ ଡ୍ରାଇଭରମାନଙ୍କ ପାଇଁ ଭିସା ବାଧ୍ୟତାମୂଳକ କରି ପାକିସ୍ତାନ ଏକ ନିୟମ ଲାଗୁ କରିଛି। ଏହି କାରଣରୁ ଆଫଗାନିସ୍ତାନରୁ ଆସୁଥିବା ଡ୍ରାଇଭରମାନେ ସେମାନଙ୍କ ସାମଗ୍ରୀ ସହିତ ସୀମାରେ ଅଟକି ରହିଛନ୍ତି। ପାକିସ୍ତାନ ଯାଇଥିବା ଆଫଗାନିସ୍ତାନ ଡ୍ରାଇଭରଙ୍କ ସହ ମଧ୍ୟ ସମାନ ପରିସ୍ଥିତି ଘଟିଛି। ତାଲିବାନ କହିଛି ଯଦି ପାକିସ୍ତାନକୁ ଏପରି ଆଇନ ଲାଗୁ କରିବାକୁ ପଢେ, ତେବେ ପ୍ରଥମେ ଆଫଗାନିସ୍ତାନର ସରକାରଙ୍କୁ ଜଣାଇବା ଉଚିତ। ଅପରପକ୍ଷରେ ପାକିସ୍ତାନ ନିଜ ଆଇନରେ ସାମାନ୍ୟତମ ଆଶ୍ୱସ୍ତି ମଧ୍ୟ ଦେବାକୁ ପ୍ରସ୍ତୁତ ନୁହେଁ। ଏଭଳି ପରିସ୍ଥିତିରେ ତାଲିବାନ ପାକିସ୍ତାନ ସହିତ ଏହାର ଦୁଇଟି ସୀମା ବନ୍ଦ କରିବାକୁ ଧମକ ଦେଇଛି।

ତାଲିବାନରେ ପାସ୍ତୁନଙ୍କ ସଂଖ୍ୟା ସର୍ବାଧିକ। ଏହି ପାସ୍ତୁନମାନେ ପାକିସ୍ତାନ ଏବଂ ଆଫଗାନିସ୍ତାନର ସୀମାନ୍ତ ଅଞ୍ଚଳରେ ବସବାସ କରନ୍ତି। ତାଲିବାନ କହିଛି ଡୁରାଣ୍ଡ ଲାଇନ ବ୍ରିଟିଶମାନେ ନିଜ ସ୍ବାର୍ଥ ପାଇଁ ନିର୍ମାଣ କରିଥିଲେ। ଯାହାକୁ କୌଣସି ସମ୍ମତି ନିଆଯାଇ ନ ଥିଲା। ଏହି ରେଖା ଯୋଗୁ ସେମାନଙ୍କ ପରିବାର ବିଭାଜିତ ହୋଇଥିଲେ।

Share