ସେନାରେ ଭର୍ତ୍ତି ହେବା ପାଇଁ ତିଆରି କରୁଥିଲେ ନକଲି କରୋନା ରିପୋର୍ଟ, ଗୋଟିଏ ଭୁଲ ପାଇଁ ପଡ଼ିଲେ ଧରା

ଚଣ୍ଡିଗଡ଼,୬।୩: ହରିୟାଣାର ଫତେହାବାଦରେ ସେନାରେ ଭର୍ତ୍ତି ହେବା ପାଇଁ କରୋନାର ନକଲି ରିପୋର୍ଟ ତିଆରି କରାଯାଉଥିବା ମାମଲା ସାମ୍ନାକୁ ଆସିଛି। ଫତେହାବାଦର ରାତିୟା ସହରର ଏକ ଫଟୋଷ୍ଟେଟ ଦୋକାନରେ କରୋନାର ନକଲି ରିପୋର୍ଟ ତିଆରି ହେଉଥିଲା। ଏହି ଅଭିଯୋଗରେ ସ୍ବାସ୍ଥ୍ୟ ବିଭାଗ ଏବଂ ପୋଲିସ ଟିମ୍‌ ପକ୍ଷରୁ ଉକ୍ତ ଦୋକାନକୁ ସିଲ୍‌ କରାଯାଇଛି। ଏଥିସହିତ ଏହି ଦୋକାନରୁ କିଛି ଦସ୍ତାବିଜ୍‌, ଲ୍ୟାପଟପ ଏବଂ ପ୍ରିଣ୍ଟରକୁ ମଧ୍ୟ ଜବତ କରାଯାଇଛି।

ତଦନ୍ତରୁ ଜଣାପଡ଼ିଛି, ସେନାରେ ଭର୍ତ୍ତି ହେବା ପାଇଁ କରୋନା ନେଗେଟିଭ୍‌ ରିପୋର୍ଟ ଆବଶ୍ୟକ। ତେଣୁ ଏହି ଦୋକାନରେ କରୋନା ନେଗେଟିଭ୍‌ ରିପୋର୍ଟ ଦିଆଯିବା ପାଇଁ ଏକ ରାକେଟ ଚାଲୁଥିଲା। ଦୁଇ ଯୁବକ ଫଟୋଷ୍ଟେଟ ଦୋକାନରୁ ରିପୋର୍ଟ ନେଇ ଏସ୍‌ଏମ୍‌ଓ ଡକ୍ଟର ଭରତଙ୍କ ନିକଟରୁ ସାଇନ କରିବାକୁ ଯାଇଥିଲେ। ତେବେ ଡାକ୍ତର ତିଆରି ହୋଇଥିବା ରିପୋର୍ଟ ଏବଂ ଏହା ଉପରେ କାଉଣ୍ଟରର ଦସ୍ତଖତ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। ସେ ଯୁବକ ଦ୍ୱୟଙ୍କୁ ଏନେଇ ପଚରାଉଚରା କରିଥିଲେ। ଏହା ପରେ ସେମାନେ ହଡ଼ବଡ଼େଇ ଯାଇଥିଲେ। ଡାକ୍ତର ଭରତ ପୋଲିସକୁ ସୂଚନା ଦେବା ପରେ ଘଟଣାର ସତ୍ୟତା ଜଣାପଡ଼ିଥିଲା।

Share