ନୂଆ ପୁରୁଣା ଗୀତରେ ଦୁଲୁକିବ ମେଲୋଡି ମଞ୍ଚ

କଟକ,୭ା୯(ସୁପ୍ରିୟା ପ୍ରିୟଦର୍ଶିନୀ)ଗଣେଶ ପୂଜାରୁ ଆରମ୍ଭ ହୋଇଯିବ ପାର୍ବଣ ଋତୁ। ନୂଆ ପୁରୁଣା ଗୀତ ସହ ବାଦ୍ୟଯନ୍ତ୍ରର ଧୂମଧଡ଼ାକ ଶୁଣିବାକୁ ମିଳିବ। ଏଥିପାଇଁ ଗାୟିକା ଗାୟକମାନଙ୍କର ଚାହିଦା ଏବେ କାହିଁରେ କେତେ। ଆଉ କିଛି ଦିନ ପରେ ଗଣେଶ ପୂଜା ଥିବାରୁ ଜୋରସୋର ଅଭ୍ୟାସ ଚଳାଇଛନ୍ତି ମେଲୋଡି ପାର୍ଟି। ଦିନରାତି ଏକ କରି ରିହର୍ସାଲରେ ଲାଗିପଡ଼ିଛନ୍ତି କଳାକାର। ସେମାନଙ୍କୁ ଗଣେଶ ପୂଜା ପାଇଁ ବିଭିନ୍ନ ସଙ୍ଗଠନ ଓ ପୂଜା କମିଟି ବୁକିଂ କରିସାରିଛନ୍ତି। ଏହା ପରେ ଦୁର୍ଗାପୂଜା, କାଳୀପୂଜା ଥିବାରୁ ଏବେଠୁ କଳାକାରମାନେ ପ୍ରାକ୍ଟିସ୍‌ ଚଳାଇଛନ୍ତି। ହର୍‌ ହର୍‌ ଶମ୍ଭୁ, ଗୁଆଘିଅ, ଅଳତା ମାଖି, ଝିପିଝିପି ମେଘ, ତେଲୁଗୁ ସୁନ୍ଦରୀ, ସମ୍ବଲପୁରୀ ଭଳି ଅନେକ ଗୀତ ଏଥର ହିଟ୍‌ ଲିଷ୍ଟରେ ରହିଛି। ଏଥିସହ ସୋସିଆଲ ମିଡିଆରେ ଅଧିକ ଆଦୃତ ହୋଇଥିବା ଗୀତଗୁଡ଼ିକୁ ମଞ୍ଚରେ ପରିବେଷଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଗୀତ ସାଙ୍ଗକୁ ଦମ୍‌ଦାର୍‌ ଡ୍ୟାନ୍ସ ପରଫର୍ମାନ୍ସ ମଧ୍ୟ ଦେଖିବାକୁ ମିଳିବ। ଲୋକଙ୍କ ଚାହିଦାକୁ ନଜରରେ ରଖି ସେଲିବ୍ରିଟି କଣ୍ଠଶିଳ୍ପୀଙ୍କୁ ଆଣିବାକୁ ମଧ୍ୟ କିଛି ପାର୍ଟି ବ୍ୟବସ୍ଥା କରୁଛନ୍ତି। ଏଥର ବିଭିନ୍ନ ରିଦିମ୍‌ ଓ ସାଉଣ୍ଡ ମଧ୍ୟ ନୂଆକରି ଅଣାଯାଇଛି। ପୂଜା ପାର୍ବଣରେ ଲୋକେ ପୂଜା ବୁଲିବା ସହ ମେଲୋଡିର ମଜା ନେଇଥାନ୍ତି। ତେଣୁ ଏଥର ମେଲୋଡିରେ ଭିଡ଼ ଜମିବ ବୋଲି ଆଶା କରାଯାଉଛି।
ଏ ସମ୍ପର୍କରେ ସର୍‌ଗମ୍‌ ମେଲୋଡିର ମାଲିକ ଶ୍ୟାମ କୁମାର କହିଛନ୍ତି, ଆମେ ଅଗଷ୍ଟରୁ ଅଭ୍ୟାସ ଆରମ୍ଭ କଲୁଣି। ଗଣେଶ ପୂଜା ପାଇଁ ଜୋରସୋର ପ୍ରସ୍ତୁତି ଚାଲିଛି। ୧୨ ତାରିଖରେ ଅଭ୍ୟାସ ଶେଷ ହେବ। କଳାକାରମାନେ କିଛି ଦିନ ବିଶ୍ରାମ ନେଇ ପୂଜା ଆରମ୍ଭରୁ କାମରେ ଲାଗିଯିବେ ା ସମ୍ବଲପୁରୀଠାରୁ ଆରମ୍ଭକରି ଆଧୁନିକ ହିନ୍ଦୀ ଗୀତ ପର୍ଯ୍ୟନ୍ତ ସବୁ ପ୍ରସ୍ତୁତ କରାଯାଇଛି। ଆମ ଗ୍ରୁପ୍‌ ସବୁବେଳେ ଲୋକଙ୍କ ପସନ୍ଦକୁ ଗୁରୁତ୍ୱ ଦେଇଥାଏ। ଲୋକେ ଯାହା ଡିମାଣ୍ଡ କରିବେ ସେହି ଗୀତ ବୋଲାଯିବ।
ସେହିପରି ସାଗର ସଙ୍ଗମ ଲାଇଭ୍‌ର ମହମ୍ମଦ ଆବିଦ୍‌ କହିଛନ୍ତି, ଏଥର ପୂଜା ପାଇଁ ଜୋରଦାର ପ୍ରସ୍ତୁତି କରାଯାଇଛି। ଗଣେଶ ପୂଜା ପୂର୍ବରୁ ବିଶ୍ୱକର୍ମା ପୂଜା ପଡୁଛି। ସେଥିପାଇଁ ବିଶ୍ୱକର୍ମା ପୂଜାରୁ କାମ ଆରମ୍ଭ ହୋଇଯିବ ା ଏଥର ଯୁବତୀ ଯୁବକ ଅଧିକ ଥିବାରୁ ତାଙ୍କ ପସନ୍ଦକୁ ଗୁରୁତ୍ୱ ଦିଆଯାଇ ନୂଆ ପୁରୁଣା, ହିନ୍ଦୀ ଓଡ଼ିଆ ସବୁ ପ୍ରକାର ଗୀତ ବାଜିବ। ସିନେମା ହଲରେ ଯେଉଁ ଭଳି ସାଉଣ୍ଡ ସିଷ୍ଟମ ଥାଏ, ଲାଇଭ୍‌ ଶୋ’ରେ ଏଥର ଲୋକଙ୍କୁ ସେଭଳି ମଜା ମିଳିବ। ଏଥର ସ୍ବତନ୍ତ୍ର ଭାବେ ମୁମ୍ବାଇରୁ ସାଉଣ୍ଡ ସିଷ୍ଟମ ଅଣାଯାଉଛି। ଉଚ୍ଚକୋଟୀର କଣ୍ଠଶିଳ୍ପୀ ଓ ମୁମ୍ବାଇ ସାଉଣ୍ଡର ତାଳେ ତଳେ ଦର୍ଶକ ଝୁମିବେ।