Categories: ଖେଳ

ଦୁଲୀପ୍‌ ଟ୍ରଫି: ସେମିରେ ଉତ୍ତରାଞ୍ଚଳ, ପଶ୍ଚିମାଞ୍ଚଳ

ଚେନ୍ନାଇ/ ପୁଡୁଚେରୀ, ୧୨ା୯ (ପିଟି) : ଦୁଲୀପ୍‌ ଟ୍ରଫିର ସେମି ଫାଇନାଲରେ ଉତ୍ତରାଞ୍ଚଳ ଓ ପଶ୍ଚିମାଞ୍ଚଳ ଜୋନ୍‌। ଚେନ୍ନାଇରେ ପଶ୍ଚିମାଞ୍ଚଳ ଓ ଉତ୍ତର ପୂର୍ବାଞ୍ଚଳ ମଧ୍ୟରେ ମ୍ୟାଚ ଖେଳାଯାଇଥିବା ବେଳେ ପୁଡୁଚେରୀରେ ଉତ୍ତରାଞ୍ଚଳ ଓ ପୂର୍ବାଞ୍ଚଳ ମ୍ୟାଚ ଖେଳା ଯାଇଥିଲା। ଅଜିଙ୍କ୍ୟ ରାହାଣେଙ୍କ ପଶ୍ଚିମାଞ୍ଚଳ ଓ ମନଦୀପ୍‌ ସିଂଙ୍କ ଉତ୍ତରାଞ୍ଚଳ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ସେମିରେ ପ୍ରବେଶ କରିଛନ୍ତି। ପ୍ରଥମ ଦିନଟି ବର୍ଷା ବାଧାପ୍ରାପ୍ତ ହୋଇଥିବା ବେଳେ ପ୍ରଥମ ଇନିଂସରେ ପଶ୍ଚିମାଞ୍ଚଳ ସଂଗ୍ରହ କରିଥିଲା ୨ ଉଇକେଟରେ ୫୯୦ ରନ୍‌ । ଅଜିଙ୍କ୍ୟ ରାହାନେ (୨୦୭*) ଓ ଯଶସ୍ବୀ ଜୟସ୍ବାଲ (୨୨୮) ରନ କରିଥିବା ବେଳେ ପୃଥ୍ବୀ ଶ’ ୧୧୩ ରନ କରିଥିଲେ। ଜବାବରେ ଅଙ୍କୁର ମଲିକଙ୍କ୮୧ ରନ ସହିତ ଉତ୍ତର ପୂର୍ବାଞ୍ଚଳ ଜୋନ ମାତ୍ର ୨୩୫ ରନରେ ଅଲଆଉଟ ହୋଇଥିଲା। ଫଲୋଅନ୍‌ ଦେବା ବଦଳରେ ନିଜର ସମସ୍ତ ବ୍ୟାଟ୍ସମ୍ୟାନଙ୍କୁ ସୁଯୋଗ ଦେବାକୁ ନିଷ୍ପତ୍ତି ନେଇଥିଲେ ରାହାନେ। ଦ୍ୱିତୀୟ ଇନିଂସରେ ଅତୀତ ସେଠ ଅପରାଜିତ ୧୦୨ ରନ କରିଥିବା ବେଳେ ସାମ୍ସ ମୁଲାନୀ ୯୭ ରନ କରିଥିଲେ। ପଶ୍ଚିମାଞ୍ଚଳ ୫ ଉଇକେଟ ବିନିମୟରେ ୨୬୮ ରନ କରିଥିବା ବେଳେ ମ୍ୟାଚକୁ ଅମୀମାଂସିତ ଘୋଷଣା କରାଯାଇଥିଲା। ମୁଲାନୀ ଓ ସେଠଙ୍କ ମଧ୍ୟରେ ୧୭୯ ରନର ଭାଗୀଦାରି ହୋଇଥିଲା।

ସେହିପରି ପୁଡୁଚେରୀରେ ଖେଳା ଯାଇଥିବା ଉତ୍ତରାଞ୍ଚଳ ଓ ପୂର୍ବାଞ୍ଚଳ ମ୍ୟାଚରେ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ସେମିରେ ପ୍ରବେଶ କରିଛି ମନଦୀପ ସିଂଙ୍କ ଦଳ। ପ୍ରଥମ ଇନିଂସରେ ବିରାଟ ସିଂଙ୍କ ୧୧୭ ରନ ବଳରେ ପୂର୍ବାଞ୍ଚଳ ୩୯୭ ରନ କରିଥିଲା। ୧୯ ବର୍ଷରୁ କମ୍‌ ବିଶ୍ୱକପ ବିଜୟୀ ଦଳର ଅଧିନାୟକ ୟଶ ଧୂଲଙ୍କ ୧୯୩ ରନ୍‌ ବଳରେ ପ୍ରଥମ ଇନିଂସରେ ୫୪୫ ରନ୍‌ କରିଥିଲା ଉତ୍ତରାଞ୍ଚଳ। ଅନ୍ୟ ମାନଙ୍କ ମଧ୍ୟରେ ଧ୍ରୁବ ସୋରେ ୮୧,ମନଦୀପ୍‌ ସିଂ ୬୩ ଓ ହିଂମାଶୁ ରାଣା ୬୨ ରନ କରିଥିଲେ। ପୂର୍ବାଞ୍ଚଳ ପକ୍ଷରୁ ଶାହବାଜ ଅହମଦ ୮୬ ରନରେ ୫ଟି ସଫଳତା ହାସଲ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶାହବାଜ ନଦୀମ୍‌ ଦୁଇଟି ଉଇକେଟ ନେଇଥିଲେ।୧୪୮ ରନରେ ପଛୁଆ ରହିବା ପରେ ପୂର୍ବାଞ୍ଚଳ ୪ର୍ଥ ଦିନର ଖେଳ ଶେଷ ହେବା ବେଳକୁ ୩ ଉଇକେଟ ହରାଇ ୧୦୨ ରନ୍‌ କରିଥିଲା। ଉଇକେଟ କିପର ଅଭିଷେକ ପୋରେଲ୍‌ ଅପରାଜିତ ୫୦ ରନ୍‌ କରିଥିବା ବେଳେ ମ୍ୟାଚ ଡ୍ର ଘୋଷଣା କରାଯାଇଥିଲା। ନବଦୀପ ସାଇନି, ଜଗଜିତ ସିଂ ଓ ପୁଲକିତ ନାରଙ୍ଗ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

Share