ବିଜୁ ସ୍ବାସ୍ଥ୍ୟ କାର୍ଡ ବଦଳିଥିବାରୁ ଚିକିତ୍ସା ସୁବିଧାରୁ ବଞ୍ଚିତ

ଲାଞ୍ଜିଗଡ,୮।୧୨(ଡି.ଏନ.ଏ.): ଅର୍ଥ ଅଭାବରୁ ଉଚ୍ଚ ଚିକିତ୍ସା ପାଇଁ ସାଜିଛି ବାଧକ। ଉଚ୍ଚ ଚିକିତ୍ସା ପାଇଁ ତାଙ୍କ ପାଖରେ ଅର୍ଥ ନାହିଁ। କୌଣସି ସଦୃଦୟ ବ୍ୟକ୍ତି କିମ୍ବା ସରକାରୀ ସହାୟତା ଯୋଗାଇ ଦେଲେ ମୋ ମୁଅ ଦୁକୁ ମାଝି (୧୨) ଭଲ ହୋଇଯିବ ବୋଲି ବାପା ସ୍ରବୁ ମାଝି କହିଛନ୍ତି। ଘଟଣାରୁ ଜଣାପଡ଼ିଛି ଯେ, କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ପଞ୍ଚାୟତ ଅନ୍ତର୍ଗତ ତୁରିଗୁଡା ଗ୍ରାମର ସ୍ରବୁଙ୍କ ୧୨ ବର୍ଷର ପୁଅ ଦୁକୁ ଏକ ବର୍ଷରୁ ଊର୍ଦ୍ଧ୍ୱ ହେବ ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇଛନ୍ତି। ପେଟ, ଗୋଡ ଓ ମୂତ୍ରାଶୟ ଫୁଲି ଯାଉଛି। ଦାରିଦ୍ର ସୀମାରେଖା ତଳେ ଥିବା ସ୍ରବୁ ବାପା, ସ୍ତ୍ରୀ, ୨ ପୁଅ ଏବଂ ୨ ଝିଅକୁ ମିଶି ୭ଜଣ ରହିଛନ୍ତି। କୁଲି ମଜୁରୀ କରି ପରିବାର ଚଳାଉଛି ସ୍ରବୁ। ମା’ଙ୍କ ମୃତ୍ୟୁ ପରେ ନିଜ ଗାଁ ବେନଗାଁ ପଞ୍ଚାୟତର ଧଂରାଭଟାରେ ୨ ବର୍ଷ ହେଲା ରହୁଛନ୍ତି। ସ୍ରବୁ ତୁରିଗୁଡ଼ା ଥିବାବେଳେ ହାତୀ ପଶି ଆଧାରକାର୍ଡ, ଭୋଟର କାର୍ଡ, ରାଶନ କାର୍ଡ ଏବଂ ଅନ୍ୟାନ୍ୟ କାଗଜପତ୍ର ନଷ୍ଟ କରିଦେଇଛି। ସ୍ରବୁ ପ୍ରଥମେ ପୁଅ ଦୁକୁଙ୍କୁ ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ରୋଗ ଜାଣି ନ ପାରି ବୁର୍ଲା ସ୍ଥାନାନ୍ତର କଲେ ଏବଂ ବୁର୍ଲାରେ ମଧ୍ୟ ରୋଗ ଜାଣି ନ ପାରି କଟକ ଯିବା ପାଇଁ କହିଥିଲେ। ସ୍ରବୁ ପୁଅଙ୍କୁ ନେଇ କଟକ ଯାଇଥିଲେ। ସେଠାରେ ମଧ୍ୟ କିଛି ନ ହୋବାରୁ ଫେରି ଆସିଲେ। ଶେଷରେ ବସନ୍ତପଡା ସରପଞ୍ଚ ଚାଁଚେର ମାଝି କିଛି ଆର୍ଥିକ ସାହାଯ୍ୟ ଦେଇ ବେଦାନ୍ତର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ଏକ ହସ୍ପିଟାଲ ପଠାଇଥିଲେ। ସେଠାରେ ଦେଖାଇବା ପରେ ଅପରେସନ ପାଇଁ ଅଧିକ ଖର୍ଚ୍ଚ ହେବ ବୋଲି କହିବାରୁ ସେ ବିଜୁ ସ୍ବାସ୍ଥ୍ୟ କାର୍ଡ ଦେଖାଇଲେ। କିନ୍ତୁ ଦୁର୍ଭାଗ୍ୟର ବିଷୟ ବିଜୁ ସ୍ବାସ୍ଥ୍ୟ କାର୍ଡରେ ସ୍ରବୁ ମାଝିଙ୍କ ସ୍ତ୍ରୀ ଲଛମି ମାଝି ବଦଳରେ ନାରିଙ୍ଗା ମାଝି ଥିବାରୁ ଏହି କାର୍ଡରେ ଚିକିତ୍ସା ହୋଇପାଇବ ନାହିଁ ବୋଲି କହିଥିଲେ। ସ୍ରବୁ ନିରାଶ ହେଇ ଫେରି ଆସିଲେ। ସ୍ରବୁ ବିଜୁ ସ୍ବାସ୍ଥ୍ୟ କାର୍ଡ ତ୍ରିଲୋଚନପୁର ପଞ୍ଚାୟତରେ ବଦଳି ଯାଇଥିବା କହିଲେ। ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କୁ ପଚାରିବାରୁ ଏ ବିଷୟରେ ମୁଁ କିଛି ସୂଚନା ପାଇନାହିଁ। କିନ୍ତୁ ଏହାର ତଦନ୍ତ କରି ତାହାର ପ୍ରତିକାର କରିବି ବୋଲି କହିଥିଲେ।