ବରଗଡ଼,୧୬ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ଟୁକୁର୍ଲା ଗ୍ରାମର ନୂଆଁପଡ଼ା। ଦୀର୍ଘ ୭ବର୍ଷ ପୂର୍ବରୁ ଲୋକେ ଏଠାରେ ବସତି ସ୍ଥାପନ କରିଛନ୍ତି। ଏହି ପଡ଼ାରେ ଏବେ ୧୪ ପରିବାରର ୮୦ରୁ ଊଦ୍ଧର୍ବ ଲୋକ ରହୁଛନ୍ତି। ମାତ୍ର ଦୁର୍ଭାଗ୍ୟର ବିଷୟ, ଶାସକ ଦଳର ନେତାମାନେ ସବୁ ସଭା ସମିତିରେ ବିକଶିତ ବରଗଡ଼ ବିକଶିତ ଓଡ଼ିଶା ନାରା ଦେଉଥିବାବେଳେ ଏହି ପଡ଼ାକୁ ଏପର୍ଯ୍ୟନ୍ତ ଏକ ରାସ୍ତାଟିଏ ସୁଦ୍ଧା ହୋଇପାରି ନାହିଁ। ସ୍ଥାନୀୟ ଜନପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀଙ୍କୁ ବାରମ୍ବାର ରାସ୍ତାଟିଏ ପାଇଁ ପଡ଼ାବାସୀ ଦାବି କରିଆସିଛନ୍ତି। ମାତ୍ର ଆଶ୍ବାସନା ଛଡ଼ା ସେମାନଙ୍କୁ ଆଉ ଅନ୍ୟ କିଛି ମିଳିନାହିଁ। ଅନ୍ୟପକ୍ଷରେ ପଡ଼ାବାସୀ ବହୁବିଧ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ନ ଥିବାରୁ ପଡ଼ାବାସୀ ଏକ ନାଳା ହିଡ଼ରେ ଯିବାଆସିବା କରୁଛନ୍ତି। କେବଳ ସେତିକି ନୁହେଁ, ରାସ୍ତା ନ ଥିବାରୁ ପଡ଼ାର ଯୁବତୀ, ଯୁବକଙ୍କୁ ବିବାହ ପାଇଁ ଲୋକେ ମୁହଁ ଫେରାଇ ଦେଉଥିବା ବେଳେ କାହାରି ଦେହାନ୍ତ ହେଲେ ଶବ ସଂସ୍କାର ପାଇଁ ହଟହଟା ହେବାକୁ ପଡୁଛି ବୋଲି ପଡ଼ାବାସୀ ଅଭିଯୋଗ କରିଛନ୍ତି। ସେହିପରି ପିଲାଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଥିବାବେଳେ ରୋଗୀଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା କଷ୍ଟସାଧ୍ୟ ହୋଇ ପଡୁଛି। ତେବେ ଏହି ସମସ୍ୟା ସ୍ଥାନୀୟ ଜନପ୍ରତିନିଧି କିମ୍ବା ବିଭାଗୀୟ ଅଧିକାରୀମାନଙ୍କୁ ଅଜଣା ଅଛପା ରହିନାହିଁ। ପଡ଼ାବାସୀ ବହୁ ପୂର୍ବରୁ ସ୍ଥାନୀୟ ବିଡିଓ, ତହସିଲଦାରଙ୍କଠାରୁ ଆରମ୍ଭ କରି ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିସାରିଛନ୍ତି। ଜିଲାପାଳ ମଧ୍ୟ ସେହି ସମସ୍ୟାର ସମାଧାନ ପାଇଁ ଭଟଲି ତହସିଲଦାର ଏବଂ ବିଡିଓଙ୍କୁ ନିର୍ଦ୍ଦେଶ ଦେଇସାରିଛନ୍ତି। ମାତ୍ର ଏହି ସମସ୍ୟା ଅସମାହିତ ହୋଇ ରହିଯାଇଛି। ଫଳରେ ଏହାର ପ୍ରତିବାଦରେ ବୁଧବାର ପଡ଼ାର ଆବାଳବୃଦ୍ଧବନିତା ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। କାହା ହାତରେ ଜାଳେଣି କାଠ ଥିଲା ତ ଆଉ କିଏ ବାସନକୁସନ ଏବଂ ଡାଲି, ଚାଉଳ, ପରିବା ଧରିଥିଲେ। ଜିଲାପାଳଙ୍କ କାର୍ଯ୍ୟାଳୟରେ ଧାରଣାରେ ବସି ସେମାନେ ସମସ୍ତେ ଏକ ସ୍ବରରେ ଗୋଟିଏ ନାରା ଦେଇଥିଲେ ‘ଆମର ରାସ୍ତା ଆମକୁ ଦିଅ’। ପରେ ପଡ଼ାର ଏକ ପ୍ରତିନିଧି ଦଳ ଜିଲାପାଳଙ୍କ ଆଦିତ୍ୟ ଗୋୟଲଙ୍କୁ ସେମାନଙ୍କ ସମସ୍ୟା କହିଥିଲେ। ଆସନ୍ତା ୭ଦିନ ମଧ୍ୟରେ ବିହିତ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ କହିଥିଲେ। ଏହାପରେ ପଡ଼ାବାସୀ ଧାରଣାରୁ ଉଠିଥିଲେ। ତେବେ ପଡ଼ାକୁ ତୁରନ୍ତ ରାସ୍ତା ବ୍ୟବସ୍ଥା କରା ନ ଗଲେ ଆଗକୁ ରନ୍ଧାବଢ଼ା କରି ସେମାନେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଆଶ୍ରୟ ନେବେ ବୋଲି ପଡ଼ାବାସୀ ଚେତାବନୀ ଦେଇଛନ୍ତି।