କେନାଲ ପାଣି ଅଭାବରୁ ଫାଟିଲା ଚାଷ ଜମି

କୁଳିଅଣା,୩ା୯(ସ୍ବ.ପ୍ର.): କେନାଲ ପାଣି ନ ମାଡ଼ିବା ଓ ବର୍ଷା ଅଭାବରୁ ମୟୂରଭଞ୍ଜ ଜିଲା କୁଳିଅଣା ବ୍ଲକ ମାରାଙ୍ଗତାଣ୍ଡି ପଞ୍ଚାୟତ ଅଧୀନ ପଳାଶବଣୀ ଗ୍ରାମରେ ଥିବା ଚାଷ ଜମି ଫାଟି ଅଁା କଲାଣି। ଅଗଷ୍ଟ ମାସ ସୁଦ୍ଧା ଚାଷୀମାନେ ଯେନତେନ ପ୍ରକାରରେ ତଳି ରୁଆ କାର୍ଯ୍ୟ ଶେଷ କରିଛନ୍ତି। କିନ୍ତୁ ବର୍ଷା ଅଭାବ ସାଙ୍ଗକୁ କେନାଲ ପାଣି ଚାଷ ଜମିରେ ମାଡ଼ି ପାରୁ ନ ଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ହଳଦିଆ ବନ୍ଧ ଦକ୍ଷିଣ ପାର୍ଶ୍ୱ କେନାଲର ବାଇଗଣବାଡ଼ିଆ ହାଟ ଛକଠାରେ ଆଉଟ୍‌ ଲେଟ ଦେଇ ତଳ ମୁଣ୍ଡକୁ ପାଣି ଯାଇ ପାରୁନାହିଁ। କେନାଲ ସଫା ନ ହେବାରୁ ପାଣି ବିଲମୁଣ୍ଡରେ ପହଞ୍ଚି ପାରୁନାହିଁ। ଫଳରେ ହେକ୍ଟର ହେକ୍ଟର ଚାଷ ଜମି ଫାଟି ଅଁା କଲାଣି। ସେହିପରି ନିମ୍ନମାନର କଂକ୍ରିଟ କାମ ଯୋଗୁ କେନାଲ ବନ୍ଧ ସ୍ଥାନେ ସ୍ଥାନେ ଧସି ଯାଇଛି। ବାଙ୍କାଶୋଳ ଓ ଧମୁଣ୍ଡା ଶାଖା କେନାଲ ରହିଥିବା ବେଳେ ତଳମୁଣ୍ଡକୁ ପାଣି ଯାଇ ପାରୁନାହିଁ। ହାଟ ଛକ ପାଖ ଆଉଟ୍‌ ଲେଟକୁ ସମ୍ପ୍ରସାରଣ କରି ଦୁଇ ଫୁଟ ପାଇପ୍‌ ଲଗାଇବା, ନିିୟମିତ କେନାଲର ଦେଖାଶୁଣା ପାଇଁ ଜଣେ ଖଲାସୀଙ୍କୁ ନିଯୁକ୍ତି ଦେବା, କେନାଲର ତଳମୁଣ୍ଡ ବାଉଁଶକଣ୍ଟିିଆ ସାହି ଜମିକୁ ପାଣି ପହଞ୍ଚାଇବା, ପ୍ରତି ବର୍ଷ ଜୁନ ମାସ ସୁଦ୍ଧା କେନାଲ ମରାମତି ସହିତ ସଫା କରିବା ଲାଗି ଚାଷୀ ଦେବେନ୍ଦ୍ର ବେହେରା, ମିଟିନ୍ଦ୍ର ବେହେରା, ମାନସ ରଞ୍ଜନ ଚୌଧୁରୀ, ଗୋପାଳ ବେହେରା, ପ୍ରଫୁଲ୍ଲ ବେହେରା, ହରି ସୋରେନ ଓ ନିନି ବେହେରା ପ୍ରମୁଖ ଦାବି କରିଛନ୍ତି।