ଆର୍ଥିକ ସଙ୍କଟ ଯୋଗୁ ବଢୁଛି ଗଣିକା ବୃତ୍ତି, ଚିନ୍ତାରେ ସରକାର…

କଲମ୍ବୋ, ୩୦।୭ : ଅର୍ଥିକ ସଙ୍କଟ ଘେରି ରହିଥିବା ଶ୍ରୀଲଙ୍କା ସାମ୍ନାରେ ଏକ ନୂତନ ଆହ୍ବାନ ସୃଷ୍ଟି ହୋଇଛି। ଚାକିରୀ ହରାଇଥିବା ଅଧିକାଂଶ ମହିଳା ବର୍ତ୍ତମାନ ରୋଜଗାର ପାଇଁ ଗଣିକା ବୃତ୍ତି ଆପଣେଇବାକୁ ହେବାକୁ ବାଧ୍ୟ ହେଉଛନ୍ତି। ଏନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

ସଙ୍କଟର ସମ୍ମୁଖୀନ ହେଉଥିବା ଦେଶର ୨୨ ନିୟୁତ ଲୋକ ସେମାନଙ୍କ ଜୀବିକା ପାଇଁ ସଂଘର୍ଷ କରୁଛନ୍ତି। ଲୋକମାନେ ଦାରିଦ୍ର୍ୟର ଶିକାର ହେଉଛନ୍ତି। ଶ୍ରୀଲଙ୍କାରେ ସାମ୍ପ୍ରତିକ ପରିସ୍ଥିତିରେ ଅନେକ ପରିବାରଙ୍କ ସମ୍ମୁଖରେ ବଞ୍ଚିବା କଷ୍ଟକର ହୋଇପଡିଛି। ବହୁ ସଂଖ୍ୟକ ଲୋକ ପରିବାର ଚଳାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖାଦ୍ୟ ଏବଂ ଅନ୍ୟାନ୍ୟ ଜରୁରୀ ଜିନିଷ ଯୋଗାଡ଼ କରିବା ମଧ୍ୟ କଷ୍ଟସାଧ୍ୟ ହେବାରେ ଲାଗିଛି।

ଏହି ଭୟଙ୍କର ପରିସ୍ଥିତି ଯୋଗୁ ସାରା ଦେଶରେ ଗଣିକାଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଷ୍ଟାଣ୍ଡ ଅପ ମୁଭମେଣ୍ଟ ଲଙ୍କା ଅନୁଯାୟୀ ଗତ କିଛି ମାସ ମଧ୍ୟରେ ଗଣିକା ବ୍ୟବସାୟ ୩୦ ପ୍ରତିଶତ ବୃଦ୍ଧି ଘଟିଛି। ରୋଜଗାର ପାଇଁ ମହିଳାମାନେ ଯୌନକର୍ମୀ ହେବାକୁ ବାଧ୍ୟ ହୋଇଛନ୍ତି। ଷ୍ଟାଣ୍ଡ ଅପ ମୁଭମେଣ୍ଟ ଲଙ୍କା ଗୋଷ୍ଠୀ ଯୌନକର୍ମୀଙ୍କ ଅଧିକାର ପାଇଁ କାର୍ଯ୍ୟ କରିଥାଏ।

ସ୍ପା ଏବଂ ଓ୍ବେଲନେସ୍‌ ସେଣ୍ଟର ନାମରେ ଗଣିକା କାରବାର କରାଯାଉଛି। ଅଧିକାଂଶ ମହିଳା କହିଛନ୍ତି ଯେ ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ଦିନକୁ ତିନିଥର ଖାଦ୍ୟ ଯୋଗାଡ଼ କରିବା ପାଇଁ ସେମାନଙ୍କ ପାଖରେ ଅନ୍ୟ କୌଣସି ଉପାୟ ନାହିଁ।

ଷ୍ଟାଣ୍ଡ ଅପ ମୁଭମେଣ୍ଟ ଲଙ୍କା ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶିଲା ଡାଣ୍ଡେନିଆ କହିଛନ୍ତି ଯେ ଅର୍ଥନୈତିକ ସଙ୍କଟ କାରଣରୁ ବହିଷ୍କୃତ ହେବା ପରେ ବୟନ ଶିଳ୍ପରେ କାର୍ଯ୍ୟ କରୁଥିବା ମହିଳାମାନେ ଏବେ ଗଣିକା ଭାବେ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନର ସଙ୍କଟ ଅନେକ ମହିଳାଙ୍କୁ ଗଣିକା ହେବା ପାଇଁ ବାଧ୍ୟ କରିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ବୟନ ଶିଳ୍ପରୁ ଆସିଛନ୍ତି। କରୋନା ପରଠାରୁ ଏହି ଶିଳ୍ପ ବହୁତ ପ୍ରଭାବିତ ହୋଇଛି। ଅନେକ ଲୋକ ଚାକିରି ହରାଇଲେ। ବର୍ତ୍ତମାନ ଏହି ଲୋକମାନେ ଜୀବିକା ନିର୍ବାହ ପାଇଁ ଏଭଳି କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି।

ଯେଉଁ ମହିଳାମାନେ ମାସକୁ ପୂର୍ବରୁ ୨୦ରୁ ୩୦ ହଜାର ଶ୍ରୀଲଙ୍କା ମୁଦ୍ରା ରୋଜଗାର କରୁଥିଲେ ଏବେ ସେମାନଙ୍କୁ ଗଣିକାବୃତ୍ତିରୁ ଦିନକୁ ପ୍ରାୟ ୧୫ ହଜାରରୁ ୨୦ ହଜାର ଶ୍ରୀଲଙ୍କା ମୁଦ୍ରା ମିଳୁଛି। ତେଣୁ ସେମାନେ ଗଶିକା ବୃତ୍ତିକୁ ଆଦରି ନେଉଛନ୍ତି।

Share