ବାପାଙ୍କ ଦେହାନ୍ତ ଯୋଗୁ ଚାଷୀ ତାଙ୍କ ହକ୍‌ ପାଇଲେ: ବର୍ଷା

ଭୁବନେଶ୍ବର, ୨୮ା୧୧(ବ୍ୟୁରୋ): ଚାଷୀଙ୍କୁ ଫସଲବୀମା ଯୋଗାଇବା ପାଇଁ ଦୀର୍ଘ ୧୫ ମାସ ହେଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଚିଠି ଲେଖି ଆସୁଛନ୍ତି। ହେଲେ କେନ୍ଦ୍ର ଏ ଦିଗରେ ନ ଶୁଣିବାରୁ ପଦ୍ମପୁର ଅଞ୍ଚଳର ଚାଷୀ ଆନ୍ଦୋଳନରେ ବସିଥିଲେ। ଉପନିର୍ବାଚନ ଘୋଷଣା ହେବାପରେ ମୁଖ୍ୟମନ୍ତ୍ରୀଙ୍କ ଚାପରେ ଚାଷୀ ତାଙ୍କ ହକ୍‌ ପାଇପାରୁଛନ୍ତି। ଏଥିରେ କେନ୍ଦ୍ର ସରକାର କିମ୍ବା କେନ୍ଦ୍ର କୃଷିମନ୍ତ୍ରୀ ବାହାଦୁରି ନେବା ଭଳି କିଛି କଥା ନାହିଁ। ଚାଷୀ ସେମାନଙ୍କ ହକ୍‌ ପାଇଛନ୍ତି। ଯଦି ମୋ ବାପାଙ୍କ ଦେହାନ୍ତ ହୋଇ ନ ଥାଆନ୍ତା ତେବେ ଚାଷୀମାନେ ଏହା ହୁଏତ ପାଇପାରି ନ ଥାଆନ୍ତେ ବୋଲି ପଦ୍ମପୁର ଉପନିର୍ବାଚନର ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା କହିଛନ୍ତି। ଏକ ଭିଡିଓ ବାର୍ତ୍ତା ଜରିଆରେ କେନ୍ଦ୍ର ସରକାର ହୀରାରେ ୧.୫% ଏବଂ କେନ୍ଦୁପତ୍ରରେ ୧୮% ଜିଏସ୍‌ଟି ଧାର୍ଯ୍ୟ କରିଛନ୍ତି। କେନ୍ଦୁପତ୍ର ତୋଳାଳି କ’ଣ ହୀରା ବ୍ୟବସାୟୀଙ୍କଠାରୁ ବେଶି ଧନୀ କି ବୋଲି ସେ ପ୍ରଶ୍ନ କରିଛନ୍ତି। କେନ୍ଦୁପତ୍ରରୁ ୧୮% ଜିଏସ୍‌ଟି ପ୍ରତ୍ୟାହାର କରିବାକୁ ମୁଖ୍ୟମନ୍ତ୍ରୀ ବାରମ୍ବାର ଚିଠି ଲେଖୁଥିଲେ ବି କେନ୍ଦ୍ର ଶୁଣୁନାହିଁ ବୋଲି ସେ କହିଛନ୍ତି।