ସଚେତନତା ଅଭାବରୁ ସରକାରୀ ଯୋଜନାର ଲାଭ ପାଉନାହାନ୍ତି ଚାଷୀ

ରାୟଗଡ଼ା,୨୨।୯(ଭାଗ୍ୟଶ୍ରୀ ମିଶ୍ର): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କୁ କାଳିଆ ଯୋଜନା ସହାୟତା ଦେଇ ଭେଟି ଦେଇଛନ୍ତି। ଓଡ଼ିଶା ଦିବସରେ ଗୋଟିଏ କିସ୍ତି ଦିଆଯାଇଥିବାବେଳେ ବୁଧବାର ଏହାର ଦ୍ୱିତୀୟ କିସ୍ତି ଡିବିଟି ମାଧ୍ୟମରେ ପ୍ରତ୍ୟେକ ଚାଷୀଙ୍କୁ ୨୦୦୦ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି । ରବି ଫସଲ ପାଇଁ ଏହି ସହାୟତା ପ୍ରଦାନ କରାଯାଇଛି। ତେବେ ରାୟଗଡା ଜିଲାରେ ରବି ଫସଲରେ କାଳିଆ ଯୋଜନାରେ ମୋଟ ୮୩,୬୮୮ ଚାଷୀଙ୍କୁ ସହାୟତା ମିଳିଛି। ସେଥିରୁ କ୍ଷୁଦ୍ର ଚାଷୀ କ୍ଷୁଦ୍ର ଏବଂ ନାମ ମାତ୍ର ଚାଷୀ ୮୨, ୦୩୨ ରହିଥିବା ବେଳେ ଭୂମିହୀନ ଚାଷୀଙ୍କ ସଂଖ୍ୟା ୧୬୫୬ ରହିଛି।
ରାୟଗଡା ଏକ ଆଦିବାସୀ ବହୁଳ ଅଞ୍ଚଳ l ଜିଲାରେ ଚାଷୀଙ୍କ ସରକାର ଅନେକ ଯୋଜନା କରୁଥିବାବେଳେ ସଚେତନତା ଅଭାବରୁ ଚାଷୀମାନେ ଯୋଜନା ସମ୍ପର୍କରେ ଜାଣିପାରୁନାହନ୍ତି। ଫଳରେ ଭୂମିହୀନ ଚାଷୀମାନେ ସାହୁକାରଠାରୁ ଧାର କରଜ କରି ଚାଷ କରିଥାନ୍ତି। ଜିଲାରେ ମୋଟ ୪,୮୬୫୮୪ ଚାଷୀଥିବାବେଳେ କ୍ଷୁଦ୍ର ଚାଷୀ ୭୧୪୦୧, ନାମମାତ୍ର ଚାଷୀ ୧ଲକ୍ଷ ୩୩ ହଜାର ୬୫୩ ରହିଛନ୍ତି। ସେହିଭଳି ଭୂମିହୀନ ଚାଷୀ ୩ ଲକ୍ଷ ୮୧ ହଜାର ୫୩୦ ରହିଥିବା ଜଣାପଡିଛି। ଜିଲାରେ ଏତେ ଅଧିକ ଚାଷୀ ରହିଥିଲେ ସୁଦ୍ଧା ସେହି ପରିମାଣର ହିତାଧିକାରୀ କାଳିଆ ଯୋଜନା ପାଇଁ ଆବେଦନ କରି ନ ଥିବାରୁ ସରକାରୀ ଯୋଜନାର ଲାଭ ଉଠାଇ ପାରି ନ ଥିବା ଅଭିଯୋଗ ହୋଇଛି।
ଜିଲା କୃଷି ବିଭାଗ ଯୋଜନାଗୁଡିକୁ ଠିକ୍‌ ଭାବରେ ଚାଷୀଙ୍କ ପାଖରେ ପହଞ୍ଚାଇଲେ ଆଗାମୀ ଦିନରେ ଚାଷୀ ଉପକୃତ ହେବେ ବୋଲି ବୁଦ୍ଧିଜୀବୀ କହିଛନ୍ତି। ରାୟଗଡା ବ୍ଲକ ମୀରାବାଲି ଗ୍ରାମର ଜଣେ ଚାଷୀ ବାସୁଦେବ ତିଲାକା କହିଛନ୍ତି, ବେଳେ ବେଳେ ବ୍ୟାଙ୍କରୁ ଋଣ ନେଇ ଚାଷ କାର୍ଯ୍ୟ କରେ, ଅନ୍ୟ କେତେବେଳେ ସାହୁକାରଠାରୁ ହାତ ଉଧାରି ଆଣିଥାଏ। କାଳିଆ ଯୋଜନା ବିଷୟରେ ମୁଁ ଜାଣି ନାହିଁ ବୋଲି ସେ କହିଛନ୍ତି। ଏ ନେଇ ଜିଲା ମୁଖ୍ୟ କୃଷି ଅଧିକାରୀ ମନୋଜ କୁମାର ପ୍ରଧାନଙ୍କୁ ପଚାରିବାରୁ ଚାଷୀଙ୍କୁ ସଚେତନତା କରା ଯାଉଛି । କେତେଜଣ ଚାଷୀ ଜାଣିପାରୁ ନାହାନ୍ତି ସେମାନେ ନିକଟସ୍ଥ କୃଷି କାର୍ଯ୍ୟାଳୟକୁ ଆସି ଯୋଗାଯୋଗ କରିଲେ ପ୍ରତ୍ୟେକ ଖବର ଜାଣିପାରିବେ ବୋଲି ସେ କହିଛନ୍ତି। ଚାଷୀ କାଳିଆ ଯୋଜନା ପାଇଁ ଆବେଦନ କଲେ ବିଭାଗୀୟ ଅଧିକାରୀ ପ୍ରଥମେ ଗ୍ରାମାଞ୍ଚଳରେ ଭେରିଫିକେଶନ କରିଥାନ୍ତି । ଏହା ପରେ ଜିଲାସ୍ତରରେ ଯାଞ୍ଚ ପରେ ଜିଲାପାଳଙ୍କ ଅନୁମୋଦନ ପରେ ରାଜ୍ୟସ୍ତରକୁ ଯାଇଥାଏ ବୋଲି ସେ କହିଛନ୍ତି l