ଦୁବଇର ଆବାସିକ ବିଲଡିଂରେ ଅଗ୍ନିକାଣ୍ଡ, ୧୬ ମୃତ, ମୃତକଙ୍କ ମଧ୍ୟରେ ୪ ଭାରତୀୟ

ଦୁବାଇ,୧୬।୪: ଦୁବଇର ଏକ ଆବାସିକ ବିଲଡିଂରେ ନିଆଁ ଲାଗିବାରୁ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକଙ୍କ ମଧ୍ୟରେ ୪ ଜଣ ଭାରତୀୟ ରହିଛନ୍ତି। ଅଗ୍ନିକାଣ୍ଡରେ ୯ ଜଣ ଆହତ ହୋଇଥିବା ଜଣାପଡିଛି।
ମିଡିଆ ରିପୋର୍ଟ ମାଧ୍ୟମରେ ରବିବାର ଏହି ଖବର ଆସିଛି। ଖବର ଅନୁଯାୟୀ, ଦୁବଇର ଅଲ ରାସ ଅଞ୍ଚଳରେ ରବିବାର ରାତି ପ୍ରାୟ ସାଢେ ୧୨ଟାରେ ଆବାସିକ ବିଲଡିଂରେ ନିଆଁ ଲାଗିଯାଇଥିଲା। ନିଆଁ ବିଲଡିଂର ୪ର୍ଥ ମହଲାରେ ଲାଗିଥିଲା। ଏହାପରେ ଏହା ଅନ୍ୟ ମହଲାକୁ ବ୍ୟାପି ଯାଇଥିଲା।
ଖବର ପାଇ ଦୁବଇ ସିଭିଲ ଡିଫେନ୍ସର କର୍ମୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହାସହ ପାଖରେ ଥିବା ବିଲଡିଂରୁ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ଦୁବଇରେ ରହୁଥିବା ଭାରତୀୟ ନସିର ଭାତନପଲ୍ଲି କହିଛନ୍ତି ମୃତକଙ୍କ ମଧ୍ୟରେ ୪ ଭାରତୀୟ ରହିଛନ୍ତି। ଏମାନଙ୍କ ମଧ୍ୟରେ କେରଳର ଦମ୍ପତି ଓ ଅନ୍ୟ ୨ ଜଣ ତାମିଲନାଡୁର। ପାକିସ୍ତାନର ୨ ସମ୍ପର୍କୀୟ ଭାଇ ଓ ଜଣେ ନାଇଜେରିଆ ମହିଳାଙ୍କର ବି ଏହି ଅଗ୍ନିକାଣ୍ଡରେ ମୃତ୍ୟୁ ହୋଇଛି।

Share