ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ ଭିତ୍ତିଭୂମି ପାଇଁ ପ୍ରସିଦ୍ଧ ଏହି ସହର ଅପ୍ରତ୍ୟାଶିତ ଭାବେ ପ୍ରଚଣ୍ଡ ବର୍ଷାର ପ୍ରଭାବରେ ବିପର୍ଯ୍ୟସ୍ତ ବନ୍ୟା ପରିସ୍ଥିତିର ସମ୍ମୁଖୀନ ହେଲା। କ୍ଷିପ୍ର ବେଗରେ ଦୌଡୁଥିବା ସହରର ଗତିବିଧି ହଠାତ୍‌ ଏକ ବିଭୀଷିକାମୟ ପରିବେଶ ମଧ୍ୟକୁ ଠେଲି ହୋଇଗଲା। ଗୃହଠାରୁ ଅଫିସ ଏବଂ ରାସ୍ତାଘାଟ ସବୁକିଛି ବନ୍ୟାରେ କବଳିତ ହୋଇ ବହୁଳ କ୍ଷୟକ୍ଷତିର ସମ୍ମୁଖୀନ ହେଲା, ଘରଛାତରୁ ବର୍ଷାଜଳ ଝରିବାକୁ ଲାଗିଲା ଏବଂ ଲୋକେ ଜଳବନ୍ଦୀ ଜୀବନ ଯାପନ କଲେ। ସହରର ଚତୁର୍ଦ୍ଦିଗରେ ବନ୍ୟାର କରାଳ ରୂପ ମଧ୍ୟରେ ମନୁଷ୍ୟର ନିଃସହାୟତା ବାରି ହୋଇପଡୁଥିଲା, ଯେତେବେଳେ ଅତି ମୂଲ୍ୟବାନ, ସୌଖୀନ ଯାନ ସବୁ କାଗଜଡଙ୍ଗା ପରି ବନ୍ୟାସ୍ରୋତରେ ଭାସମାନ ଅବସ୍ଥାରେ ଥିଲେ। ବିଶ୍ୱର ଦ୍ୱିତୀୟ ବ୍ୟସ୍ତବହୁଳ ବିମାନବନ୍ଦରର ମାନ୍ୟତା ହାସଲ କରିଥିବା ଦୁବାଇ ଏଆରପୋର୍ଟରେ ବିମାନ ଉଡ଼ାଣ ବହୁମାତ୍ରାରେ ବାଧାପ୍ରାପ୍ତ ହେଲା। ୟୁଏଇର ଲୋକମାନେ ଅକଥନୀୟ ଦୁର୍ଦ୍ଦଶାର ଶିକାର ହେବା ସହିତ ପଡ଼ୋଶୀରାଷ୍ଟ୍ରମାନ ଏବଂ ସାଉଦିଆରବ ମଧ୍ୟ ଏହି ବିଭୀଷିକାରେ ଅନେକାଂଶରେ ପ୍ରଭାବିତ ହେଲେ। ବିପୁଳ ସମ୍ପତ୍ତି ଓ ଭିତ୍ତିଭୂମି ନଷ୍ଟ ହେବା ସହ ଉଭୟ ଓମାନ ଓ ୟୁଏଇରେ ୨୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଏକ ପ୍ରାକୃତିକ ବିପର୍ଯ୍ୟୟ ଯେ କେତେ ବିଧ୍ୱଂସକାରୀ ହୋଇପାରେ, ତାହା ଦୁବାଇ ବନ୍ୟା ମାନବଜାତିକୁ ପୁଣିଥରେ ଚେତାଇ ଦେଇଛି।
ଉଷ୍ମ ଏବଂ ଶୁଷ୍କ ଅଞ୍ଚଳ ରୂପେ ପରିଗଣିତ ୟୁଏଇରେ ହାରାହାରି ବର୍ଷାର ପରିମାଣ ହେଉଛି ବାର୍ଷିକ ୧୪୦ରୁ ୨୦୦ ମିଲିମିଟର (ମିମି)। ଏପ୍ରିଲ ୧୬ରେ ଅଲ ଆଇନ୍‌ ସହରରେ ୨୫୦ମିମିର ସର୍ବାଧିକ ବର୍ଷା ରେକର୍ଡ ହୋଇଥିଲାବେଳେ ଦୁବାଇ ସହରରେ ଏହା ଥିଲା ୧୫୨ମିମି। ଏପରି ଆକସ୍ମିକ, ପ୍ରଚୁର ବର୍ଷାର ଜଳକୁ ଠିକ୍‌ ଭାବରେ ନିଷ୍କାସିତ କରିବା ନିମନ୍ତେ ସହରରେ ଉପଲବ୍ଧ ନିଷ୍କାସନ ବ୍ୟବସ୍ଥାଗୁଡ଼ିକୁ ସଂଘର୍ଷ କରିବାକୁ ପଡ଼ିବ। କଂକ୍ରିଟ ଜଙ୍ଗଲର ଏହି ସହରରେ ପିଚୁ ଓ ପକ୍କା ସ୍ଥାନରେ ଭରପୂର ଭୂପୃଷ୍ଠ ମାଧ୍ୟମରେ ଜଳ ଭୂତଳ ମଧ୍ୟକୁ ପ୍ରବେଶ କରିବାର ସମ୍ଭାବନା କମିବାରୁ ରାସ୍ତା ଉପରେ ପର୍ଯ୍ୟାପ୍ତ ପରିମାଣର ଜଳ ପ୍ରବାହିତ ହେବାକୁ ଲାଗିଲା। ଗତ କିଛିବର୍ଷ ମଧ୍ୟରେ ଏହି ଉପସାଗରୀୟ ରାଷ୍ଟ୍ରରେ ବୃଷ୍ଟିପାତରେ ବୃଦ୍ଧିଘଟିଛି ଏବଂ ଆଗାମୀ ବର୍ଷମାନଙ୍କରେ ଏହା ୩୦ ଶତାଂଶ ପର୍ଯ୍ୟନ୍ତ ବୃଦ୍ଧିପାଇବାର ସମ୍ଭାବନା ରହିଛି। ପାରମ୍ପରିକ ଭାବେ ମରୁଭୂମି ଜଳବାୟୁ ଏବଂ ଅଭାବୀ ବର୍ଷାଦ୍ୱାରା ବର୍ଣ୍ଣିତ ହେଉଥିବା ୟୁଏଇ ଏବେ ଜଳବାୟୁ ପରିବର୍ତ୍ତନର ଶିକାର ହେଉଛି ବୋଲି ବିତର୍କର ଏକ ନୂତନ ଦିଗନ୍ତ ଉନ୍ମୋଚିତ ହୋଇଛି। ଦେଢ଼ବର୍ଷର ବର୍ଷାର ପରିମାଣ ଗୋଟିଏ ଦିନରେ ବର୍ଷିବା ଏହି ମତବାଦକୁ ଶକ୍ତିଶାଳୀ କରୁଛି। ଅନ୍ୟ ଏକ ଅଭିଯୋଗ ହେଉଛି ଯେ, ୟୁଏଇରେ ସମୟ ସମୟରେ କୃତ୍ରିମ ବର୍ଷା ସୃଷ୍ଟି ନିମନ୍ତେ ପୋଟାସିୟମ ଆୟୋଡାଇଡ, ସୋଡିୟମ ଫ୍ଲୋରାଇଡ ପରି ଲବଣ କିମ୍ବା ଶୁଷ୍କ ବରଫ ମେଘ ଉପରକ ୁସିଞ୍ଚନ କରାଯାଏ। ତେବେ, ୟୁଏଇ ପାଣିପାଗ କେନ୍ଦ୍ର ଏହି ଭୟଙ୍କର ଝଡ଼ବର୍ଷା ଓ ବଜ୍ରପାତର ତାଣ୍ଡବ ପୂର୍ବରୁ ଏପରି କିଛି ପଦକ୍ଷେପ ଗୃହୀତ ହୋଇ ନ ଥିବାର ପ୍ରକାଶ କରିଛି।
ପାଣିପାଗ ବିଶେଷଜ୍ଞଙ୍କ ମତରେ ଦେଶ ମଧ୍ୟକୁ ଆରବ ସାଗରରୁ ଉଷ୍ମ ଏବଂ ଆର୍ଦ୍ରବାୟୁର ଏକ ବିଶାଳ ପ୍ରବାହ ଘଟିଥିଲା, ଯାହା ଉତ୍ତର-ପଶ୍ଚିମଦିଗରୁ ପ୍ରବାହିତ ଶୀତଳ ବାୟୁ ସଂସ୍ପର୍ଶରେ ଆସି ପ୍ରବଳ ଝଡ଼ବର୍ଷାରେ ରୂପାନ୍ତରିତ ହୋଇଥିଲା। ତେବେ ଇତିହାସରେ ରେକର୍ଡ ସୃଷ୍ଟିକାରୀ ଏହି ବିପର୍ଯ୍ୟୟର ପୃଷ୍ଠଭୂମିରେ ଜଳବାୟୁ ପରିବର୍ତ୍ତନର ଭୂମିକା ଯେ ନିଃସନ୍ଦେହ ଏହା ବୈଜ୍ଞାନିକ ମହଲରେ ଆଲୋଚନାର ବିଷୟବସ୍ତୁ ପାଲଟିଛି। ବିଗତ ଦଶନ୍ଧିମାନଙ୍କରେ କୋଇଲା, ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ପରି ଜୀବାଶ୍ମ ଇନ୍ଧନର ବହୁଳ ବ୍ୟବହାରରେ ମାତ୍ରାଧିକ ପରିମାଣର ଅଙ୍ଗାରକାମ୍ଲ ଓ ଅନ୍ୟସବୁ ଜଗୃହବାଷ୍ପ ବାୟୁମଣ୍ଡଳକୁ ନିର୍ଗତ ହେବା ଏବଂ ପ୍ରତିଫଳରେ ବିଶ୍ୱ ତାପମାତ୍ରା ବୃଦ୍ଧିହେବା ଘଟଣା ଏପରି ବିପର୍ଯ୍ୟୟର ମୂଳକାରଣ। ଉଚ୍ଚ ତାପମାତ୍ରାରେ ଉଭୟ ସ୍ଥଳଭାଗର ଜଳଉତ୍ସରୁ ଏବଂ ମହାସାଗରରୁ ଜଳର ବାଷ୍ପୀକରଣ ତ୍ୱରାନ୍ବିତ ହୁଏ ଏବଂ ଏପରି ଉଷ୍ମବାତାବରଣ ଅଧିକ ଆର୍ଦ୍ରତା ଧାରଣ କରେ। ଏକ ଅଧ୍ୟୟନ ପ୍ରକାଶ କରେ ଯେ ହାରାହାରି ତାପମାତ୍ରାରେ ପ୍ରତି ଏକ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇ ବାୟୁମଣ୍ଡଳ ପ୍ରାୟ ୭ ଶତାଂଶ ଅଧିକ ଆର୍ଦ୍ରତା ଧାରଣ କରିପାରେ। ଏହି କାରଣରୁ ବୃଷ୍ଟିପାତର ତୀବ୍ରତା, ଅବଧି କିମ୍ବା ବାରମ୍ବାରତାରେ ବୃଦ୍ଧି ଘଟିଥାଏ, ଯାହା ପରିଶେଷରେ ପ୍ରବଳ ବନ୍ୟା ପରିସ୍ଥିତି ସୃଷ୍ଟି କରିପାରେ। ଭାରତର ଥର୍‌ ମରୁଭୂମି ଏବଂ ଅଷ୍ଟ୍ରେଲିଆର କେତେକ ମରୁଭୂମି ଅଞ୍ଚଳରେ ହୋଇଥିବା ଅଧ୍ୟୟନରୁ ପ୍ରତୀୟମାନ ହୁଏ ଯେ ଜଳବାୟୁ ପରିବର୍ତ୍ତନ ଏସବୁ ସ୍ଥାନରେ ଅଧିକ ବର୍ଷାର କାରକ ସାଜୁଛି। ପୁନଶ୍ଚ, ୧୮୫୦ ପରଠାରୁ ପୃଥିବୀର ହାରାହାରି ତାପମାତ୍ରା ଏପର୍ଯ୍ୟନ୍ତ ଅତିକମରେ ୧.୧ ଡିଗ୍ରୀ ବୃଦ୍ଧି ପାଇଥିଲାବେଳେ ୟୁଏଇରେ ବିଗତ ୬୦ବର୍ଷରେ ପ୍ରାୟ ଦେଢ଼ ଡିଗ୍ରୀ ସେଲସିୟସ ବୃଦ୍ଧି ଘଟିଛି।
ଏବେ ସବୁଠାରୁ କଷ୍ଟସାଧ୍ୟ ଆହ୍ବାନ ହେଉଛି ଯେ ୟୁଏଇ ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ମାନବ-ପ୍ରବର୍ତ୍ତିତ ଜଳବାୟୁ ପରିବର୍ତ୍ତନ ଅଥବା ପ୍ରକୃତିର ପରିବର୍ତ୍ତନଶୀଳ ପ୍ରକ୍ରିୟା ଦ୍ୱାରା ସଂଘଟିତ ହେଉଛି, ତାକୁ ନିଶ୍ଚିତରୂପେ ନିର୍ଣ୍ଣୟ କରିବା। କିନ୍ତୁ ଏହା ମଧ୍ୟ ସତ୍ୟ ଯେ ‘ଏଲନିନୋ’ ଏବଂ ’ଲାନିନା’ ପର ିପ୍ରାକୃତିକ ଜଳବାୟୁ ବ୍ୟାଘାତକାରୀ ଘଟଣାଗୁଡ଼ିକରେ କ୍ରମଶଃ ବୃଦ୍ଧିଘଟୁଛି। ଏଥିରେ ମାନବ-ପ୍ରବର୍ତ୍ତିତ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏକ ଉତ୍ତେଜକ କାରକର ଭୂମିକା ନିର୍ବାହ କରୁଛି। ସମ୍ପ୍ରତି ପୃଥିବୀର ଜଳବାୟୁ ପ୍ରଣାଳୀରେ ମାନବିକ ହସ୍ତକ୍ଷେପ ପୂର୍ବାପେକ୍ଷା ଅଧିକ ଦୃଶ୍ୟମାନ ହେଉଛି, କିନ୍ତୁ ଏସବୁର ପରିଣାମ ବିଷୟରେ ପୂର୍ବାନୁମାନ କରିବା ସେତିକି କଷ୍ଟସାଧ୍ୟ ବୋଧ ହେଉଛି। ସାରାବିଶ୍ୱରେ ଏପରି ଉତ୍ତପ୍ତ ପରିବେଶରେ ଜଳବାୟୁରେ ଯେଉଁ ନକାରାତ୍ମକ ପରିବର୍ତ୍ତନ ଘଟୁଛି, ତାହା ତୀବ୍ର ଗ୍ରୀଷ୍ମ ଲହରି, ଭାରି ବର୍ଷା, ବନ୍ୟା, ବାତ୍ୟା, ଭୂସ୍ଖଳନ, ମରୁଡ଼ି, ବଜ୍ରପାତ ଏବଂ ବନାଗ୍ନି ପରି ପ୍ରାକୃତିକ ବିପର୍ଯ୍ୟୟ ରୂପରେ ପ୍ରକଟିତ ହେଉଛି। ଏଥିରେ ବହୁ ଧନଜୀବନ ହାନି ହେବା ସହ ଭିତ୍ତିଭୂମି ବିପର୍ଯ୍ୟସ୍ତ ଏବଂ ଅର୍ଥନୀତି ପ୍ରଭାବିତ ହେଉଛି, ବିଶେଷ ଭାବରେ ଗରିବ ରାଷ୍ଟ୍ରମାନଙ୍କରେ ଏହି ପ୍ରଭାବ ଅତ୍ୟନ୍ତ କ୍ଷତିକାରକ ସାବ୍ୟସ୍ତ ହେଉଛି। ଜଳବାୟୁ ପ୍ରଦୂଷଣ ନିର୍ଗମନକୁ ହ୍ରାସ କରିବା ପାଇଁ ପର୍ଯ୍ୟାପ୍ତ ବିଶ୍ୱସ୍ତରୀୟ ପ୍ରତିବଦ୍ଧତାର ଅଭାବରେ ଆଗାମୀ ଭବିଷ୍ୟତରେ ଜଳବାୟୁ ସଙ୍କଟ ଅଧିକ ଘନୀଭୂତ ହେବାର ସମ୍ଭାବନା ସୃଷ୍ଟି ହେଉଛି।
ଦୁବାଇ ବନ୍ୟାର ବିଭୀଷିକାକୁ ଜଳବାୟୁ ପରିବର୍ତ୍ତନର ସଦ୍ୟତମ ମନ୍ଦ ସଙ୍କେତ ଓ ଚେତାବନୀ ରୂପେ ଗ୍ରହଣ କରି ମାନବ ଜାତି ସକାରାତ୍ମକ ପରିବର୍ତ୍ତନର ସ୍ରୋତକୁ ତ୍ୱରାନ୍ବିତ କରିବା ଏକାନ୍ତ ଅପରିହାର୍ଯ୍ୟ। ଉତ୍ତାପବୃଦ୍ଧିକୁ ୨୦୧୫ର ପ୍ୟାରିସ ରାଜିନାମା ଅନୁଯାୟୀ ଦେଢ଼ଡିଗ୍ରୀ ମଧ୍ୟରେ ସୀମିତ ରଖିବା ନିମନ୍ତେ ଏବେଠାରୁ ୨୦୩୦ ପର୍ଯ୍ୟନ୍ତ ପ୍ରତିବର୍ଷ ଅଙ୍ଗାରକ ନିର୍ଗମନକୁ ଅତିକମ୍ରେ ୭.୬ ଶତାଂଶ ହ୍ରାସକରିବା ଆବଶ୍ୟକ। ଏଥିସହ ଉଭୟ ସ୍ଥଳୀୟ ଏବଂ ଜଳୀୟ ପ୍ରାକୃତିକ ପରିସଂସ୍ଥାମାନଙ୍କର ସଂରକ୍ଷଣ ଏବଂ ପୁନରୁଦ୍ଧାରକୁ ଗୁରୁତ୍ୱ ପ୍ରଦାନ କରିବା ଏକ ଜରୁରୀ ଆବଶ୍ୟକତା। ମାନବ ସମସ୍ୟା ସବୁର ପ୍ରକୃତି-ଭିତ୍ତିକ ସମାଧାନ ନିମନ୍ତେ ଅଧିକ ପ୍ରତିବଦ୍ଧତା ଓ ବିନିଯୋଗ ହେଲେ ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ସୀମିତ ହେବା ସହ ଏକ ସୁରକ୍ଷିତ ଭବିଷ୍ୟତର ଦୃଢ଼ ମୂଳଦୁଆ ସ୍ଥାପିତ ହୋଇପାରିବ।

  • ଡ. ଜୟକୃଷ୍ଣ ପାଣିଗ୍ରାହୀ
    ସମ୍ପାଦକ, ଓଡ଼ିଶା ପରିବେଶ ସମିତି, ଭୁବନେଶ୍ୱର
    ମୋ: ୯୪୩୭୦୭୬୧୦୦

Enter your email to get our daily news in your inbox.

All Right Reserved By Dharitri.Com

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri