କେନାଲ ଶୁଖିଲା, ବର୍ଷା ନାହିଁ: ଆଗେଇ ପାରୁନି ଖରିଫ ଚାଷ

ବରଗଡ଼ ଅଫିସ୍‌,୧୬।୬ – ବରଗଡ଼ ଜିଲାରେ ସାଧାରଣତଃ ଜୁନ ମାସରୁ ଖରିଫ ଚାଷ ଆରମ୍ଭ ହୋଇଥାଏ। ଜିଲାର ଉଭୟ ଜଳସେଚିତ ଏବଂ ଅଣଜଳସେଚିତ ଅଞ୍ଚଳରେ ଏହି ଚାଷକାର୍ଯ୍ୟ ହୋଇଥାଏ। ଜଳସେଚିତ ଅଞ୍ଚଳର ଚାଷୀମାନେ କେନାଲ ପାଣି ଏବଂ ଅଣଜଳସେଚିତ ଅଞ୍ଚଳର ଚାଷୀମାନେ ବର୍ଷା ଉପରେ ନିର୍ଭର କରିଥାନ୍ତି। ଏହିକ୍ରମରେ ଜିଲାରେ ରହିଥିବା ୩ଲକ୍ଷ ୪୮ହଜାର ହେକ୍ଟର ଚାଷପୋଯୋଗୀ ଜମି ମଧ୍ୟରୁ କେବଳ ୨ଲକ୍ଷ ୪୮ହଜାର ୯୪୪ ହେକ୍ଟର ଜମିରେ ଧାନଚାଷ ହୁଏ। ସେଥିମଧ୍ୟରୁ ଜଳସେଚିତ ଅଞ୍ଚଳର ୧ଲକ୍ଷ ୫୧ହଜାର ୫୯୪ ହେକ୍ଟର ଜମିର ଧାନଚାଷ କେନାଲ ପାଣି ଏବଂ ଅଣଜଳସେଚିତ ଅଞ୍ଚଳର ୯୭ହଜାର ୪୫୦ ହେକ୍ଟର ଜମିର ଧାନଚାଷ ବର୍ଷା ଉପରେ ନିର୍ଭର କରିଥାଏ।
ଜୁନ ୧୫ତାରିଖ ସୁଦ୍ଧା କେନାଲ ଶୁଖିଲା ପଡ଼ିଥିବାବେଳେ ବର୍ଷାର ଦେଖାନାହିଁ। କାଁଭାଁ କେତେବେଳେ ବର୍ଷା ହେଉଥିଲେ ହେଁ ତାହା ଚାଷକାର୍ଯ୍ୟ ପାଇଁ ପର୍ଯ୍ୟାପ୍ତ ନୁହେଁ। ଫଳରେ ଅନ୍ୟବର୍ଷ ଭଳି ଏବର୍ଷ ଖରିଫ ଚାଷକାର୍ଯ୍ୟ ଆଗେଇ ପାରିନାହିଁ। ପାଣି ଅଭାବରୁ ଚାଷୀ ଚାଷଜମି ହଳ ସୁଦ୍ଧା କରି ପାରିନାହିଁ। ଜୁନ ମାସରେ ବରଗଡ଼ ଜିଲାର ସ୍ବାଭାବିକ ବୃଷ୍ଟିପାତ ପରିମାଣ ୨୦୫.୬ ମି.ମି ଅଟେ। ହେଲେ ଇତିମଧ୍ୟରେ ଏହି ମାସର ୧୫ଦିନ ବିତିଯାଇ ଥିବାବେଳେ ଜିଲାରେ ହାରାହାରି ୫.୫୫ ମି.ମି ବୃଷ୍ଟିପାତ ରେକର୍ଡ଼ କରାଯାଇଛି। ସେହିପରି ଜୁନ ୧୫ କେନାଲରେ ପାଣି ଆସିଥାଏ। କିନ୍ତୁ ଏପର୍ଯ୍ୟନ୍ତ କେନାଲ ପାଣି ମଧ୍ୟ ଆସିନାହିଁ। ଫଳରେ ଖରିଫ ଚାଷ ନେଇ ଜିଲାର ଚାଷୀମାନେ ଚିନ୍ତିତ ହୋଇପଡ଼ି ଥିବାବେଳେ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଗତବର୍ଷ ଖରିଫରେ ଦେଖାଯାଇଥିବା ମରୁଡ଼ିର ପୁନରାବୃତ୍ତି ଆଶଙ୍କାରେ ରହିଛନ୍ତି।