୩୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ

ମୁମ୍ବାଇ,୧୮ା୮: ମୁମ୍ବାଇର ଜବାହରଲାଲ ନେହେରୁ ବନ୍ଦର ନିକଟ କଣ୍ଟେନର ଫ୍ରେଇଟ୍‌ ଷ୍ଟେଶନରେ ମକା ଚାଲାଣ ଭିତରୁ ୫୫ କେ.ଜି. ମେଥାମ୍ଫେଟାମାଇନ୍‌ ଜବତ ହୋଇଛି।

ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ (ଡିଆର୍‌ଆଇ) ଜବତ କରିଥିବା ଏହି ଡ୍ରଗ୍ସର ମୂଲ୍ୟ ପ୍ରାୟ ୩୦୦ କୋଟି ଟଙ୍କା। ପାକିସ୍ତାନର ମହମ୍ମଦ ହୁସେନ୍‌ ଡାଡଙ୍କ ନେତୃତ୍ୱରେ ପରିଚାଳିତ ନାର୍କୋ ଟ୍ରାଫିକିଂ ସିଣ୍ଡିକେଟ୍‌ ସହ ଉକ୍ତ ଡ୍ରଗ୍ସ ସମ୍ପୃକ୍ତ ଥିବା କୁହାଯାଉଛି। ଉକ୍ତ ଗ୍ରୁପ୍‌ କାର୍ଗୋ କଣ୍ଟେନର ଦେଇ ଚୋରା ନିଶାଦ୍ରବ୍ୟ ଚାଲାଣ କରିଥାଏ ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି।

ଏହାର ପରିଚାଳକ ମୁମ୍ବାଇର ଏକ ଆମଦାନୀ-ରପ୍ତାନି କମ୍ପାନୀ ସହ ଯୋଗାଯୋଗ କରିବା ସହ ୨୨ ଟନ୍‌ ମକା ରପ୍ତାନି ପାଇଁ ଉତ୍ତରପ୍ରଦେଶର ଏକ ଟ୍ରେଡିଂ କମ୍ପାନୀ ସହ ଯୋଗାଯୋଗରେ ଥିଲେ। ଏହା ପରେ ଡ୍ରଗ୍ସ ସିଣ୍ଡିକେଟ୍‌ର ଏଜେଣ୍ଟମାନେ ୧୭.୫ ଟନ୍‌ ମକା ରପ୍ତାନି ପାଇଁ ମୁମ୍ବାଇ ବନ୍ଦରର ସିଏଫ୍‌ଏସ୍‌ ଫାସିଲିଟିକୁ ଆଣିବା ବ୍ୟବସ୍ଥା କରିଥିଲେ। ଗୋଇନ୍ଦା ସୂଚନା ଆଧାରରେ ଡିଆର୍‌ଆଇ ଅଫିସରମାନେ କଣ୍ଟେନରର ତଲାସି ନେବାରୁ ଡ୍ରଗ୍ସ ଜବତ ହୋଇଥିଲା।

Share