ଭୂତ ଡଙ୍ଗାରେ ଡ୍ରଗ୍ସ

ଓ୍ବାଶିଂଟନ,୧୯ା୧୨: ସମୁଦ୍ରରେ ବହୁ ସଂଖ୍ୟକ ‘ଭୂତ ଜାହାଜ’ ଅଛି। ଅତଳ ସାଗରରେ ଜାହାଜ ଓ ଡଙ୍ଗାଗୁଡ଼ିକରୁ ନାବିକମାନେ ରହସ୍ୟଜନକ ଭାବେ ଉଭାନ ହୋଇଯିବା ପଛରେ ଅନେକ କାହାଣୀ ଥାଏ। ପ୍ରତ୍ୟେକ କାହାଣୀ ସହ ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ପ୍ରହେଳିକା ଜଡ଼ିତ ହୋଇ ରହିଥାଏ। ଏଭଳି ବଡ଼ ବଡ଼ ଘଟଣାର ଏକ କ୍ଷୁଦ୍ର ସଂସ୍କରଣ ପ୍ରଶାନ୍ତ ମହାସାଗରର ମାର୍ଶଲ ଆଇଲାଣ୍ଡ ଉପକୂଳରେ ଦେଖିବାକୁ ମିଳିଛି।
ମାର୍ଶଲ ଆଇଲାଣ୍ଡ ଉପକୂଳ ବିସ୍ତୃତ ଜଳରାଶି ଉପରେ ଡିସେମ୍ବର ୧୫ ତାରିଖରେ ଏକ ଭୂତ ଡଙ୍ଗା ହଠାତ୍‌ ଦୃଶ୍ୟମାନ ହୋଇଥିଲା। ସେଥିରେ କେହି ନ ଥିବାରୁ ତାକୁ ଠାବ କରିଥିବା ସ୍ଥାନୀୟ ଲୋକେ ବିସ୍ମିତ ହୋଇଯାଇଥିଲେ। ସେମାନେ ପ୍ରଥମେ ଏହାକୁ ଠେଲାପେଲା କରିଥିଲେ। କିନ୍ତୁ ଡଙ୍ଗାଟି ଏତେ ଓଜନିଆ ଥିଲା ଯେ ସେମାନେ ତାକୁ ହଲାଇ ପାରି ନ ଥିଲେ। ପୋଲିସ ଖବର ପାଇ ସେଠାରେ ପହଞ୍ଚତ୍ବା ପରେ ୫.୫ ମିଟର ଲମ୍ବ ଏହି ଫାଇବରଗ୍ଲାସ୍‌ ବୋଟ୍‌କୁ ତନ୍ନ ତନ୍ନ କରି ଯାଞ୍ଚ କରିଥିଲା। ସେଥିରୁ ୬୪୯ କେ.ଜି. (୧୪୩୦ ପାଉଣ୍ଡ) କୋକେନ ମିଳିବା ପରେ ପୋଲିସ ଅଧିକାରୀମାନେ ଚକିତ ହୋଇଯାଇଥିଲେ। କୋକେନ ଭର୍ତ୍ତି କରାଯାଇଥିବା ପ୍ୟାକେଟଗୁଡ଼ିକ ଉପରେ ‘କେଡବ୍ଲ୍ୟୁ’ ଲେଖାଯାଇଥିଲା। ଆମେରିକାର ଡ୍ରଗ୍ସ ଏନ୍‌ଫୋର୍ସମେଣ୍ଟ ଆଡ୍‌ମିନିଷ୍ଟ୍ରେଶନକୁ ପରୀକ୍ଷା ପାଇଁ ପଠାଯାଇଥିବା ଜବତ କୋକେନର ମୂଲ୍ୟ ୮୦ ନିୟୁତ ଡଲାର ବା ୫,୮୮,୦୨,୫୨,୦୦୦ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ପୂର୍ବରୁ ମାର୍ଶଲ ଆଇଲାଣ୍ଡ ଉପକୂଳରେ ଏତେ ପରିମାଣର କୋକେନ କେବେ ମିଳି ନ ଥିଲା। ମାର୍ଶଲ ଆଇଲାଣ୍ଡ ଆଟର୍ନି ଜେନେରାଲ ରିଚାର୍ଡ ହିକ୍‌ସନ କହିଛନ୍ତି, ଦକ୍ଷିଣ କିମ୍ବା କେନ୍ଦ୍ରୀୟ ଆମେରିକାର କୌଣସି ସ୍ଥାନରୁ ଏହି ଡଙ୍ଗା ଭାସିଆସିଛି। ଏହା ଆବିଷ୍କୃତ ହେବା ପୂର୍ବରୁ ସମୁଦ୍ରରେ ଦୁଇବର୍ଷ ରହିଥିବା ମନେକରାଯାଉଛି।

Share