ଅଣଓଡ଼ିଆଙ୍କ ନିୟନ୍ତ୍ରଣରେ ନିଶା କାରବାର

ବାରିପଦା ଅଫିସ,୧୭।୭- ମୟୂରଭଞ୍ଜ ଜିଲାରେ ଚୋରା ମଦ ଓ ନିଶାଦ୍ରବ୍ୟ କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସୀମାନ୍ତ ପଶ୍ଚିମବଙ୍ଗରୁ ଏହି ଜିଲାକୁ ନକଲି ମଦ ପ୍ରସ୍ତୁତି ପାଇଁ ବ୍ୟବହୃତ ସ୍ପିରିଟ ଓ ବ୍ରାଉନସୁଗାର ଭଳି ନିଶାଦ୍ରବ୍ୟ ଚୋରାରେ ଆସୁଛି। ଜିଲାର ସମସ୍ତ ଦେଶୀ ବିଦେଶୀ ମଦ ଦୋକାନ ଓଡ଼ିଆ ଲୋକଙ୍କ ନାମରେ ଥିବା ବେଳେ ଅଧିକାଂଶ ସ୍ଥାନରେ ଅଣ ଓଡ଼ିଆ(ବିହାର ରାଜ୍ୟ ଲୋକ) ଲିଜ ନେଇ କାରବାର ଚଳାଉଛନ୍ତି। ଚୋରା ବେପାରୀଙ୍କୁ ବିଭାଗ ଧରୁଥିବା ବେଳେ ଏସଟିଏଫ୍‌ ମଧ୍ୟ କୋଟି କୋଟି ଟଙ୍କାର ବ୍ରାଉନସୁଗାର ଜବତ କରୁଥିତ୍ବା ନଜିର ରହିଛି। ପୂର୍ବ ବର୍ଷ ତୁଳନାରେ ଏପରି କାରବାର ଯଥେଷ୍ଟ ବୃଦ୍ଧି ପାଇଥିବା ବେଳେ ମାମଲା ଓ ଗିରଫଦାରୀ ମଧ୍ୟ ବଢ଼ିଛି। ଜିଲାରୁ ବାର୍ଷିକ ୩୦କୋଟିରୁ ଊର୍ଦ୍ଧ୍ୱ ଟଙ୍କା ରାଜସ୍ବ ଆଦାୟ କରାଯାଉଥିବା ବେଳେ ସ୍ବଳ୍ପ କର୍ମଚାରୀଙ୍କ ପାଇଁ ଚୋରା କାରବାର ରୋକିବାରେ ବିଭାଗ ବିଫଳ ହେଉଛି । ସୂଚନା ଅନୁଯାୟୀ, ଜିଲାର ଛୋଟବଡ଼ ବଜାର ଓ ଗାଁ ଗହଳିରେ ଥିବା ବିଭିନ୍ନ ଗ୍ରସେରି, ପାନ, ହୋଟେଲଗୁଡ଼ିକରେ ବେଆଇନ ଭାବେ ମଦ ବିକ୍ରି ହେଉଛି। ଚୋରା ମଦ ସାଙ୍ଗକୁ ନକଲି ମଦ କାରବାର ହେଉଛି। ଜିଲାରେ ୮୬ଟି ଠିପିବନ୍ଦ ବିଦେଶୀ ମଦ ଦୋକାନ, ୧୪ଟି ବାର୍‌ ଓ ୨୦ଟି ଦେଶୀ ମଦ ଭାଟି ରହିଛି । ଗତବର୍ଷ ଲକ୍‌ଡାଉନ ଓ ଶଟଡାଉନ ସତ୍ତ୍ୱେ ଜିଲାରେ ୩୦୦କୋଟି ଟଙ୍କାର ମଦ କାରବାର ହୋଇଛି । ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ୩୫୦କୋଟି ଟଙ୍କାର ମଦ କାରବାର ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରହିଛି । ତଦନୁଯାୟୀ ଗତବର୍ଷ ସରକାରଙ୍କ ତହବିଲକୁ ୩୦କୋଟି ଟଙ୍କା ରାଜସ୍ବ ମିଳିଥିବା ବେଳେ ଚଳିତବର୍ଷ ୩୫କୋଟି ଲକ୍ଷ୍ୟ ଧାର୍ଯ୍ୟ ରହିଛି। ସେହିପରି ଗତବର୍ଷ ତୁଳନାରେ ଚଳିତବର୍ଷ ଚୋରାମଦ କାରବାର ରୋକିବାରେ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି । ଗତବର୍ଷ ୧୬୪ଟି ମାମଲାରେ ୪୧ଜଣ ଗିରଫ ହୋଇଥିବା ବେଳେ ଚଳିତବର୍ଷ ଜୁନ ୧୫ତାରିଖ ସୁଦ୍ଧା ୩୫୭ଟି ମାମଲାରେ ୨୮୬ଜଣଙ୍କୁ ଗିରଫ କରାଯାଇଛି । ତେବେ କର୍ମଚାରୀ ଅଭାବ ଯୋଗୁ ଜିଲାରେ ଚୋରା ମଦ କାରବାର ବୃଦ୍ଧି ପାଉଛି। ଜିଲା ସଦର ମହକୁମାରେ ଅବସ୍ଥିତ ଅବକାରୀ ଅଧ୍ୟୀକ୍ଷକଙ୍କ କାର୍ଯ୍ୟାଳୟ ଅଧୀନରେ ବାରିପଦା, ଉଦଳା, ରାଇରଙ୍ଗପୁର ଓ କରଞ୍ଜିଆକୁ ମିଶାଇ ୪ଟି ଅବକାରୀ ରେଞ୍ଜ କାର୍ଯାଳୟ ରହିଛି। ଏହା ସହିତ ଜିଲାରେ ୨ଟି ମୋବାଇଲ ୟୁନିଟ କାର୍ଯ୍ୟ କରୁଛି । ଏହି କାର୍ଯ୍ୟାଳୟ ଗୁଡ଼ିକରେ ୨୭ କନଷ୍ଟେବଳ ପଦବୀ ଖାଲି ପଡ଼ିଛି । ସେହିପରି ଚଢ଼ାଉ ପାଇଁ ବିଭାଗ ପାଖରେ ରହିଛି ମାତ୍ର ୫ଟି ଚାରିଚକିଆ ଯାନ। ଫଳରେ ଚୋରା ମଦ ବେପାରୀଙ୍କୁ ଧରିବାରେ ଅସୁବିଧା ହେଉଛି। ବିହାରୀ ଲୋକମାନେ ପଶ୍ଚିମବଙ୍ଗରୁ ଚୋରାରେ ମଦ ତିଆରି ପାଇଁ ସ୍ପିରିଟ ଆଣି ସ୍ଥାନୀୟ ଯୁବକଙ୍କୁ ଯୋଗାଇବା ସହିତ ନାମୀଦାମୀ ବ୍ରାଣ୍ଡର ବିଦେଶୀ ମଦ ପ୍ରସ୍ତୁତ ସାମଗ୍ରୀ ଯୋଗାଉଛନ୍ତି ବୋଲି ବାରିପଦାର ଶାନ୍ତନୁ ପାଲ କହିଛନ୍ତି। ସେହିପରି ମଦ ଦୋକାନ ଲିଜ୍‌ ନେଇଥିବା ବ୍ୟକ୍ତିମାନେ ଅଣ ଓଡ଼ିଆ ଲୋକଙ୍କୁ ଦାୟିତ୍ୱ ଦେବାରୁ ନକଲି କାରବାର ବଢ଼ୁଛି। ଫଳରେ ସରକାରଙ୍କର ରାଜସ୍ବହାନୀ ହେବା ସହିତ ନକଲି ମଦ ସେବନ କରି ବହୁ ପରିବାର ସର୍ବସ୍ବାନ୍ତ ହେଉଥିତ୍ବା ଦଳିତ ଆଦିବାସୀ ମହାସଂଘର ସଭାପତି ରାକେଶ ସିଂ ପ୍ରକାଶ କରିଛନ୍ତି। ଏସଂକ୍ରାନ୍ତରେ ଅବକାରୀ ଅଧ୍ୟୀକ୍ଷକ ଅଶୋକ କୁମାର ସେଟ୍‌ଙ୍କୁ ପଚାରିବାରୁ ଚେରାବେପାରୀଙ୍କୁ ଧରିବା ପାଇଁ ବିଭାଗ ପକ୍ଷରୁ ଚଢ଼ାଉ କରାଯାଉଛି। ଖାଲି ଥିବା ପଦବୀ ପୂରଣ ସହିତ ଅଧିକ ଚାରି ଚକିଆ ଯାନ ଯୋଗାଇ ଦିଆଗଲେ ଚୋରା କାରବାର ନିୟନ୍ତ୍ରଣ କରାଯିବ ବୋଲି ସେ କହିଛନ୍ତି।