ସୁବର୍ଣ୍ଣରେଖାରେ ଗାଧୋଇବା ବେଳେ ବୁଡିଗଲେ

ଜଳେଶ୍ୱର/ରାଇବଣିଆ,୩୧ା୫(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଲକ୍ଷ୍ମଣନାଥ ପଞ୍ଚାୟତ ବିରିଶପୁର ଗାଁର ଚନ୍ଦନ ଦାସ(୨୨) ନାମକ ଜଣେ ଯୁବକ ସୁବର୍ଣ୍ଣରେଖା ନଦୀରେ ଗାଧୋଇବାକୁ ଯାଇ ପାଣିରେ ବୁଡିଯାଇଛନ୍ତି। ଖୋଜାଖୋଜି କରାଯାଇଥିଲେ ମଧ୍ୟ ତାଙ୍କ ପତ୍ତା ମିଳିନାହିଁ ।
ବନବିହାରୀଙ୍କ ଏକମାତ୍ର ପୁଅ ଚନ୍ଦନ ଗାଁର ହରିଶ କରଙ୍କ ସହ ସୁବର୍ଣ୍ଣରେଖା ନଦୀକୁ ଗାଧୋଇବାକୁ ଯାଇଥିଲେ ା ନଦୀରେ ଅଳ୍ପ ପାଣିଥିବା ଜାଣି ସେମାନେ ପହଁରିଥିଲେ। ହେଲେ ଚନ୍ଦନ ପହଁରି ନ ପାରି ବୁଡିଯାଇଥିଲେ। ହରିଶ ଗାଁକୁ ଫେରିଆସି ସରପଞ୍ଚ ରଞ୍ଜନ ମହାନ୍ତିଙ୍କୁ ଖବର ଦେଇଥିଲେ। ଗାଁରୁ ବହୁ ବ୍ୟକ୍ତି ନଦୀରେ ନୌକା ଧରି ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ ା ଶେଷରେ ଜଳେଶ୍ୱର ଦମକଳ ବାହିନୀ ପହଞ୍ଚି ସନ୍ଧ୍ୟା ପର୍ଯ୍ୟନ୍ତ ନଦୀର ବିଭିନ୍ନ ଜାଗାରେ ଖୋଜାଖୋଜି କରିଥିଲେ ମଧ୍ୟ ନିଖୋଜଙ୍କ ସନ୍ଧାନ ପାଇପାରି ନ ଥିଲେ। ଓଡ୍ରାଫ ଟିମ୍‌କୁ ଖବର ଦିଆଯାଇଥିଲା। ପୁଅକୁ ନ ପାଇ ପରିବାର ଲୋକେ ଦୁଃଖରେ ଭାଙ୍ଗିପଡିଛନ୍ତି।