ଭାସିଯାଇଥିଲେ ନଦୀରେ: ୧୨ ଘଣ୍ଟା ପରେ ମିଳିଲା ମୃତଦେହ

ମାଲକାନଗିରି,୧୪।୯(ଡି.ଏନ୍‌.ଏ.): ନଦୀରେ ଭାସିଯାଇ ୩୫ ବର୍ଷୀୟ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ମାଲକାନଗିରି ଜିଲା ମାଥିଲି ଥାନା ଅଞ୍ଚଳ କର୍ତ୍ତନପାଲି ପଞ୍ଚାୟତ ଉଦୟଗିରି ଗ୍ରାମର ମଙ୍ଗରାଜ ଭୂମିଆ।

ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର ଅପରାହ୍ନ ୩ଟାରେ ମଙ୍ଗରାଜ ସବେରୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ସେତିକିବେଳେ ସେ ପାଣିସ୍ରୋତରେ ଭାସି ଯାଇଥିଲେ। ଏହା ଜାଣି ପରିବାର ଲୋକଙ୍କ ସହ ଗ୍ରାମବାସୀ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ପାଇ ନ ଥିଲେ। ବୁଧବାର ସକାଳେ ପୁଣି ଖୋଜାଖୋଜି ଆରମ୍ଭ ହୋଇଥିଲା। ସେତିକିବେଳେ ଗାଁଠାରୁ କିଛିଦୂର ନଦୀକୂଳରୁ ମଙ୍ଗରାଜଙ୍କ ମୃତଦେହ ମିଳିଥିଲା। ଖବର ପାଇ ମାଥିଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଛି।