Categories: ଜାତୀୟ

ସୋମବାର ରାଷ୍ଟ୍ରପତି ଭାବେ ଶପଥ ନେବେ ଦ୍ରୌପଦୀ, ଦିଆଯିବ ୨୧ ତୋପସଲାମୀ

ନୂଆଦିଲ୍ଲୀ,୨୪ା୭: ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଦେଶର ସର୍ବୋଚ୍ଚ ସାମ୍ବିଧାନିକ କାର୍ଯ୍ୟାଳୟର ଶପଥ ଗ୍ରହଣ କରିବେ। ତାଙ୍କୁ ୨୧ ତୋପସଲାମୀ ଦିଆଯାଇ ଅଭିବାଦନ ଗ୍ରହଣ କରାଯିବ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ କହିଛି ଯେ, ଏହି ସମାରୋହ ସୋମବାର ସକାଳ ୧୦.୧୫ରେ ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲ୍‌ରେ ଅନୁଷ୍ଠିତ ହେବ। ଯେଉଁଠାରେ ଭାରତର ପ୍ରଧାନ ବିଚାରପତି ଏନ୍‌.ଭି ରମନା ତାଙ୍କୁ ଶପଥ ଗ୍ରହଣ କରାଇବେ।

ଶପଥ ଗ୍ରହଣ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାଷଣ ଦେବେ। ମନ୍ତ୍ରଣାଳୟ କହିଛି, ଶପଥ ଗ୍ରହଣ ସମାରୋହ ପୂର୍ବରୁ ବିଦାୟୀ ରାଷ୍ଟ୍ରପତି ଏବଂ ନିର୍ବାଚିତ ରାଷ୍ଟ୍ରପତି ଏକ ସମାରୋହରେ ପାର୍ଲାମେଣ୍ଟରେ ପହଞ୍ଚିବେ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଏମ୍‌ ଭେଙ୍କାୟା ନାଇଡୁ, ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା, ମନ୍ତ୍ରୀ ପରିଷଦ ସଦସ୍ୟ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କୂଟନୈତିକ ମିଶନର ମୁଖ୍ୟ, ପାର୍ଲାମେଣ୍ଟର ସଦସ୍ୟ ତଥା ସାମରିକ ଅଧିକାରୀମାନେ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବେ।

ସୂଚନାଯୋଗ୍ୟ, ଦ୍ରୌପଦୀ ମୁର୍ମୁ ଭାରତର ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି ହେବେ। ୬୪ ବର୍ଷୀୟ ମୁର୍ମୁ ଗୁରୁବାର ବିରୋଧୀ ରାଷ୍ଟ୍ରପତି ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନାଙ୍କୁ ପରାସ୍ତ କରି ଇତିହାସ ସୃଷ୍ଟି କରିଛନ୍ତି। ସେ ଭାରତର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ହେବେ। ନିର୍ବାଚନରେ ଏମ୍‌ପି ଏବଂ ବିଧାୟକଙ୍କ ୬୪%ରୁ ଅଧିକ ଭୋଟ୍‌ ପାଇବା ପରେ ମୁର୍ମୁ ଯଶଓ୍ବନ୍ତ ସିହ୍ନାଙ୍କ ବିପକ୍ଷରେ ଏକ ବୃହତ ବ୍ୟବଧାନରେ ଜିତିଥିଲେ। ସିହ୍ନାଙ୍କ ୩,୮୦,୧୭୭ ଭୋଟ୍‌ ତୁଳନାରେ ମୁର୍ମୁ ୬,୭୬,୮୦୩ ଭୋଟ ପାଇଥିଲେ। ସ୍ବାଧୀନତା ପରେ ଜନ୍ମ ହୋଇଥିବା ଦ୍ରୌପଦୀ ପ୍ରଥମ ରାଷ୍ଟ୍ରପତି ହେବେ। ଏଥିସହିତ ସେ ଶୀର୍ଷ ପଦବୀରେ ସର୍ବକନିଷ୍ଠ ହେବେ। ରାଷ୍ଟ୍ରପତି ହେବାରେ ସେ ଦ୍ୱିତୀୟ ମହିଳା ମଧ୍ୟ ଅଟନ୍ତି।

Share