ରେକର୍ଡ ଭାଙ୍ଗିଲା ଗ୍ରୀଷ୍ମ ପ୍ରବାହ

ଲଣ୍ଡନ,୧୨ା୮: ଲଗାତର ଅନାବୃଷ୍ଟି ଓ ଗ୍ରୀଷ୍ମ ପ୍ରବାହ ଯୋଗୁ ଇଂଲଣ୍ଡର ବିଭିନ୍ନ ଅଞ୍ଚଳରେ ମରୁଡ଼ି ଦେଖାଦେଇଛି। କ୍ରମାଗତ ୫ମାସ ଧରି ସ୍ବାଭବିକଠାରୁ କମ୍‌ ବର୍ଷା ହୋଇଛି। ଜୁଲାଇରେ ହାରାହାରି ବୃଷ୍ଟିପାତ ୩୫% ରହିଥିବା ବେଳେ ଶନିବାର କେତେକ ଭାଗରେ ତାପମାତ୍ରା ୩୭ ଡିଗ୍ରୀ ସେଲ୍‌ସିୟସ୍‌ ଛୁଇଁବା ଆଶଙ୍କା କରାଯାଉଛି। ଇଂଲଣ୍ଡ ଓ ଓ୍ବେଲ୍ସରେ ଚାରିଦିନିଆ ଚରମ ଗ୍ରୀଷ୍ମପ୍ରବାହ ଲାଗିରହିଥିବାରୁ ସତର୍କତା ଜାରି କରାଯାଇଛି। ୧୯୩୫ ପରେ ଏପରି ଶୁଷ୍କତା କେବେ ଦେଖିବାକୁ ମିଳି ନ ଥିଲା। ବ୍ରିଟେନ ସରକାର ଶୁକ୍ରବାର ଇଂଲଣ୍ଡର ଦକ୍ଷିଣ, କେନ୍ଦ୍ରୀୟ ଓ ପୂର୍ବାଞ୍ଚଳରେ ଆନୁଷ୍ଠାନିକ ଭାବେ ମରୁଡ଼ି ଘୋଷଣା କରିଛନ୍ତି। ଗ୍ଲୁସେଷ୍ଟରଶାୟାରର ପଶ୍ଚିମ ଭାଗରୁ ଦକ୍ଷିଣ ଇଂଲଣ୍ଡ ପର୍ଯ୍ୟନ୍ତ ପ୍ରବାହିତ ୩୫୬ କି.ମି. ଲମ୍ବ ଥମ୍ସ ନଦୀର ଜଳଉତ୍ସ ଶୁଷ୍କ ହୋଇଯାଇଛି। ଏଥି ସକାଶେ ସମ୍ପୃକ୍ତ ଅଞ୍ଚଳରେ ପାଣିର ଘରୋଇ ଓ ବ୍ୟବସାୟିକ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ଅର୍ଥାତ୍‌ ସାଧାରଣ ଲୋକେ ଓ କମ୍ପାନୀଗୁଡ଼ିକ ପାଣିର ଉପଯୋଗ ସରକାରଙ୍କ ହିସାବରେ କରିବେ।

Share