ବ୍ରିଟେନରେ ମରୁଡ଼ି, ଫ୍ରାନ୍ସରେ ବନାଗ୍ନି

ଲଣ୍ଡନ/ ପ୍ୟାରିସ୍‌,୧୩ା୮: ଲଗାତର ଅନାବୃଷ୍ଟି ଓ ଗ୍ରୀଷ୍ମ ପ୍ରବାହ ଯୋଗୁ ଇଂଲଣ୍ଡର ବିଭିନ୍ନ ଭାଗରେ ମରୁଡ଼ି ଦେଖାଦେଇଛି। କ୍ରମାଗତ ୫ ମାସ ଧରି ସ୍ବାଭବିକଠାରୁ କମ୍‌ ବର୍ଷା ହୋଇଛି। ଜୁଲାଇରେ ହାରାହାରି ବୃଷ୍ଟିପାତ ୩୫% ରହିଥିବାବେଳେ ଶନିବାର କେତେକ ଭାଗରେ ତାପମାତ୍ରା ୩୭ ଡିଗ୍ରୀ ସେଲ୍‌ସିୟସ୍‌ ଛୁଇଁବା ଆଶଙ୍କା କରାଯାଉଛି। ଇଂଲଣ୍ଡ ଓ ଓ୍ବେଲ୍ସରେ ଚାରିଦିନିଆ ଚରମ ଗ୍ରୀଷ୍ମପ୍ରବାହ ଲାଗିରହିଥିବାରୁ ଆଲର୍ଟ ଜାରି କରାଯାଇଛି। ୧୯୩୫ ମସିହା ପରେ ଏପରି ଶୁଷ୍କତା କେବେ ଦେଖିବାକୁ ମିଳି ନ ଥିଲା। ବ୍ରିଟେନ ସରକାର ଶୁକ୍ରବାର ଇଂଲଣ୍ଡର ଦକ୍ଷିଣ, କେନ୍ଦ୍ରୀୟ ଓ ପୂର୍ବାଞ୍ଚଳରେ ଆନୁଷ୍ଠାନିକ ଭାବେ ମରୁଡ଼ି ଘୋଷଣା କରିଛନ୍ତି। ଗ୍ଲୁସେଷ୍ଟରଶାୟାରର ପଶ୍ଚିମ ଭାଗରୁ ଦକ୍ଷିଣ ଇଂଲଣ୍ଡ ପର୍ଯ୍ୟନ୍ତ ପ୍ରବାହିତ ୩୫୬ କି.ମି. ଲମ୍ବ ଥମ୍ସ ନଦୀର ଜଳଉତ୍ସ ଶୁଷ୍କ ହୋଇଯାଇଛି। ଏଥି ସକାଶେ ସମ୍ପୃକ୍ତ ଅଞ୍ଚଳରେ ପାଣିର ଘରୋଇ ଓ ବ୍ୟବସାୟିକ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ଅର୍ଥାତ୍‌ ସାଧାରଣ ଲୋକେ ଓ କମ୍ପାନୀଗୁଡ଼ିକ ପାଣିର ଉପଯୋଗ ସରକାରଙ୍କ ହିସାବରେ କରିବେ। ଇଂଲଣ୍ଡରେ ୨୦୧୮ରେ ଶେଷ ଥର ପାଇଁ ମରୁଡ଼ି ଦେଖିବାକୁ ମିଳିଥିଲା। ଏହା ପୂର୍ବରୁ ୨୦୧୧ରେ ମଧ୍ୟ ତା’ଠୁ ବଳି ଭୟଙ୍କର ସ୍ଥିତି ଉପୁଜିଥିଲା। ଜୀବାଶ୍ମ ଇନ୍ଧନ ଜଳେଣିରୁ ଅଙ୍ଗାରକାମ୍ଳ ମାତ୍ରା ବୃଦ୍ଧି ପାଉଥିବାରୁ ଆଗକୁ ପାଗ ଆହୁରି ଖରାପ ହେବ ବୋଲି ଜଳବାୟୁ ବିଜ୍ଞାନୀମାନେ ସତର୍କ କରାଇଛନ୍ତି।
ଦକ୍ଷିଣ-ପଶ୍ଚିମରେ ଥିବା ବୋର୍ଡେଅକ୍ସ ଜଙ୍ଗଲରେ ନିଅଁ। ଲାଗିଛି। ନିଅଁ। ଲିଭାଇବା ପାଇଁ ୧,୦୦୦ରୁ ଊର୍ଦ୍ଧ୍ୱ ଅଗ୍ନିଶମ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ବନାଗ୍ନି ଯୋଗୁ ଅଦ୍ୟାବଧି ୭,୪୦୦୦ ହେକ୍ଟର (୧୮,୨୮୬ ଏକର) ଜଙ୍ଗଲ ଜଳିପୋଡ଼ି ଛାରଖାର ହୋଇଯାଇଛି। ଫଳରେ ୧୦ ହଜାରରୁ ଅଧିକ ବାସିନ୍ଦା ବାସଚ୍ୟୁତ ହୋଇ ଗଣପଳାୟନ କରିଛନ୍ତି। ପର୍ତ୍ତୁଗାଲ ଓ ସ୍ପେନ୍‌ରେ ଗ୍ରୀଷ୍ମ ପ୍ରବାହ ଯୋଗୁ ୧,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି।

Share