Categories: ଜାତୀୟ

ଅଯୋଧ୍ୟାକୁ ଜଗିଛି ଡ୍ରୋନ୍‌

ଅଯୋଧ୍ୟା,୩ା୮: ବୁଧବାର ହେବାକୁ ଥିବା ରାମମନ୍ଦିର ଭୂମି ପୂଜନ ଉତ୍ସବକୁ ଦୃଷ୍ଟିରେ ରଖି ଅଯୋଧ୍ୟା ନଗରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଥିବାରୁ ଭିଆଇପି ରୁଟ୍‌ଗୁଡ଼ିକୁ ଡ୍ରୋନ୍‌ ଜରିଆରେ ନଜର ରଖାଯାଇଛି। ଅଯୋଧ୍ୟାରେ ରହୁଥିବା ଲୋକଙ୍କ ଗତିବିଧି ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି।
ବିଭିନ୍ନ ସ୍ଥାନରେ ସୁରକ୍ଷା ବନ୍ଦୋବସ୍ତ ସହ କୋଭିଡ୍‌-୧୯ ପ୍ରୋଟୋକଲ ଓ ନିବାରଣ ପଦକ୍ଷେପକୁ ଗୁରୁତ୍ୱ ଦିଆଯାଇଛି। ଅଯୋଧ୍ୟା ରେଞ୍ଜ ପୋଲିସ ଡିଆଇଜି ଦୀପକ କୁମାର କହିଛନ୍ତି, ଭୂମି ପୂଜନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତି ଦୃଷ୍ଟିରୁ ସମସ୍ତ ପ୍ରକାର ପ୍ରୋଟୋକଲର ଅନୁପାଳନ କରାଯିବ। କୋଭିଡ୍‌ ଓ୍ବାରିୟରମାନେ ମଧ୍ୟ ମୁତୟନ ହେବେ। ବାହାରକୁ ନ ବାହାରିବା ପାଇଁ ଲୋକଙ୍କୁ ଅନୁରୋଧ କରାଯାଇଛି। ୫ରୁ ଅଧିକ ଲୋକ ଗୋଟିଏ ସ୍ଥାନରେ ଏକତ୍ରିତ ହୋଇପାରିବେ ନାହିଁ। କେବଳ କରୋନା ନେଗେଟିଭ୍‌ ବାହାରିଥିବା ୪୫ ବର୍ଷରୁ କମ୍‌ ବୟସର ପୋଲିସ କର୍ମଚାରୀ ସୁରକ୍ଷା ଦାୟିତ୍ୱରେ ରହିବେ। ଏହାବାଦ୍‌ ସ୍ବତନ୍ତ୍ର ଅପରେଶନ ଗ୍ରୁପ୍‌ (ଏସ୍‌ଓଜି) ଅଧିକାରୀମାନେ ଆଭ୍ୟନ୍ତରୀଣ ସୁରକ୍ଷା ଦାୟିତ୍ୱ ବହନ କରିବେ ବୋଲି ଉତ୍ତରପ୍ରଦେଶ ପୋଲିସ ମହାନିର୍ଦ୍ଦେଶକ ହିତେଶ ଚନ୍ଦ୍ର ଅଶ୍ୱସ୍ତି ସୂଚନା ଦେଇଛନ୍ତି।

Share