Categories: ଜାତୀୟ

ଗଣତନ୍ତ୍ର ଦିବସରେ ସାମିଲ ହେବ ମଣିଷକୁ ନେଇ ଉଡୁଥିବା ଡ୍ରୋନ୍‌

ନୂଆଦିଲ୍ଲୀ,୨୪ ।୧: ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଦ୍ରୁତ ଗତିରେ ଆଗକୁ ବଢୁଛି । ଏମିତି ଦିନ ଥିଲା ଯେତେବେଳେ ଆମେ ମିଶାଇଲ ଓ ଅସ୍ତ୍ରଶସ୍ତ୍ର ପାଇଁ ରୁଷିଆ ଓ ଫ୍ରାନ୍ସ ଉପରେ ନିର୍ଭର କରୁଥିଲେ, ହେଲେ ଆଜି ଆମ ଦେଶରେ ବଡ ବଡ ଯୁଦ୍ଧ ପୋତ ଓ ବୁଡା ଜାହାଜ ନିର୍ମାଣ କରାଯାଉଛି । ଏହାସହ ଦେଶର ଯୁବକ ଷ୍ଟାଟଅପ ମାଧ୍ୟମରେ ଏମିତି ଆଧୁନିକ ଅସ୍ତ୍ର ଓ ଡ୍ରୋନ୍ ତିଆରି କରୁଛନ୍ତି, ଯାହାର କଳ୍ପନା ପୂର୍ବରୁ କେହି କେବେ କରି ନ ଥିଲେ । ହେଲେ ଏବେ ଏହାକୁ ବାସ୍ତବ କରି ଦେଖାଇଛି ସାଗର ଡିଫେନ୍ସ ଇଞ୍ଜିନିୟରିଂ । ଏହା ଏବେ ଡିଆରଡିଓ ସହ ମିଶି ପ୍ରତିରକ୍ଷା କ୍ଷେତ୍ର ପାଇଁ ଦ୍ରୁତ ଗତିରେ କାମ କରୁଛି ।

ସାଗର ଡିଫେଡ୍ସ ଇଞ୍ଜିନିୟରିଂ ଏମିତି ଏକ ଡ୍ରୋନ ତିଆରି କରିଛି ଯେଉଁଥିରେ ମଣିଷ ବସି ଉଡିପାରିବ । ଏହି ଡ୍ରୋନର ନାମ ‘ବରୁଣ’ ରଖାଯାଇଛି । ଆସନ୍ତା ୨୬ ତାରିଖ ଅର୍ଥାତ୍ ଗଣତନ୍ତ୍ର ଦିବସ ସମାରୋହରେ ଏହି ଡ୍ରୋନର ଶକ୍ତି ଦିଲ୍ଲୀର କର୍ତ୍ତବ୍ୟପଥରେ ହେବାକୁ ଯାଉଥିବା ପରେଡରେ ପ୍ରଦର୍ଶନ କରାଯିବ । ଏହି ଡ୍ରୋନର ବିଶେଷତ୍ୱ ହେଉଛି ଏହା ମଣିଷକୁ ନେଇ ଉଡୁଥିବା ଭାରତର ପ୍ରଥମ ଡ୍ରୋନ୍‌, ଯେଉଁଥିରେ କୌଣସି ପାଇଲଟ ଅବା ଏକ୍ସପର୍ଟଙ୍କର ଆବଶ୍ୟକତା ନାହିଁ । ଏହି ଡ୍ରୋନର ଟ୍ରାଏଲ ୧୮ ଜୁଲାଇ ୨୦୨୨ରେ କରାଯାଇଥିଲା । ଏହି ଟ୍ରାଏଲ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉପସ୍ଥିତ ଥିଲେ ।

Share