ପୁରୀ,୨୨ା୧(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ସୁରକ୍ଷାରେ ବାରମ୍ବାର ତ୍ରୁଟି ଦେଖିବାକୁ ମିଳୁଛି। କିଛି ଦିନ ବ୍ୟବଧାନରେ ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ଡ୍ରୋନ୍ ଉଡୁଥିବା ଦେଖିବାକୁ ମିଳୁଛି। ତେବେ ପୋଲିସ ଉକ୍ତ ଡ୍ରୋନ୍ ଜବତ କରିବା ସହ ଡ୍ରୋନ୍ ଚଳାଉଥିବା ବ୍ୟକ୍ତିଙ୍କୁ କାବୁ କରିଛନ୍ତି। ବୁଧବାର ଅପରାହ୍ନରେ ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳ ଅଞ୍ଚଳରେ ଡ୍ରୋନ୍ ଉଡ଼ୁଥିବା ଦେଖିବାକୁ ମିଳିଥିଲା। ଡ୍ରୋନ ଉଡ଼ିଥିବା ନେଇ ପୋଲିସ ଜାଣିବା ପରେ ପୋଲିସର ସ୍ବତନ୍ତ୍ର ଟିମ୍ ଡ୍ରୋନର ପିଛା କରି ଡ୍ରୋନ୍ଟିକୁ ଦୋଳମଣ୍ଡଳ ସାହି ଜହ୍ନିମୁଣ୍ଡିଆ ଛକ ନିକଟରୁ କାବୁ କରିବାରେ ସଫଳ ହୋଇଛି। ଏଥିସହ ଡ୍ରୋନ୍ ଉଡାଉଥିବା ବ୍ୟକ୍ତିଙ୍କୁ ମଧ୍ୟ ଅଟକ ରଖି ପଚରାଉଚରା କରୁଛି। ତେବେ ଏନେଇ ପୋଲିସ ପକ୍ଷରୁ କୁହାଯାଇଛି କି ପୁରୀ ଶ୍ରୀମନ୍ଦିର ପରିକ୍ରମା ପରିସରରେ ବୁଧବାର ଏକ ଡ୍ରୋନ୍ ଉଡୁଥିବା ଖବର ନଜରକୁ ଆସିଥିଲା। ଖବର ନଜରକୁ ଆସିବା ପରେ ଏସ୍ପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶ କ୍ରମେ ସିଂହଦ୍ୱାର ଥାନା ସମେତ ଅନ୍ୟ ଏକ ସ୍ବତନ୍ତ୍ର ଟିମ୍ ଡ୍ରୋନ୍କୁ କାବୁ କରିଛି। ଦୁଇଟି ଯାକ ଟିମ୍ ପୁରୀ ଦୋଳମଣ୍ଡପ ସାହି ଜହ୍ନିମୁଣ୍ଡିଆ ନିକଟରୁ ଡ୍ରୋନ୍କୁ କାବୁ କରିଥିଲେ। ତେବେ ଡ୍ରେନ୍ଟିକୁ ଉଡ଼ାଉଥିବା ବ୍ୟକ୍ତିଜଣଙ୍କ କଟକର ମଧୁସୂଦନ ଷଡ଼ଙ୍ଗୀ (୨୫)ବୋଲି ଜଣାଯାଇଛି। ସିଂହଦ୍ୱାର ପୋଲିସ ଯୁବକଙ୍କୁ ଥାନାରେ ଅଟକ ରଖିବା ସହ ଡ୍ରୋନ୍କୁ ଜବତ କରି ତଦନ୍ତ ଜାରି ରଖିଛି। ତେବେ ପୋଲିସର ପ୍ରଶାସନର ଏତେ ସୁରକ୍ଷା ସତ୍ତ୍ୱେ ଅନେକ ସମୟରେ ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳ ଅଞ୍ଚଳରେ ଡ୍ରୋନ୍ ଉଡ଼ିଥିବା ଦେଖିବାକୁ ମିଳୁଛି। ତେଣୁ ଏଥିପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି କରାଯାଇଛି।

