ରାଜ୍ୟରେ ସ୍ବୟଂଚାଳିତ ହେବ ଡ୍ରାଇଭିଂ ଟେଷ୍ଟ୍‌

ଭୁବନେଶ୍ୱର, ୨।୩(ବ୍ୟୁରୋ): ରାଜ୍ୟରେ ସ୍ବୟଂଚାଳିତ ହେବ ଡ୍ରାଇଭିଂ ଟେଷ୍ଟ୍‌। ଯାନଚାଳନା ବା ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କ୍ଷେତ୍ରରେ ସ୍ବଚ୍ଛତା ଏବଂ ଦକ୍ଷତାକୁ ଦୃଷ୍ଟିରେ ରଖି ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏହି ପରୀକ୍ଷା ପଦ୍ଧତି ଲାଗୁ କରାଯିବ। ଏଥିପାଇଁ ବୁଧବାର ଖାରବେଳ ଭବନଠାରେ ଓଡ଼ିଶା ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏବଂ ମେସର୍ସ ଅକ୍ଷରା ନିପୁନ ଜେଭି ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁଙ୍କ ଉପସ୍ଥିତିରେ ଏହି ସ୍ବାକ୍ଷରିତ କାର୍ଯ୍ୟକ୍ରମ ହୋଇଥିଲା। ଏହି ବ୍ୟବସ୍ଥା ପ୍ରଚଳନ ହେଲେ ଉତ୍ତମ ଓ ଶୃଙ୍ଖଳିତ ଯାନଚାଳକମାନେ ଲାଇସେନ୍ସ ପାଇବେ। ଏହାଦ୍ୱାରା ସଡ଼କ ଦୁର୍ଘଟଣା ହ୍ରାସ ପାଇବ ବୋଲି ମନ୍ତ୍ରୀ କହିଛନ୍ତି। ବିଭାଗୀୟ ସଚିବ ଉଷା ପାଢ଼ୀ କହିଲେ, ଓଡ଼ିଶାର ୮୫ ପ୍ରତିଶତ ବ୍ୟକ୍ତି ସଡ଼କ ପରିବହନ ଉପରେ ନିର୍ଭର କରିଥାନ୍ତି। ସେମାନଙ୍କର ନିରାପତ୍ତା ଦାୟିତ୍ୱ ଡ୍ରାଇଭରଙ୍କ ଉପରେ ନ୍ୟସ୍ତ। ରାଜ୍ୟରେ ସ୍ବୟଂଚାଳିତ ଯାନଚାଳନା ପରୀକ୍ଷା ପଦ୍ଧତି କାର୍ଯ୍ୟକାରୀ ହେଲେ ଆମେ ଦକ୍ଷ ଯାନଚାଳକ ପାଇପାରିବା।

ବର୍ତ୍ତମାନ ଡ୍ରାଇଭିଂ ଲାଇସେନ୍ସ ପାଇବାକୁ ହେଲେ ଆବେଦନକାରୀଙ୍କୁ ମୋଟର ଯାନ ଇନ୍ସପେକ୍ଟରଙ୍କ ଉପସ୍ଥିତିରେ ପରୀକ୍ଷା ଦେବାକୁ ପଡ଼ୁଛି। କିନ୍ତୁ ସ୍ବୟଂଚାଳିତ ପରୀକ୍ଷା ପଦ୍ଧତି କାର୍ଯ୍ୟକାରୀ ହେଲେ ଯାନଚାଳନା ପରୀକ୍ଷା ସମୟରେ ଟ୍ରାକ୍‌ରେ ପ୍ରବେଶଠାରୁ ଆରମ୍ଭ କରି ଏହାର ସମସ୍ତ ପର୍ଯ୍ୟାୟ ଡିଜିଟାଲ ପଦ୍ଧତି ମାଧ୍ୟମରେ ନିର୍ଣ୍ଣୟ କରାଯିବ। ଟ୍ରାକ୍‌ରେ ଫିଟ୍‌ ହୋଇଥିବା ଡିଜିଟାଲ ଟେଷ୍ଟିଂ ସେନ୍ସରଗୁଡ଼ିକ ଏହା ଉପରେ ନଜର ରଖିବ ଏବଂ ଡ୍ରାଇଭରଙ୍କ ଦକ୍ଷତାକୁ ବିଚାର କରିବ। ପ୍ରଥମ ପର୍ଯ୍ୟାୟରେ ଅନୁଗୋଳ, ବାରିପଦା, ଭଦ୍ରକ, ବଲାଙ୍ଗୀର, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ନୟାଗଡ଼, ଫୁଲବାଣୀ, ରାଇରଙ୍ଗପୁର, ରାଉରକେଲା, ସୁନ୍ଦରଗଡ଼, ତାଳଚେର, କେନ୍ଦୁଝର, ମାଲକାନଗିରି, ନୂଆପଡ଼ା, ଭଞ୍ଜନଗର, ନବରଙ୍ଗପୁର ଏବଂ ସୋନପୁର ଆଦି ୧୯ଟି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆର୍‌ଟିଓ)ରେ ଏହି ଡ୍ରାଇଭିଂ ପରୀକ୍ଷଣ ଟ୍ରାକ୍‌ ସ୍ଥାପନ କରାଯିବ। ଏହି ପ୍ରକଳ୍ପକୁ ୧୦ମାସ ମଧ୍ୟରେ ସମ୍ପୂର୍ଣ୍ଣ କରାଯାଇ କାର୍ଯ୍ୟକ୍ଷମ କରିବା ନିମନ୍ତେ ବୁଝାମଣାପତ୍ରରେ ଉଲ୍ଲେଖ କରାଯାଇଛି।