ବ୍ୟବସାୟୀଙ୍କଠାରୁ ୩.୭ ଲକ୍ଷ ଲୁଟ ପଛରେ ଗାଡ଼ି ଡ୍ରାଇଭର

ଗଞ୍ଜାମ,୧୩।୧୨(ଡି.ଏନ.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କଠାରୁ ହୋଇଥିବା ଲକ୍ଷାଧିକ ଟଙ୍କା ଲୁଟ ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି । ବ୍ୟବସାୟୀଙ୍କ ପିକ୍‌ଅପ୍‌ ଭ୍ୟାନ ଗାଡ଼ି ଡ୍ରାଇଭର ଏହି ଲୁଟ୍‌ ମାମଲାର ମାଷ୍ଟର ମାଇଣ୍ଡ ବୋଲି ରମ୍ଭା ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଆଡିସନାଲ ଏସ୍‌ପି ଠାକୁର ପ୍ରସାଦ ପାତ୍ର ଏହି ସୂଚନା ଦେଇଛନ୍ତି।

ଗାଡ଼ି ଡ୍ରାଇଭର ଦୁର୍ବୃତ୍ତମାନଙ୍କ ସହ ମିଶି ବ୍ୟବସାୟୀଙ୍କୁ ଭୁଜାଲିରେ ଆକ୍ରମଣ କରି ୩ ଲକ୍ଷ ୭୦ ହଜାର ଟଙ୍କା ଲୁଟି ନେଇଥିଲେ। ଅନ୍ୟପକ୍ଷେ ଗାଡି ଡ୍ରାଇଭର ଦୁର୍ବୃତ୍ତଙ୍କୁ ଧରିବାକୁ ଅଭିନୟ କରିଥିବା ବେଳେ ତାଙ୍କ ସହ ୫୦ ହଜାର ଟଙ୍କା ଡିଲ୍‌ ହୋଇଥିବା ପୋଲିସ ଜାଣିବାକୁ ପାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ପୁରୀ ଜିଲା କୃଷ୍ଣ ପ୍ରସାଦଗଡ଼ ଥାନା ଅଧୀନ ତିତିପି ଗ୍ରାମର ଗୌତମ ଜେନା, ଦୀନବନ୍ଧୁ ପଲେଇ, ଦେଉଳପଡ଼ା ଗ୍ରାମର ଗାଡି ଡ୍ରାଇଭର ମାନସ ପାହାନ। ପୋଲିସ ତାଙ୍କଠାରୁ ଲୁଟ ହୋଇଥିବା ଟଙ୍କା ଓ ମାରଣାସ୍ତ୍ର ଜବତ କରିଛି।

ସୂଚନାଯାଗ୍ୟ, ରବୀନ୍ଦ୍ର ସାହୁ ଗତ ୧୦ ତାରିଖରେ ପିକ୍‌ଅପ୍‌ରେ ଲକ୍ଷାଧିକ ଟଙ୍କା ଧରି ଡ୍ରାଇଭରଙ୍କ ସହ ବ୍ରହ୍ମପୁର ଯାଉଥିଲେ। ଯୋଜନା ମୁତାବକ ପ୍ରୟାଗୀ ଓ ଅରୁଣପୁର ରାସ୍ତାର ସାହେବ କେନାଲ ଶଙ୍ଖ ନିକଟରେ ଏକ ବାଇକ୍‌ରେ ୨ଜଣ ଯୁବକ ଆସି ଗାଡିକୁ ଅଟକାଇଥିଲେ। ପରେ ରବୀନ୍ଦ୍ରଙ୍କୁ ଆକ୍ରମଣ କରି ଟଙ୍କା ବ୍ୟାଗ୍‌ ଛଡାଇ ଫେରାର ହୋଇଯାଇଥିଲେ। ଏନେଇ ପୋଲିସ ଏକ ମାମଲା(ନଂ.୫୬୩/୨୧) ରୁଜୁ କରି କରିଛି।