Categories: ଜାତୀୟ

ଟ୍ରେନ ଚାଳକଙ୍କୁ କଚୋରି ପ୍ରେମ ପଡ଼ିଲା ମହଙ୍ଗା

ଜୟପୁର,୨୩।୨: ଜଣେ ଲୋକୋ ପାଇଲଟ୍‌ ଟ୍ରେନ ସହ ଏକ ରେଲଓ୍ବେ କ୍ରସିଂରେ ବାଧକ ସାଜନ୍ତି। ଉଭୟ ପାର୍ଶ୍ୱରେ ଅପେକ୍ଷା କରିଥାନ୍ତି ଶତାଧିକ ଯାତ୍ରୀ। ଜଣେ ବ୍ୟକ୍ତି ଇଞ୍ଜିନ କମ୍ପାର୍ଟମେଣ୍ଟ ପାଖକୁ ଯାଇ ଅଲଓ୍ବାରର ଲୋକପ୍ରିୟ କଚୋରି ପ୍ୟାକେଟ୍‌ ଦିଅନ୍ତି। ଏହାପରେ ହର୍ନ ଦେଇ ଟ୍ରେନ ଆଗକୁ ଗଡ଼ି ଚାଲେ। ଏଭଳି ହତବାକ କଲା ଭଳି ଘଟଣା ପ୍ରାୟ ପ୍ରତ୍ୟେକ ଦିନ ସକାଳେ ଅଲଓ୍ବାରର ଦାଉଦପୁର କ୍ରସିଂରେ ଦେଖିବାକୁ ମିଳେ।

ଏହି ଘଟଣାର ଭିଡିଓ ଭାଇରାଲ ହୋଇ ନ ଥିଲେ ଉକ୍ତ ଲୋକ ପାଇଲଟ୍‌ ପ୍ରତ୍ୟେକ ଦିନ ତାଙ୍କର ବେପରୁଆ ଆଚରଣ ଜାରି ରଖିଥାନ୍ତେ।

ରିପୋର୍ଟ ଅନୁଯାୟୀ, ପ୍ରତ୍ୟେକ ଦିନ ସକାଳ ୮ଟାରେ କ୍ରସିଂ ଗେଟ ବନ୍ଦ କରି ଦିଆଯାଏ। ଯାହା ଫଳରେ ଟ୍ରେନ ଡ୍ରାଇଭରଙ୍କୁ ଜଳଖିଆ ଦିଆଯାଇପାରିବ। କ୍ରସିଂରେ ମୁତୟନ ଥିବା ରେଲଓ୍ବେ କର୍ମୀଚାରୀ ପାଖ ଦୋକାନରୁ କଚୋରି କିଣି ଡ୍ରାଇଭରଙ୍କୁ ଦିଅନ୍ତି। ଡ୍ରାଇଭରଙ୍କ ଜଳଖିଆ ପାଇଁ ପ୍ରତ୍ୟେକ ଦିନ ଶତାଧିକ ଯାତ୍ରୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା।

ଘଟଣା ଭିଡିଓ ଭାଇରାଲ ହେବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲା ଇଣ୍ଡିଆନ ରେଲଓ୍ବେ। ତଦନ୍ତ ପରେ ଜୟପୁରର ରେଲଓ୍ବେ ମ୍ୟାନେଜର ନରେନ୍ଦ୍ର କୁମାର ୫ ଜଣଙ୍କୁ ସସ୍‌ପେଣ୍ଡ କରିଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ଦୁଇ ଲୋକୋ ପାଇଲଟ୍‌, ଦୁଇ ଗେଟମ୍ୟାନ ଓ ଜଣେ ଇନଷ୍ଟ୍ରକ୍ଟର।

Share