ଡ୍ରାଇଭରଙ୍କ ରହସ୍ୟମୟ ନିଖୋଜ ଘଟଣା: ଏ ଥାନାରୁ ସେ ଥାନାକୁ ଦୌଡିଦୌଡି ବଞ୍ଚାଇ ପାରିଲେନି ସ୍ତ୍ରୀ, ଶେଷରେ…

ଦିଗପହଣ୍ଡି,୩|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମର ଗାଡ଼ି ଚାଳକ ବାପୁଜୀ ସ୍ୱାଇଁ ଗତ ୯ ଦିନ ହେଲା  ରହସ୍ୟଜନକ ଭାବେ ନିଖୋଜ  ହୋଇଯାଇଥିଲେ। ତାଙ୍କର ଗୋଟିଏ ପୁଅ ଓ ୨ ଝିଅ ଥିବା ବେଳେ  ଗତ ୯ ତାରିଖରୁ   ତାଙ୍କ ପତ୍ତା ମିଳିନଥିଲ। ତାଙ୍କ ସ୍ୱାମୀଙ୍କୁ ଛତ୍ରପୁର ଅଞ୍ଚଳର ଜଣେ ଟ୍ରକ୍ ମାଲିକ ଅପହରଣ କରି ରଖିଥିବାର ସଙ୍ଗୀନ ଅଭିଯୋଗ କରିଥିଲେ ତାଙ୍କ  ସ୍ତ୍ରୀ ପ୍ରଭାସିନୀ ସ୍ବାଇଁ।

ଶୁକ୍ରବାର ସକାଳେ ତାଙ୍କ ରକ୍ତାକ୍ତ ମୃତଦେହ ଆନ୍ଧ୍ରପ୍ରଦେଶ ପଲାସା ଟ୍ରେନ ଲାଇନ ନିକଟ ଏକ ଜଙ୍ଗଲରୁ ମିଳିଥିବା ଖବର ମିଳିଛି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ନିଖୋଜ ଥିବା ଗାଡ଼ି ଚାଳକ  ବାପୁଜୀ  ଛତ୍ରପୁରର ଜଣେ ଟ୍ରକ୍ ମାଲିକଙ୍କ ପାଖରେ ଡ୍ରାଇଭର ଭାବେ କାମ କରୁଥିଲେ। ବାପୁଜୀ ବ୍ରହ୍ମପୁର ସଦର ଥାନା ଆଙ୍କୁଶପୁର ଗ୍ରାମର ଏକ ଭଡ଼ା ଘରେ ପରିବାର ସହ ରହୁଥିଲେ।  ସ୍ତ୍ରୀ ଙ୍କ କହିବା ଅନୁଯାୟୀ, ଗତ ଜୁନ୍ ୨୫ ତାରିଖ ସକାଳେ ସେ ଛତ୍ରପୁର ସ୍ଥିତ ଟ୍ରକ୍ ମାଲିକଙ୍କ ପାଖକୁ ଯାଉଥିବା କହି ଘରୁ ଯାଇଥିଲେ। ଛତ୍ରପୁରରୁ ଟ୍ରକ୍ ନେଇ ଆନ୍ଧ୍ରପ୍ରଦେଶ ଅଭିମୁଖେ ଯାଇଥିଲେ। ସେହିଦିନ ରାତି ପ୍ରାୟ ୮ଟାରେ ବାପୁଜୀ ସ୍ତ୍ରୀଙ୍କ ସହ  ଶେଷ ଥର ପାଇଁ ମୋବାଇଲ ରେ କଥା ହୋଇଥିଲେ। ପରେ ଭୋର ପ୍ରାୟ ୬ ଟାରେ ସ୍ତ୍ରୀ ପ୍ରଭାସିନୀ ତାଙ୍କ ସହ କଥା ହେବାପାଇଁ ଫୋନ୍ କରିବାରୁ ସ୍ଵାମୀଙ୍କ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ହୋଇଯାଇଥିଲା । ଉକ୍ତ ଟ୍ରକ୍ ଟି ଗୋଳନ୍ଥରା ଥାନା ନିକଟ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ଥିବା ଜଣାପଡିଥିଲା। ଟ୍ରକ୍ ରେ ଚାବି ଲାଗିଥିବା ବେଳେ ସେଠାରେ ତାଙ୍କ ଚପଲ ପଡ଼ି ରହିଥିଲା। ଖବରପାଇ ସ୍ତ୍ରୀ ପ୍ରଭାସିନୀ ଗୋଳନ୍ଥରା ଥାନାକୁ ଯାଇ ଏତଲା ଦେଇଥିଲେ। ସେଠାକାର ପୋଲିସ ଏତଲା ଗ୍ରହଣନକରି ତାଙ୍କୁ ଛତ୍ରପୁର ଥାନାକୁ ଯାଇ ଏତଲା ଦେବାକୁ ପରାମର୍ଶ ଦେଇ ଫେରାଇ ଦେଇଥିଲେ। ସେ ଛତ୍ରପୁର ଥାନାକୁ ଯିବାରୁ ଜଣେ ପୋଲିସ ଅଧିକାରୀ ସମୁଦାୟ ଘଟଣା ତାଙ୍କଠାରୁ ଶୁଣିବା ପରେ ଦିଗପହଣ୍ଡି ଥାନାକୁ ଯାଇ ସେଠାରେ ରିପୋର୍ଟ ଦେବାକୁ କହିଥିଲେ।

ସେ ନିରୁପାୟ ହୋଇ ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେବାରୁ ଯେହେତୁ ତୁମ ସ୍ବାମୀ ଛତ୍ରପୁରରୁ ଟ୍ରକ୍ ନେଇ ଆନ୍ଧ୍ର ଯାଉଥିଲେ। ତେଣୁ ଛତ୍ରପୁର ପୋଲିସ ହିଁ ଏହାର ତଦନ୍ତ କରିବ କହି ଜଣେ ପୋଲିସ କର୍ମଚାରୀ ତାଙ୍କୁ ଫେରାଇ ଦେଇଥିଲେ। ସ୍ତ୍ରୀ ପ୍ରଭାସିନୀଙ୍କ ଅଭିଯୋଗ ଅନୁସାରେ ଟ୍ରକ୍ ମାଲିକ ଏବଂ ତାଙ୍କର ଜଣେ ପୁରୁଣା ଡ୍ରାଇଭର ବାବୁଲା ମିଶି ବାପୁଜୀଙ୍କୁ ଅପହରଣ କରି କେଉଁ ଆଡେ ନେଇଯାଇଥିଲେ  । ସ୍ୱାମୀଙ୍କ ସନ୍ଧାନ ପାଇଁ ସେ  ଛତ୍ରପୁର ଥାନାକୁ ଯାଇ ଏତଲା ଦେଇଥିଲେ । ସେ  ଗୋଟିଏ ଥାନାରୁ ଅନ୍ୟ ୩ ଥାନାକୁ ଦୌଡ଼ି ଦୌଡ଼ି ଶେଷରେ ତାଙ୍କ ମୃତଦେହ ପାଇଥିବା କହିଛନ୍ତି। ବାପୁଜୀଙ୍କୁ କିଏ କାହିଁକି ଅପହରଣ କରିଥିଲେ। ତାଙ୍କୁ କେହି କଣ ପାଇଁ ହତ୍ୟା କଲେ ସେ ନେଇ ଛତ୍ରପୁର ପୋଲିସ ତଦନ୍ତ ଚଳାଇଛନ୍ତି।ଅପରପକ୍ଷରେ ଆନ୍ଧ୍ର ପ୍ରଦେଶ ପଲାସା ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ପୋଲିସର ତଦନ୍ତରେ ଅବହେଳା କାରଣରୁ ବାପୁଜୀଙ୍କୁ ଅପହରଣକାରୀ ମାନେ ହତ୍ୟା କରିଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

Dharitri – Odisha’s No.1 Odia Daily

Share