ବେଆଇନ ମୋରମ ଚାଲାଣ ବେଳେ ଓଲଟିଲା ହାଇଓ୍ବା, ଚାପି ହୋଇଗଲେ ଡ୍ରାଇଭର

ପୁରୁଷୋତ୍ତମପୁର,୨୧ା୧୨(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଓ ତହସିଲ ଅନ୍ତର୍ଗତ ଭୂତସରସିଙ୍ଗି ପଞ୍ଚାୟତର ଝରଣ ପାହାଡ଼ରୁ ଗୁରୁବାର ବେଆଇନ ଭାବେ ମୋରମ ଚୋରା ଚଲାଣ ବେଳେ ଓଡି ୦୭ ଏ ଏଚ୍‌ ୩୩୨୭ ନମ୍ବର ବିଶିଷ୍ଟ ହାଇଓ୍ବାଟି ଓଲଟି ପଡ଼ିଛି। ଫଳରେ ହାଇଓ୍ବା ତଳେ ଚାପିହୋଇ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ମୃତ ଡ୍ରାଇଭର ଜଣକ ପୁରୁଷୋତ୍ତମପୁରର ସଞ୍ଜୟ ସାହୁ(୩୧) ବୋଲି ଜଣାପଡ଼ିଛି।

ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରୁ ମାଫିଆ ଜଣକ ଜେସିବି ଓ ଅନ୍ୟ ଗାଡ଼ିକୁ ଧରି ଚମ୍ପଟ ମାରିଥିଲେ। ଖବର ପାଇ ପୁରୁଷୋତ୍ତମପୁର ପୋଲିସ ଘଟଣାସ୍ଥଳକୁ ଯାଇ ଜେସିବି ସାହାଯ୍ୟରେ ଟ୍ରକତଳୁ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣି ତଦନ୍ତ ଚଲାଇଛି।