ପରଲୋକରେ ଦୃଶ୍ୟମ ନିର୍ଦ୍ଦେଶକ

ମୁମ୍ବାଇ,୧୭।୮: ଚଳିତ ବର୍ଷ ବଲିଉଡ୍‌ ପାଇଁ ଏକ କଳା ବର୍ଷ ସାଜିଛି। ଗତ କିଛି ମାସ ହେଲା ବଲିଉଡ୍‌ର କେତେକ ଜଣାଶୁଣା ସେଲିବ୍ରିଟିଙ୍କ ସମେତ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ପରଲୋକ ଘଟିଛି। ଇତିମଧ୍ୟରେ ସୋମବାର ବଲିଉଡ୍‌ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ସୁପରହିଟ ଫିଲ୍ମ ‘ଦୃଶ୍ୟମ’ର ନିର୍ଦ୍ଦେଶକଙ୍କ ପରଲୋକ ଘଟିଛି। ୫୦ ବର୍ଷୀୟ ନିଶିକାନ୍ତ କାମତଙ୍କ ଦେହାନ୍ତ ହୋଇଥିବା ନେଇ ବଲିଉଡ୍‌ ଅଭିନେତା ରିତେଶ ଦେଶମୁଖ ଟୁଇଟ କରି ସୂଚନା ଦେଇଛନ୍ତି। ଏଥିସହ ସେ ତାଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି। ଏହାପରେ ବଲିଉଡ୍‌ରେ ଶୋକର ଛାୟା ଖେଳିଯାଇଛି। ସୂଚନାଯୋଗ୍ୟ, ବେଶ୍‌ ଜଣାଶୁଣା ନିର୍ଦ୍ଦେଶକ ନିଶିକାନ୍ତ ଲିଭର ରୋଗରେ ପୀଡ଼ିତ ଥିବା ବେଳେ ଗତ କିଛି ସମୟରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଥିଲା। ତାଙ୍କୁ ହାଇଦ୍ରାବାଦର ଏକ ହସ୍ପିଟାଲର ଭେଣ୍ଟିଲେଟରରେ ରଖାଯାଇଥିଲା। ତେବେ ଚିକିତ୍ସାଧିନ ଅବସ୍ଥାରେ ସୋମବାର ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ନିଧନରେ ଅଜୟ ଦେବଗନଙ୍କ ସମେତ ବଲିଉଡ୍‌ ସେଲିବ୍ରଟିମାନେ ଶୋକ ପ୍ରକାଶ କରିଛନ୍ତି। ସୂଚନା ମୁତାବକ ୨୦୦୫ରେ ମରାଠି ଫିଲ୍ମ ‘ଡୋମ୍ବିଓ୍ବଲି ଫାଷ୍ଟ’ ଜରିଆରେ ନିଶିକାନ୍ତ ନିର୍ଦ୍ଦେଶନାରେ ଡେବ୍ୟୁ କରିଥିଲେ। ତାଙ୍କର ଏହି ପ୍ରଥମ ଫିଲ୍ମ ମରାଠି ବେଷ୍ଟ ଫିଚର ଫିଲ୍ମର ନ୍ୟାସନାଲ ଆଓ୍ବାର୍ଡ ହାତେଇଥିଲା। ଏହି ଫିଲ୍ମ ସେହି ବର୍ଷର ସବୁଠାରୁ ସୁପରହିଟ୍‌ ଫିଲ୍ମ ରହିଥିଲା। ତେବେ ବଲିଉଡ୍‌ରେ ତାଙ୍କୁ ୨୦୧୫ରେ ଅଜୟ ଓ ତବୁଙ୍କ ଅଭିନୀତ ଫିଲ୍ମ ଦୃଶ୍ୟମରୁ ପରିଚୟ ମିଳିଥିଲା।

Share