‘ଦୃଶ୍ୟମ ୩’ର ଧମାକାଦାର ଟ୍ରେଲର ରିଲିଜ୍‌: ସାଉଁଟୁଛି ପ୍ରଶଂସା

ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ କ୍ରାଇମ ଥ୍ରିଲର୍‌ ‘ଦୃଶ୍ୟମ ଦ କନକ୍ଲୁଜନ’ ଅର୍ଥାତ୍‌ ‘ଦୃଶ୍ୟମ ୩’ର ଟ୍ରେଲର୍‌ ରିଲିଜ ହୋଇଛି। ୨୦୧୫ରେ ଆରମ୍ଭ ହୋଇଥିବା ସାଲଗାଓଁକର ପରିବାରର କ୍ରାଇମ ଗାଥାର ଏହା ଅନ୍ତିମ ଅଧ୍ୟାୟ ବୋଲି କୁହାଯାଉଛି। ଏଥର ‘ଦୃଶ୍ୟମ ଦ କନକ୍ଲୁଜନ’ର ଟ୍ରେଲର୍‌ ମୁମ୍ବାଇରେ ନୁହେଁ, ବରଂ ଗୋଆର ପାଣାଜୀରେ ଲଞ୍ଚ କରାଯାଇଛି। ଫିଲ୍ମର କାହାଣୀର ଦୁନିଆ ସହ ଏହି ସ୍ଥାନର ସମ୍ପର୍କ ଥିବାରୁ ଟ୍ରେଲର୍‌ ଲଞ୍ଚ ପାଇଁ ପାଣାଜୀକୁ ବାଛିଥିବା ଜଣାପଡ଼ିଛି।

ଟ୍ରେଲର୍‌ରେ ସସ୍ପେନ୍ସ, ରହସ୍ୟ ଓ ରୋମାଞ୍ଚର ଭରପୂର ଝଲକ ଦେଖିବାକୁ ମିଳିଛି। ଟ୍ରେଲର୍‌ ରିଲିଜ କରି ମେକର୍ସ ଲେଖିଛନ୍ତି, ପ୍ରତ୍ୟେକ ଦୃଶ୍ୟ ଏକ ପ୍ରଶ୍ନ, ପ୍ରତ୍ୟେକ ରହସ୍ୟ ଏକ ଉତ୍ତର। କିଏ ହେବ କାହା ଉପରେ ଭାରୀ? ଦ ଅଲ୍ଟିମେଟ ଏଣ୍ଡ ବିଗିନ୍ସ ନାଓ।

‘ଦୃଶ୍ୟମ’ ଫ୍ରାଞ୍ଚାଇଜର ପୂର୍ବ ଦୁଇଟି ଫିଲ୍ମକୁ ଦର୍ଶକଙ୍କ ଠାରୁ ଜବରଦସ୍ତ ପ୍ରତିକ୍ରିୟା ମିଳିଥିଲା। ତେଣୁ ତୃତୀୟ ତଥା ଶେଷ ଭାଗକୁ ନେଇ ଫ୍ୟାନ୍ସଙ୍କ ଉତ୍ସାହ ଶୀର୍ଷରେ ରହିଛି। ଟ୍ରେଲର୍‌ ରିଲିଜ ପରେ ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍ସୁକତା ଆହୁରି ବଢ଼ିଛି।

ଟ୍ରେଲର୍‌ ରିଲିଜ ପୂର୍ବରୁ ଫିଲ୍ମର ଏକ ନୂଆ ପୋଷ୍ଟର୍‌ ମଧ୍ୟ ଜାରି କରାଯାଇଥିଲା। ଏଥିରେ ବିଜୟ ସାଲଗାଓଁକର୍‌ (ଅଜୟ ଦେବଗନ), ନନ୍ଦିନୀ (ଶ୍ରିୟା ସରନ), ଅଞ୍ଜୁ (ଇଶିତା ଦତ୍ତା) ଏବଂ ଅନୁ (ମୃଣାଲ ଯାଦବ)ଙ୍କୁ ଦେଖିବାକୁ ମିଳିଛି।

‘ଦୃଶ୍ୟମ ଦ କନକ୍ଲୁଜନ’କୁ ନେଇ ନିର୍ଦ୍ଦେଶକ ଅଭିଷେକ ପାଠକ ପୂର୍ବରୁ କହିଥିଲେ ଯେ ଫିଲ୍ମର କାହାଣୀ ପ୍ରସ୍ତୁତ କରିବାକୁ ପ୍ରାୟ ଏକ ବର୍ଷ ସମୟ ଲାଗିଥିଲା। ଏହା ପରେ ସ୍କ୍ରିନ୍ପ୍ଲେ ଲେଖିବା ଓ ଡେଭଲପ କରିବାରେ ମଧ୍ୟ ପ୍ରାୟ ଆଉ ଏକ ବର୍ଷ ଲାଗିଥିଲା।

ତାଙ୍କ କହିବା ଅନୁଯାୟୀ, କାହାଣୀ ‘ଦୃଶ୍ୟମ ୨’ ଯେଉଁଠାରେ ଶେଷ ହୋଇଥିଲା, ସେଠାରୁ ଆଗକୁ ବଢ଼ିବ। କିନ୍ତୁ ଏହା ପରବର୍ତ୍ତୀ ଯାତ୍ରା ସମ୍ପୂର୍ଣ୍ଣ ନୂଆ ହେବ। ଦର୍ଶକମାନେ ପସନ୍ଦ କରିଥିବା ଦୁନିଆକୁ ଅକ୍ଷୁଣ୍ଣ ରଖିବା ସହ ଏହାକୁ ନୂଆ ଓ ରୋମାଞ୍ଚକର ଢଙ୍ଗରେ ଆଗକୁ ନିଆଯାଇଛି।

ହିନ୍ଦୀ ‘ଦୃଶ୍ୟମ’ ଫ୍ରାଞ୍ଚାଇଜର ଆରମ୍ଭ ୨୦୧୫ରେ ହୋଇଥିଲା। ଏହି ଫିଲ୍ମ ମୋହନଲାଲଙ୍କ ଅଭିନୀତ ମଲୟାଲମ ଫିଲ୍ମ ‘ଦୃଶ୍ୟମ’ ଉପରେ ଆଧାରିତ ଥିଲା। ଏହାର ସିକ୍ୱେଲ ‘ଦୃଶ୍ୟମ ୨’ ୨୦୨୨ରେ ରିଲିଜ ହୋଇଥିଲା।

ଏବେ ଏହି କ୍ରାଇମ ଥ୍ରିଲର୍‌ ଫ୍ରାଞ୍ଚାଇଜର ଅନ୍ତିମ ଅଧ୍ୟାୟ ‘ଦୃଶ୍ୟମ ଦ କନକ୍ଲୁଜନ’ ଆସନ୍ତା ୨ ଅକ୍ଟୋବରରେ ସିନେମା ହଲ୍‌ରେ ରିଲିଜ ହେବ।

 

Dharitri – Odisha’s No.1 Odia Daily

 

Share