ଜଳଜୀବନ ମିଶନରେ ୪ ଜିଲାକୁ ପାନୀୟ ଜଳ

ଭୁବନେଶ୍ୱର, ୨୦ା୭ (ବ୍ୟୁରୋ): ରାଜ୍ୟରେ ଗ୍ରାମାଞ୍ଚଳ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ସରକାର ପ୍ରାଥମିକତା ଦେଇ ଆସିଛନ୍ତି। ଏଥିପାଇଁ ଜଳଜୀବନ ମିଶନ (ଜେଜେଏମ୍‌) ଯୋଜନାରେ ରାଜ୍ୟର ବିଭିନ୍ନ ଜିଲାକୁ ସାମିଲ କରାଯାଇଛି। ଏହି ଯୋଜନାରେ ୪ଟି ଜିଲାର ୧୦ ବ୍ଲକର ୧୭୮ ପଞ୍ଚାୟତର ୧୩୯୫ ଗ୍ରାମର ୮ ଲକ୍ଷ ୪୯ ହଜାର ୫୨୧ ଜଣଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦିଆଯିବ। ଏଥିପାଇଁ ବିନିଯୋଗ ହେବାକୁ ଥିବା ୧୧୬୪.୪୩ କୋଟିର ଟେଣ୍ଡରକୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟରେ ଅନୁମୋଦନ କରାଯାଇଛି।
କୋରାପୁଟ ଜିଲାର ୨ଟି ବ୍ଲକ ଅଧୀନରେ ଥିବା ୩୧ ପଞ୍ଚାୟତ ଅନ୍ତର୍ଗତ ୧୬୭ ଗ୍ରାମର ୧,୬୧,୯୦୨ ଜଣଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ। ସେଥିରୁ ଜୟପୁର ବ୍ଲକ ଅଧୀନରେ ଥିବା ୧୫ ପଞ୍ଚାୟତ ଅନ୍ତର୍ଗତ ୨୨ ଗ୍ରାମର ୯୦,୫୧୬ ଓ କୁନ୍ଦ୍ରା ବ୍ଲକ୍‌ ଅଧୀନରେ ଥିବା ୧୬ ପଞ୍ଚାୟତର ୮୫ ଗ୍ରାମର ୭୧,୩୮୬ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ। ଏହି ପ୍ରକଳ୍ପ ପାଇଁ ୨୬୧ କୋଟି ୯୭ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟବରାଦ କରାଯାଇଛି। ଏହି ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ କରିଛି। ୨୪ ମାସ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ଜେଜେଏମ୍‌ ଯୋଜନାରେ ରାୟଗଡ଼ା ଜିଲାରେ ୩ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ ଲାଗି ୧୧୪ କୋଟି ୬୮ ଲକ୍ଷ ଟଙ୍କାର ଟେଣ୍ଡରକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ୨୪ ମାସ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକଳ୍ପ ଦ୍ୱାରା ଜିଲାର ୨ ବ୍ଲକ୍‌ ଅଧୀନରେ ଥିବା ୧୫ ଗ୍ରାମ ପଞ୍ଚାୟତର ୧୨୯ ଗ୍ରାମରେ ବାସ କରୁଥିବା ୩୫,୪୦୦ ଲୋକଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ। ଏହି ଯୋଜନାରେ ଜଗତ୍‌ସିଂହପୁର ଜିଲାର ୪ଟି ବ୍ଲକ୍‌ ଅଧୀନରେ ଥବା ୮୫ ପଞ୍ଚାୟତର ୫୪୪ ଗ୍ରାମର ୪ ଲକ୍ଷ ୩୨ ହଜାର ୯୧୬ ଜଣଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ। ସେଥିରୁ ରଘୁନାଥପୁର ବ୍ଲକ ଅଧୀନରେ ଥିବା ୧୦ଟି ପଞ୍ଚାୟତର ୪୮ ଗ୍ରାମର ୮୬,୬୧୭ ଜଣ, ତିର୍ତ୍ତୋଲ ବ୍ଲକ୍‌ର ୨୦୦ ଗ୍ରାମର ୧ ଲକ୍ଷ ୮୩ ହଜାର ୩୮୪, କୁଜଙ୍ଗ ବ୍ଲକ୍‌ର ୧୬୮ ଗ୍ରାମର ୧ ଲକ୍ଷ ୧୯ ହଜାର ୨୭୯ ଓ ଏରସମା ବ୍ଲକ୍‌ର ୧୨୮ ଗ୍ରାମର ୪୩,୬୩୬ ଲୋକଙ୍କୁ ଉକ୍ତ ପ୍ରକଳ୍ପ ଯୋଜନାରେ ପାନୀୟ ଜଳ ଯୋଗାଇ ଦିଆଯିବ। ଏହି ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବାକୁ ଥିବା ୪୩୧ କୋଟି ୧୦ ଲକ୍ଷ ୯୦ ହଜାର ୫୦୨ ଟଙ୍କା ଟେଣ୍ଡରକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଆସନ୍ତା ୨ ବର୍ଷ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ ହେବ।
ଜେଜେଏମ୍‌ ଯୋଜନାରେ ଅନୁଗୋଳର ୨ଟି ବ୍ଲକରେ ଥିବା ୪୭ ଗ୍ରାମ ପଞ୍ଚାୟତର ୫୫୫ ଗ୍ରାମର ୨ଲକ୍ଷ ୧୯ ହଜାର ୩୦୩ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ। ଏହି ପ୍ରକଳ୍ପ ପାଇଁ ଧାର୍ଯ୍ୟ ୩୫୬ କୋଟି ୬୮ଲକ୍ଷ ୨୬ ହଜାର ୨୭୧ ଟଙ୍କା ଟେଣ୍ଡରକୁ କ୍ୟାବିନେଟ ମୋହର ମାରିଛି।