ଲୋଇସିଂହା,୧।୫(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ କୁଶମେଲ ପଞ୍ଚାୟତ କୁଶମେଲ ଗ୍ରାମର ପୁରୁଣା କଲୋନୀ ବସ୍ତିରେ ପ୍ରାୟ ୧ ମାସ ହେବ ପିଇବା ପାଣିର ଘୋର ଅଭାବ ଦେଖାଦେଇଛି ା ଏହି ବସ୍ତି ଦେଇ ଲୋୟର ସୁକତେଲ ବିସ୍ଥାପିତ ଆରଆର କଲୋନୀକୁ ଟ୍ୟାଙ୍କରରେ ପାଣି ଯୋଗାଣ ହେଉଛି ା ଅଥଚ କୁଶମେଲ ପୁରୁଣା କଲୋନୀକୁ ଟ୍ୟାଙ୍କରରେ ପାଣି ଦିଆଯାଉନାହିଁ ା ଏନେଇ ବସ୍ତିର ମହିଳା ଓ ପୁରୁଷମାନେ ଗୁରୁବାର ଲୋଇସିଂହା ବ୍ଲକ କାର୍ଯ୍ୟାଳୟକୁ ଅଭିଯୋଗ ପାଇଁ ଆସିଥିଲେ। କିନ୍ତୁ ବିଡିଓ ଅକ୍ଷୟପାଣି ଉଦ୍ଦୁ ସେମାନଙ୍କ ଅଭିଯୋଗ ନ ଶୁଣି କୌଣସି କାମରେ ବ୍ଲକ ସଭାଗୃହକୁ ଚାଲି ଯାଇଥିଲେ। ଏହାକୁ ନେଇ ଅଭିଯୋଗ କରିବାକୁ ଯାଇଥିବା ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ପ୍ରତିବାଦ ସ୍ବରୂପ ସେମାନେ ବ୍ଲକ ମୁଖ୍ୟଗେଟରେ ତାଲା ପକାଇ ଧାରଣା ଦେଇଥିଲେ। ଖବର ପାଇ ବିଡିଓ ଉଦ୍ଦୁ ଧାରଣା ସ୍ଥଳକୁ ଆସି ପ୍ରତିବାଦକାରୀଙ୍କ ସହ ଆଲୋଚନା କରିଥିଲେ ା ଏଣିକି ଟ୍ୟାଙ୍କରରେ ପାଣି ଦିଆଯିବ ଏବଂ ବସ୍ତିରେ ନୂତନ ଭାବେ ୨ଟି ନଳକୂପ ଖନନ କରାଯିବ ବୋଲି କହିଲା ପରେ ଆନ୍ଦୋଳନକାରୀମାନେ ଧାରଣାରୁ ଓହରି ଯାଇଥିଲେ। ଏହି ଅବସରରେ ସେମାନଙ୍କ ପକ୍ଷରୁ ବିଡିଓଙ୍କୁ ଏକ ଦାବିପତ୍ର ଦିଆଯାଇଥିଲା। ପ୍ରକାଶ ଯେ, କୁଶମେଲ ଗ୍ରାମର କଲୋନୀ ପଡାରେ ୮୦ ପରିବାର ବସବାସ କରୁଛନ୍ତି। ବସ୍ତିକୁ ପାଇପ ଜଳ ଯୋଗାଣ କରାଯାଉଛି। କିନ୍ତୁ ଖରାଦିନ ହୋଇଥିବାରୁ ପ୍ରକଳ୍ପରେ ପାଣି ଅଭାବରୁ ଜଳ ଯୋଗାଣରେ ଅନିୟମିତତା ଲାଗି ରହୁଛି। ସପ୍ତାହକୁ ୩ ରୁ ୪ ଦିନ ଜଳ ଯୋଗାଣ ହେଉଥିଲା। କିନ୍ତୁ ଏବେ ପ୍ରକଳ୍ପରୁ ପାଇପ ଜଳ ଯୋଗାଣ ଗୋଟିଏ ମାସ ହେବ ବନ୍ଦ ହୋଇଯାଇଛି। ସେହିପରି ବସ୍ତିରେ ୩ ଟି ନଳକୂପ ରହିଛି ା ନଳକୂପରୁ ଫ୍ଲୋରାଇଡ ମିଶ୍ରିତ ପାଣି ବାହାରୁଛି ା ଏହାକୁ ପିଇ ଗ୍ରାମର ବହୁ ବ୍ୟକ୍ତି କିଡ୍ନୀ ରୋଗରେ ଆକ୍ରାନ୍ତ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ା ପିଇବା ପାଣି ଯୋଗାଣ ଦାବିରେ ଜଗନ୍ନାଥ ନାଗ, ମମତା କଲେତ, ରାଜ କୁମାର ନନ୍ଦ, ଚନ୍ଦନ ନାହାକ, ଯଶୋବନ୍ତୀ ନନ୍ଦ, ଲତା ସାହୁ, ରାଜକିଶୋର ନାଗ, ସର ସେଠ ଓ ହୃଷୀକେଶ ବୁଡେକ ପ୍ରମୁଖ ଧାରଣା ଦେଇଥିଲେ।