ପାନୀୟ ଜଳ ପ୍ରକଳ୍ପ ଅଚଳ : ଲୋକେ ହନ୍ତସନ୍ତ

କୁଜଙ୍ଗ,୮।୧୦(ମନୋଜ ପ୍ରଧାନ)ଜଗତ୍‌ସିଂହପୁର ଜିଲାର କୁଜଙ୍ଗ ଏକ ପୁରାତନ ଓ ସର୍ବୃହତ ହାଟ ଓ ବଜାରର ମାନ୍ୟତା ପାଇଛି। ଏଠାରେ ଥିବା ଏକ ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇଯାଇଛି। ଫଳରେ ପଥଚାରୀମାନେ ପାଣି ମୁନ୍ଦେ ପାଇଁ ଡହଳବିକ ହେଉଛନ୍ତି। ପ୍ରଶାସନିକ ଦୃଷ୍ଟିକୋଣରୁ କୁଜଙ୍ଗ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରୂପେ ପରିଚିତ। ଏଠାରେ ପାଖାପାଖି ୧ହଜାର ଛୋଟବଡ ବ୍ୟବସାୟ ପ୍ରତିଷ୍ଠାନ ଥିବାବେଳେ ୫୦ରୁ ଊର୍ଦ୍ଧ୍ୱ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ରହିଛି। ଦୈନନ୍ଦିନ ବିଭିନ୍ନ କାର୍ଯ୍ୟରେ କୁଜଙ୍ଗ ବ୍ଲକକୁ ୨୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଏଠାକୁ ଯାତାୟାତ କରିଥାନ୍ତି। ତତ୍କାଳୀନ ମନ୍ତ୍ରୀ ଡା. ଦାମୋଦର ରାଉତ ୨୦୦୫ରେ କଟକ-ପାରାଦୀପ ରାଜ୍ୟ ରାଜପଥ କଡରେ ଥିବା ବିଶ୍ରାମାଗାର ନିକଟରେ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ଏକ ପାନୀୟ ଜଳ ପ୍ରକଳ୍ପ ସ୍ଥାପନ କରିଥିଲେ। ଏବେ ବ୍ଲକ ପ୍ରଶାସନ ଉକ୍ତ ସ୍ଥାନରେ ଥିବା ବିଶ୍ରାମାଗାରକୁ ଭାଙ୍ଗି ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରିଛି। ମାତ୍ର ପାନୀୟଜଳ ପ୍ରକଳ୍ପକୁ ଅଚଳ ହୋଇଯାଇଛି। ଉକ୍ତ ଅଞ୍ଚଳ ଏବେ ନର୍ଦ୍ଦମାରେ ପରିଣତ ହୋଇଯାଇଛି। ଫଳରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉକ୍ତ ପାନୀୟଜଳ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବାପାଇଁ ୫ମାସ ପୂର୍ବରୁ ଜିଲାପାଳଙ୍କ ଜନ ଶୁଣାଣିରେ ଅଭିଯୋଗ କରାଯାଇଥିଲା। ଏହାସତ୍ତ୍ୱେ ଏପର୍ଯ୍ୟନ୍ତ କୌଣସି ସୁପଳ ମିଳି ନ ଥିବା ସାଧାରଣରେ ଅଭିଯୋଗ ହୋଇଛି। ତୁରନ୍ତ ଉକ୍ତ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବା ପାଇଁ ମାଟି ସୁରକ୍ଷା ମଞ୍ଚ ସଂଯୋଜକ ହୃଷୀକେଶ ନାଥ ଦାବି କରିଛନ୍ତି। ଏ ସମ୍ପର୍କରେ ନୂତନଭାବେ ଯୋଗଦେଇଥିବା ବିଡିଓ ଦିପକ ପ୍ରସାଦ ସ୍ବାଇଁ କୁହନ୍ତି, ଘଟଣାସ୍ଥଳ ପରିଦର୍ଶନ କରିବା ପରେ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ପଦକ୍ଷପ ନେବେ ବୋଲି କହିଛନ୍ତି।