ତୁମୁଡିବନ୍ଧ,୨୯ା୪(ଦିପକ କୁମାର ପରାସେଠ) କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କରୁକୁଡୁପା ପଞ୍ଚାୟତର ପୁରୁଣା ସଲାଗୁଡ଼ା ଗାଁରେ ପାନୀୟ ଜଳ ସମସ୍ୟା ଲାଗି ରହିଛି। ଏହି ଗାଁରେ ୧୦ ପରିବାରର ବସବାସ କରନ୍ତି। ବର୍ତ୍ତମାନ ଗ୍ରୀଷ୍ମପ୍ରବାହ ଲାଗି ରହିଥିବାରୁ ଗାଁରେ ନଳକୂପ, ଗାଡ଼ିଆ ପୋଖରୀ ଶୁଖି ଯାଇ ପିଇବାପାଣିର ସମସ୍ୟା ବଢ଼ି ଯାଇଛି। ୩ ମାସ ପୂର୍ବରୁ ଭୂତଳ ଜଳ ଯୋଗାଇ ଦେବାକୁ ପାଇପ ସଂଯୋଗ କରାଯାଇଛି। ହେଲେ ଷ୍ଟାଣ୍ଡପୋଷ୍ଟ କି ପାନୀୟ ଜଳଯୋଗାଣ କରାଯାଉନାହିଁ। ଫଳରେ ଗାଁ ମହିଳାମାନେ ଟୁଣ୍ଡାଙ୍ଗଗାଡ଼ା ନାଳର ଏକ ପରିତ୍ୟକ୍ତ ପଥର ଗାଡ଼ିଆରୁ ଗୋଳିଆ ପାଣିକୁ ସଂଗ୍ରହ କରି ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି। ଯାହା ଫଳରେ ଗାଁର ବହୁତ ଲୋକ ବିଭିନ୍ନ ରୋଗରେ ପୀଡ଼ିତ ହେଉଛନ୍ତି। ଆଉ କିଛି ଦିନ ପରେ ଉକ୍ତ ପଥର ଗାଡ଼ିଆର ପାଣି ମଧ୍ୟ ଶୁଖିଯିବ। ପାନୀୟ ଜଳର ସମସ୍ୟା ଦ୍ୱିଗୁଣିତ ହେବ ବୋଲି ଗାଁର ମହିଳା ପ୍ରିୟଙ୍କା ବେନିଆ କହିଛନ୍ତି। ଏହା ସାଙ୍ଗକୁ ଗାଁକୁ ଭଲ ରାସ୍ତାଟିଏ ନାହିଁ। କରୁକୁଡୁପା ପଞ୍ଚାୟତ ସଦର ମହକୁମାକୁ ସଂଯୋଗ କରିବା ପାଇଁ ଟୁଣ୍ଡାଙ୍ଗଗାଡ଼ା ନାଳ ବାଧକ ସାଜିଛି। ବର୍ଷା ଦିନ ସେହି ନାଳରେ ବର୍ଷା ପାଣି ବଢ଼ିଯାଏ। ଫଳରେ ୩ମାସ ଯାତାୟାତ ପୁରା ଠପ ହୋଇଯାଏ। ଗାଁ ଠାରୁ ୨ କିମି ଦୂର ବିରିଙ୍ଗିଆ ଗାଁରେ ସ୍କୁଲ ରହିଛି। ପିଲାମାନେ ବର୍ଷା ଦିନେ ଉକ୍ତ ରାସ୍ତା ଦେଇ ପାଠ ପଢିବା ପାଇଁ ଯାଇ ପାରନ୍ତି ନାହିଁ। ସେହିପରି ଖରା ଦିନ ସେହି ନାଳରେ ପାଣି ଶୁଖିଯାଏ। ଖାଲଖମା ରାସ୍ତାରେ ଗ୍ରାମବାସୀ ଯାତୟତ କରନ୍ତି। ଗ୍ରାମରେ କେହି ଜ୍ୱର ବେମାରରେ ପଡ଼ିଲେ ସେମାନଙ୍କ ପାଇଁ ଆମ୍ବୁଲାନ୍ସ ପାଲଟରେ ଖଟ ଆଉ ଦଉଡ଼ି। ୨ କିମି ରାସ୍ତା ବୋହି ନେବାକୁ ପଡ଼େ। ରାଶନ ଚାଉଳ ସହିତ ଅନ୍ୟାନ୍ୟ ଜିନିଷ ପତ୍ର ଆଣିବାରେ ଅନେକ ଅସୁବିଧା ହୁଏ। ନୂତନ ରାସ୍ତା ନିର୍ମାଣ ସହିତ ଟୁଣ୍ଡାଙ୍ଗଗାଡ଼ା ନାଳରେ ଏକ ପୋଲ ନିର୍ମାଣ ପାଇଁ ବହୁବାର ସରପଞ୍ଚ ସମେତ ସରକାରୀ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳିନାହିଁ। ଏହି ବାବଦରେ ଗ୍ରାମର ମହେନ୍ଦ୍ର ଦିଗାଲ କହିଛନ୍ତି, ଗାଁକୁ ପିଇବା ପାଣିର ବ୍ୟବସ୍ଥା କରାଯିବା ସହିତ ରାସ୍ତା ନିର୍ମାଣ କରାଗଲେ ଆମେ ଗ୍ରାମବାସୀ ଉପକୃତ ହେବୁ ବୋଲି କହିଛନ୍ତି। ତୁମୁଡ଼ିବନ୍ଧ ବିଡିଓ ବନ ବିହାରୀ ହରପାଲ କହିଛନ୍ତି, ସଲାଗୁଡ଼ା ଗାଁକୁ ତୁରନ୍ତ ପିଇବା ପାଣି ବ୍ୟବସ୍ଥା କରାଯିବା ସହିତ ରାସ୍ତା ପାଇଁ ମଧ୍ୟ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।