ଆଳି,୧୫ା୫(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ନୂଆବଜାରରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଫଳରେ ଏଠାରେ ଥିବା ହଜାରେରୁ ଊର୍ଦ୍ଧ୍ୱ ବ୍ୟବସାୟ ପ୍ରତିଷ୍ଠାନ ସହିତ ସରକାରୀ, ବେସରକାରୀ କାର୍ଯ୍ୟାଳୟ କର୍ମଚାରୀଙ୍କ ସହ ସାଧାରଣ ଲୋକେ ପାଣି ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଠାରେ ସ୍ବଚ୍ଛ ପାନୀୟ ଜଳ ବ୍ୟବସ୍ଥା ନାହିଁ। ନୂଆବଜ଼ାରର ଅନ୍ନପୂର୍ଣ୍ଣା ପଡ଼ିଆ ନିକଟରେ ଥିବା ନଳକୂଅ ଉପରେ ସମସ୍ତେ ନିର୍ଭର କରନ୍ତି।
ହେଲେ ଦୀର୍ଘ ଦିନ ହେବ ଉକ୍ତ ନଳକୂଅରୁ ସ୍ବଳ୍ପ ପରିମାଣର ପାଣି ବାହାରୁଥିଲା। ହେଲେ ଗତ ଦେଢ଼ ମାସ ହେବ ନଳକୂଅଟି ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି l ଫଳରେ ବ୍ୟବସାୟୀଙ୍କ ସହ ଅନ୍ୟମାନେ ଘରୁ ପାଣି ଆଣିବା ସହ ବଜାରରେ ବିକ୍ରି ହେଉଥିବା ପାଣି ପାଉଚ ଓ ବୋତଲ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି l
ଏ ନେଇ ବ୍ୟବସାୟୀମାନେ ଜଳ ଓ ପରିମଳ ବିଭାଗ ଯନ୍ତ୍ରୀ ବିଭୁପଦାରବିନ୍ଦ ବେହେରାଙ୍କ ନିକଟରେ ଅଭିଯୋଗ କରିଥିଲେ। ହେଲେ ଏହି ଦିଗରେ କୌଣସି ସୁଫଳ ମିଳୁ ନ ଥିବା ସୁଶୀଲ ସେନାପତି, ବିନୋଦ କୁମାର ସ୍ବାଇଁ, ଅଭିମନ୍ୟୁ ସ୍ବାଇଁ, ଦୁର୍ଯ୍ୟୋଧନ ମଲ୍ଲିକ, ବୁଲୁ ଖାଁ, ପ୍ରଫୁଲ୍ଲ ସାହୁ, ମେହେମୁଦ ଖାନ୍, ଆୟୁବ ଖାନ୍, ମହେଶ୍ୱର ମହାନ୍ତି, ସରୋଜ ଲାହା ପ୍ରମୁଖ ବ୍ୟବସାୟୀ ଅଭିଯୋଗ କରିଛନ୍ତି । ଆଳି ବିଡିଓ ଅବିନାଶ ବିଶ୍ୱଜିତ ସେଠୀଙ୍କୁ ପଚାରିବାରୁ ସେ ବିଭାଗୀୟ ଯନ୍ତ୍ରୀଙ୍କ ସହ ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି। ସୋମବାର ମଧ୍ୟରେ ଏହାର ମରାମତି ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।