ପ୍ରଶାସନର ନିଘାନାହିଁ: ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପାଣି ଟୋପାଏ ଲାଗି ଡହଳବିକଳ ହେଉଛନ୍ତି ରୋଗୀ

ପୁରୁଷୋତ୍ତମପୁର,୨୩।୪ (ସବିତା ମିଶ୍ର) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦିନକୁ ଦିନ ଅବ୍ୟବସ୍ଥା ବଢିବାରେ ଲାଗିଥିବା ବେଳେ ଏଥିପ୍ରତି କାହାରି ହେଲେ ନିଘାନାହିଁ । ଏଠାରେ ପ୍ରଶାସନ ସମ୍ପୂର୍ଣ ସ୍ଥାଣୁ ପାଲଟିଥିବା ବେଳେ ରୋଗିକଲ୍ୟାଣ ସମିତି କୋମାଭଳି ରହିଛି । ଡାକ୍ତର ଓ କର୍ମଚାରୀ ଅଭାବରୁ ରୋଗୀଙ୍କୁ ଚିକିତ୍ସାସେବା ଠିକ୍‌ ଭାବରେ ମିଳି ପାରୁନଥିବା ବେଳେ ବର୍ତ୍ତମାନ ପିଇବାଲାଗି ପାଣି ଟୋପାଏ ମିଳୁନାହିଁ । ପ୍ରଚଣ୍ଡ ଖରା ସାଙ୍ଗକୁ ଅସହ୍ୟ ଗରମ ଗୁଳୁଗୁଳି ହେଉଥିବା ବେଳେ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ରୋଗୀମାନେ ପାଣି ଟୋପାଏ ପିଇବା ଲାଗି ଡହଳବିକଳ ହେଉଥିବାର ଦେଖିବାକୁ ମିଳିଛି । ସରକାର ଓ ପ୍ରଶାସନ ଲୋକଙ୍କୁ ପିଇବାକୁ ପାଣିଦେବା ନାଁରେ ଜଳଛତ୍ର ଖୋଲୁଥିବାବେଳେ ଜରୁରୀକାଳୀନ ସେବାଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପାନୀୟ ଜଳ ଟୋପାଏ ମିଳୁନଥିବା ଚିନ୍ତାର କାରଣ ପାଲଟିଛି। ରୋଗୀଙ୍କ ସୁବିଧା ଲାଗି ସରକାର ରୋଗୀକଳ୍ୟାଣ ସମିତିଗଠନ କରି ଲକ୍ଷଲକ୍ଷ ଟଙ୍କା ଅନୁଦାନ ଯୋଗାଇଦେଉଥିବା ବେଳେ ସେହି ଅନୁଦାନ କୁଆଡେ ଯାଉଛି । ତାହା ଏଠାରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଠାରେ ଥିବା ଦୁଇଦୁଇଟି ଆକ୍ୱା ମେଶିନ ପ୍ରାୟ ଏକମାସହେଲା ଅଚଳହୋଇ ପଡିଥିବାବେଳେ ତାହାର ମରାମତି କରାଯାଉନି । ଫଳରେ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ପିଇବା ଲାଗି ପାଣି ଟୋପାଏ ଲାଗି ଛଟପଟ ହୋଇ ଦୋକାନରେ ବିକ୍ରି ହେଉଥିବା ବଟଲ ପାଣିକୁ ଭରସା କରୁଛନ୍ତି । ଏଭଳି ସମସ୍ୟାକୁ ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଭବାନୀଶଙ୍କର ମିଶ୍ରଙ୍କ ସହ ଯୋଗାଯୋଗ କରାଯିବାରେ କଣ ହୋଇଛି ବୁଝି ପଦକ୍ଷେପ ନେବାର କହିଛନ୍ତି । ଏଣୁ ଏଥିପ୍ରତି ଗଞ୍ଜାମ ଜିଲାପାଳ ସରକାର ତୁରନ୍ତ ପଦକ୍ଷେପନେବାକୁ ଜନସାଧାରଣ ଦାବିକରିଛନ୍ତି ।

Odisha’s No.1 Odia Daily

Share