ନିର୍ମାଣାଧୀନ ଟାଙ୍କିରୁ ବୋହିଯାଉଛି ପିଇବା ପାଣି

ଗୋପ,୮।୫(ଡି.ଏନ୍‌.ଏ.): ରାଜ୍ୟ ସରକାର ଗ୍ରାମାଞ୍ଚଳରେ ପିଇବା ପାଣି ସମସ୍ୟା ଦୂରୀଭୂତ କରିବାକୁ ବସୁଧା ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କ ଖର୍ଚ୍ଚରେ ପାଣି ଯୋଗାଉଛନ୍ତି। ମାତ୍ର ଗୋପ ଗ୍ରାମପଞ୍ଚାୟତ ଗୋପ ନିଗମାନନ୍ଦ ସ୍ମାର୍ଟ ସ୍କୁଲ ନିକଟରେ ନିର୍ମାଣଧୀନ ବସୁଧା ପିଇବା ପାଣି ପ୍ରକଳ୍ପର ଟାଙ୍କିରୁ ପିଇବା ପାଣି ଲୋଡ ହେବା ପରେ ଝରୁଥିବା ଭଳି ଅଭିଯୋଗ ହୋଇଛି। ଦାୟିତ୍ୱରେ ଥିବା ଜଳ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ଗୋପାଳବଲ୍ଲଭ ପାଣିଗ୍ରାହୀଙ୍କୁ ଏନେଇ ପଚାରିବାରେ, ସବୁ ଠିକ୍‌ ଅଛି ବୋଲି ଉତ୍ତର ରଖିଛନ୍ତି।
ପ୍ରକାଶ ଯେ, ପ୍ରବଳ ଗ୍ରୀଷ୍ମ ପ୍ରବାହରୁ ଏବେ ଗୋପ ବ୍ଲକର ୩୧ ଗୋଟି ପଞ୍ଚାୟତରେ ପିଇବା ପାଣି ସମସ୍ୟା ଉତ୍କଟ ହେବାରେ ଲାଗିଛି। ଅନେକ ପଞ୍ଚାୟତରେ ନିର୍ମାଣଧୀନ ବସୁଧା ପ୍ରକଳ୍ପ କାର୍ଯ୍ୟ ଅଧାପନ୍ତରିଆ ରହିଥିବାବେଳେ କେତେକ ପଞ୍ଚାୟତରେ ପିଇବା ପାଣି ମିଳୁନାହିଁ। ବ୍ଲକର ହେଡ଼କ୍ୱାଟର ଗୋପ ପଞ୍ଚାୟତରେ ଏହି ବସୁଧା ପ୍ରକଳ୍ପରେ କୋଟିଏରୁ ଊଦ୍ଧର୍‌ବ ଟଙ୍କା ଖର୍ଚ୍ଚ କରାଯାଇଥିବାବେଳେ ପିଇବା ପାଣି ଠିକ୍‌ ଭାବରେ ପହଞ୍ଚି ପାରୁନି। ନିମ୍ନମାନର ପାଇପ ଲଗାଯାଇଥିବାବେଳେ କେତେକ ସ୍ଥାନରେ ପାଇପ୍‌ ଫାଟିବା ଓ ନିର୍ମାଣଧୀନ ଟାଙ୍କିରୁ ପିଇବା ପାଣି ଝରିବା ଅଭିଯୋଗ ହେଉଛି। କେତେକ ସ୍ଥାନରେ ପାଇପ୍‌ ଫାଟିବାରୁ ରାସ୍ତାରେ ପିଇବା ପାଣି ଜମା ହେଉଛି। ଆଉ ମଧ୍ୟ ଟାଙ୍କିରୁ ନାଲି ରଙ୍ଗର ପାଣି ବାହାରୁଛି। ଅନ୍ୟତ୍ର ପିଇବା ପାଣି ନ ମିଳିବାରୁ ବାଧ୍ୟ ହୋଇ ଲୋକେ ଏହି ରଙ୍ଗ ମିଶା ପାଣି ପିଉଛନ୍ତି। ଏପରି ଏକ ଅଭିଯୋଗରେ ସହକାରୀ ଯନ୍ତ୍ରୀଙ୍କୁ ପଚାରିବାରେ, ସବୁ ଠିକ୍‌ ହୋଇଯିବ ବୋଲି କହୁଛନ୍ତି। ଯନ୍ତ୍ରୀଙ୍କୁ ସାଧାରଣ ଲୋକେ ଅଭିଯୋଗ କରିବାକୁ ପ୍ରାୟ ସମୟରେ ଆସୁଥିଲେ ମଧ୍ୟ ନିରାଶ ହେଉଛନ୍ତି। ଏ ସମ୍ପର୍କରେ ରବିବାର ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ସାଧାରଣ ଲୋକେ ଏକ ଅଭିଯୋଗପତ୍ର ଦେଇଥିବାବେଳେ ମନ୍ତ୍ରୀ ତୁରନ୍ତ ଏଥିପ୍ରତି ଗୁରୁତ୍ୱ ଦେବାକୁ ଜିଲା ଜଳପରିମଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।