ଗଞ୍ଜାମ, ୨୩।୧୦(ଅଖିଳ ତରାଇ): ଗଞ୍ଜାମ ସହରର ପୁଇଁତୋଳା ଅଞ୍ଚଳର ୱାର୍ଡ ନଂ ୮ ଓ ୯ରେ ପିଇବା ପାଣି ଯୋଗାଣ ବନ୍ଦ ଥିବାରୁ ଗ୍ରାମବାସୀ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଟୋପାଏ ପାଣି ପାଇଁ ଲୋକେ ଦୀର୍ଘ ସମୟ ଅପେକ୍ଷା କରୁଛନ୍ତି, ଯାହା ସେମାନଙ୍କ ଦୈନଦିନ ଜୀବନକୁ ବାଧାପ୍ରାପ୍ତ କରୁଛି। ବିଭାଗୀୟ ଜୁନିୟର ଇଞ୍ଜିନିୟର ଆଶିଷ ବରାଳଙ୍କ କହିବା ଅନୁସାରେ, ଗ୍ରିଡ୍ରେ ବିଦ୍ୟୁତ ସମସ୍ୟା ଯୋଗୁ ରାତିରେ ପାଣି ଲୋଡିଂ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ବର୍ତ୍ତମାନ ସମସ୍ୟାର ସମାଧାନ ହୋଇଛି ଏବଂ ପାଣି ଲୋଡିଂ ଚାଲିଛି। ସେ ଆହୁରି କହିଛନ୍ତି ଯେ, ଆଜି ସା ୮ଟା ସୁଦ୍ଧା ପାଣି ଯୋଗାଣ ପୁନଃ ଆରମ୍ଭ ହେବ। ଏହି ସଙ୍କଟ ଯୋଗୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଗ୍ରାମବାସୀ ପ୍ରଶାସନଠାରୁ ଏଭଳି ସମସ୍ୟାର ଶୀଘ୍ର ସମାଧାନ ଓ ନିୟମିତ ପାଣି ଯୋଗାଣ ନିଶ୍ଚିତ କରିବାକୁ ଦାବି କରିଛନ୍ତି।


