ଅଳପୁଆ ପାହାନ୍ତିସାହିରେ ପାନୀୟ ଜଳ ସଙ୍କଟ

ପଟ୍ଟାମୁଣ୍ଡାଇ ୧୯ା୧୦(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ବ୍ଲକ ଅଳପୁଆ ପଞ୍ଚାୟତ ପାହାନ୍ତିସାହିରେ ପାନୀୟ ଜଳର ଉତ୍କଟ ଅଭାବ ଦେଖାଇ ଦେଇଛି। ଏହି ସାହିରେ ୫୦ରୁ ଊର୍ଦ୍ଧ୍ୱ ପରିବାରର ପ୍ରାୟ ୩୦୦ ଲୋକ ବସବାସ କରନ୍ତି। ଏଠାରେ ନଳକୂପ ବସାଯାଇଥିଲେ ମଧ୍ୟ ଦୀର୍ଘଦିନ ଧରି ଅଚଳ ହୋଇପଡିଛି। ଫଳରେ ପିଇବା ପାଣି ପାଇଁ ଲୋକମାନେ ହଇରାଣ ହେଉଛନ୍ତି। ଅଞ୍ଚଳବାସୀ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିବା ପରେ ମଧ୍ୟ ନଳକୂପ ମରାମତି ପାଇଁ ବିଭାଗ ପକ୍ଷରୁ ଉଦ୍ୟମ କରାଯାଇନାହିଁ। ନିକଟରେ କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରାଙ୍କୁ ସମିତିସଭ୍ୟ ରାମଚନ୍ଦ୍ର ସେଠୀ, ସରପଞ୍ଚ ପଦ୍ମିନୀ ବେହେରା, ପଞ୍ଚାୟତ ବିଜେଡି ସଭାପତି ସୁକାନ୍ତ ରାଉତ, ନରେନ୍ଦ୍ର ଧଳ, ସରୋଜ କୁମାର ଦାସ ପ୍ରମୁଖ ଭେଟି ପାନୀୟଜଳ ସଙ୍କଟ ସମ୍ପର୍କରେ ଆଲୋଚନା କରିଥିଳେ। ତୁରନ୍ତ ପାହାନ୍ତିସାହିରେ ନୂତନ ନଳକୂପ ସ୍ଥାପନ କରିବାକୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ବିଧାୟକ ଏ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।