ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ, ସୁରେଇ ନିହାତି ଦେଖିବାକୁ ମିଳୁଥିଲା। କ୍ରମେ ଯେତେବେଳେ ଫ୍ରିଜ୍‌ର ଚାହିଦା ବଢିଲା ଲୋକେ ମାଠିଆ, ସୁରେଇକୁ ଭୁଲି ଫ୍ରିଜ୍‌ର ଥଣ୍ଡା ପାଣି ପିଇବାକୁ ଲାଗିଲେ। କିନ୍ତୁ ଫ୍ରିଜ୍‌ରେ ରଖାଯାଉଥିବା ପାଣି ଇଲେକ୍ଟିସିଟି ସହାୟତାରେ ଥଣ୍ଡା ହେଉଥିବାରୁ ଏହି ପାଣିକୁ ପିଇବା ଶରୀର ପକ୍ଷେ ସେତେ ହିତକର ନୁହେଁ। ଏହାଦ୍ୱାରା ଥଣ୍ଡା, କାଶ ତଥା ତଣ୍ଟି ଦରଜ ଭଳି ସମସ୍ୟା ବି ହୁଏ। କିନ୍ତୁ ଅନ୍ୟପକ୍ଷେ ମାଟିରେ ତିଆରି ମାଠିଆ, ସୁରେଇରେ ରଖାଯାଉଥିବା ପାଣି ପ୍ରାକୃତିକ ଉପାୟରେ ଥଣ୍ଡା ରହୁଥିବାରୁ; ଏହାକୁ ପିଇଲେ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହ ନାନାଦି ରୋଗ ସହ ଲଢିବାକୁ ଆମକୁ ଶକ୍ତି ମିଳେ। ତେଣୁ ସ୍ବାସ୍ଥ୍ୟ ସଚେତନ ଲୋକ ପୁଣି ମାଠିଆ, ସୁରେଇକୁ ପସନ୍ଦ କରିବାକୁ ଲାଗିଲେଣି। ତେବେ ଜାଣନ୍ତି କି ମାଟିର ଏହି ଜଳପାତ୍ର କେବଳ ସ୍ବାସ୍ଥ୍ୟୋପଯୋଗୀ ନୁହେଁ ଏହା ସୌଭାଗ୍ୟକୁ ବି ଡାକି ଆଣେ। ବାସ୍ତୁଶାସ୍ତ୍ର କହେ, ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ମାଠିଆ/ସୁରେଇ ହେଉ କି ଯେକୌଣସି ଗୋଟିଏ ମାଟିର ଜଳପାତ୍ର ରଖିବା ନିହାତି ଜରୁରୀ ଆଉ ତାହା ଜଳପୂର୍ଣ୍ଣ ହୋଇଥିବା ଆବଶ୍ୟକ। ଏପରି କଲେ ଘରେ ଧନବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି। ସେହିପରି ବାସ୍ତୁଶାସ୍ତ୍ର ଅନୁଯାୟୀ, ଉତ୍ତର ଦିଗରେ ଜଳପାତ୍ର ରଖିବା ଶୁଭ ହୋଇଥାଏ; ତେଣୁ ଏହି ଦିଗରେ ସୁରେଇ, ମାଠିଆ ଭଳି ଜଳପାତ୍ର ରଖିଲେ ପ୍ରଭୁଙ୍କର ଆଶୀର୍ବାଦ ମିଳିବା ସହ ଘରେ କେବେ ବି ଧନର ଅଭାବ ଦେଖାଯାଏ ନାହିଁ ବୋଲି ମାନ୍ୟତା ଅଛି।