୧୯ ସହରରେ ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ପ୍ରକଳ୍ପ

ଭୁବନେଶ୍ୱର,୨୨ା୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ରାଜ୍ୟର ୧୯ ସହରରେ ୨୪ ଘଣ୍ଟିଆ ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି। ସେହି ସହରଗୁଡ଼ିକ ହେଲା ଭୁବନେଶ୍ବର, କଟକ, ନିମାପଡ଼ା, ବ୍ରହ୍ମପୁର, ଗୋପାଳପୁର, ରାଉରକେଲା, ସୁନ୍ଦରଗଡ଼, ବୀରମିତ୍ରପୁର, ରାଜଗାଙ୍ଗପୁର, କେନ୍ଦୁଝର, ଯୋଡ଼ା, ବଡ଼ବିଲ, ଚମ୍ପୁଆ, ଆନନ୍ଦପୁର, ବାରିପଦା, ରାଇରଙ୍ଗପୁର, ଉଦଳା, କରଞ୍ଜିଆ ଓ ବ୍ୟାସନଗର। ଏହିସବୁ ସହରଗୁଡ଼ିକର ୫.୫ ଲକ୍ଷ ଲୋକ ଉପକୃତ ହେବେ। ଏହା ପୂର୍ବରୁ ୫-ଟି ଉପକ୍ରମରେ ପୁରୀରେ ସବୁ ଲୋକଙ୍କୁ ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ସୁବିଧା ମିଳିଥିଲା। ଗୋପାଳପୁରରେ ମଧ୍ୟ ରାଜ୍ୟର ଦ୍ବିତୀୟ ସହର ଭାବରେ ଶତ ପ୍ରତିଶତ ଲୋକଙ୍କୁ ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ବ୍ୟବସ୍ଥାର ସୁବିଧା ପ୍ରଦାନ କରାଯାଇଛି। ଏହାବ୍ୟତୀତ ଖୋର୍ଦ୍ଧା, ଜଟଣୀ ଓ ହିଞ୍ଜିଳିକାଟୁ ସହର ପାଇଁ ମୁଖ୍ୟମନ୍ତ୍ରୀ ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ କାର୍ଯ୍ୟକ୍ରମର ଆରମ୍ଭ ଘୋଷଣା କରିଛନ୍ତି। ଏହାଦ୍ବାରା ଏହି ୩ଟି ସହରର ୧.୫୦ ଲକ୍ଷ ଲୋକ ଉପକାର ପାଇବେ ।

ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରତି ପରିବାରକୁ ଭଲ ପିଇବା ପାଣି ଯୋଗାଇବା ମୋର ବହୁତ ଦିନର ସ୍ବପ୍ନ। ଏହା ସବୁବେଳେ ମୋ ସରକାରର ପ୍ରାଥମିକତା ହୋଇରହିଛି। ଜଳ ଆମ ସମସ୍ତଙ୍କ ପାଇଁ ଅମୂଲ୍ୟ। ଏହାକୁ ଉପଯୁକ୍ତ ଭାବେ ବ୍ୟବହାର କରିବା ଉଚିତ। ଗୋଟିଏ ବି ବୁନ୍ଦା ଜଳ ନଷ୍ଟ ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଜଳ ହେଉଛି ଜୀବନ। ଜନସ୍ବାସ୍ଥ୍ୟ ଓ ଦୈନନ୍ଦିନ ଜୀବନର ସୁବିଧା ପାଇଁ ସ୍ବଚ୍ଛ ଜଳ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏହି ସୁବିଧା ଜନସାଧାରଣଙ୍କ ଜୀବନଧାରଣ ମାନରେ ପ୍ରଭୂତ ଉନ୍ନତି ଆଣିବ। ବିଶ୍ବର ବଡ଼ ବଡ଼ ସହରର ବ୍ୟବସ୍ଥା ସହିତ ଓଡ଼ିଶାର ସହରଗୁଡ଼ିକ ମଧ୍ୟ ଯୋଡ଼ି ହୋଇଛନ୍ତି । ବ୍ୟୁରୋ ଅଫ୍‌ ଷ୍ଟାଣ୍ଡାଡର୍‌ସର ମାନ ଅନୁଯାୟୀ ଲୋକେ ଉତ୍ତମ ଓ ସ୍ବଚ୍ଛ ଜଳ ପାଇପାରୁଛନ୍ତି। ଏହି ସେବା ପାଇଁ ମୁଖ୍ୟମନ୍ତ୍ରୀ ଓ୍ବାଟ୍‌କୋକୁ ଧନ୍ୟବାଦ ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଦୃଢ଼ ନେତୃତ୍ୱ ଯୋଗୁ ଓଡ଼ିଶାବାସୀ ଉନ୍ନତମାନର ସେବା ପାଇପାରୁଛନ୍ତି। ସ୍ବଚ୍ଛ ପାନୀୟ ଜଳ ଯୋଗାଣ ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ। ଓମ୍ବାଡସିର ଓଭରସାଇଟ୍‌ ଅଥରିଟି ଜଷ୍ଟିସ ଅନନ୍ତ ପଟ୍ଟନାୟକ କହିଛନ୍ତି, ସେ ମାଇନିଂ ଅଞ୍ଚଳକୁ ପ୍ରାୟତଃ ଗସ୍ତ କରନ୍ତି। ପାଣି ପାଇଁ ଲୋକଙ୍କ ଅସୁବିଧାକୁ ସେ ଅନୁଭବ କରିଛନ୍ତି। ଆଜି ସେ ଅଞ୍ଚଳଗୁଡ଼ିକରେ ପିଇବା ପାଣି କ୍ଷେତ୍ରରେ ଉଲ୍ଲେଖନୀୟ କାମ ହୋଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଭୂମିକା ବାସ୍ତବରେ ପ୍ରଶଂସନୀୟ ବୋଲି ସେ କହିଛନ୍ତ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି. ମାଥିଭାଥନନ ସ୍ବାଗତ ଭାଷଣ ଦେଇଥିଲେ। ୱାଟ୍‌କୋର ସିଇଓ ପି.କେ. ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଅଶୋକ ପଣ୍ଡା, ଭୁବନେଶ୍ବର ମେୟର ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ୧୯ଟି ସହରର ନେତୃବୃନ୍ଦ, ଅଧିକାରୀଗଣ ଓ ଜନସାଧାରଣ ଭିଡିଓ କନ୍‌ଫରେନ୍ସ ଜରିଆରେ ଯୋଡ଼ି ହୋଇଥିଲେ ।