ଖାଲି ପେଟରେ ପିଅନ୍ତୁ ଗୋମୂତ୍ର, କରୋନା ସଂକ୍ରମଣରୁ ରହିବେ ଦୂରେଇ: ଭାଜପା ବିଧାୟକ

ଲକ୍ଷ୍ନୌ, ୯।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ବେକାବୁ ହୋଇଛି। ଏପରିସ୍ଥଳେ ଭାଜପାର ଜଣେ ବିଧାୟକ ଖାଲି ପେଟରେ ଗୋମୂତ୍ର ପିଇଲେ ଆଉ କରୋନା ସଂକ୍ରମଣ ହେବ ନାହିଁ ବୋଲି କହିଛନ୍ତି। ଉତ୍ତରପ୍ରଦେଶ ବାଲିଆ ଜିଲାର ବୈରିଆ ବିଧାନସଭା ଆସନର ବିଧାୟକ ସୁରେନ୍ଦ୍ର ସିଂ ଏଭଳି କହିଛନ୍ତି। ଗୋମୂତ୍ର ଦ୍ୱାରା ପ୍ରାକୃତିକ ପ୍ରଣାଳୀରେ ମନୁଷ୍ୟ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ ବୋଲି ସେ ଦାବି କରିଛନ୍ତି। ପ୍ରତିଦିନ ଖାଲିପେଟରେ ଥଣ୍ଡା ପାଣିରେ ୫୦ ମିଲି ଲିଟର ଗୋମୂତ୍ର ପିଇଲେ କରୋନା ମହାମାରୀ ଭୂତାଣୁ ବିରୋଧରେ ଶରୀରରେ ରୋଗପ୍ରତିରୋଧକ ଶକ୍ତି ନିଶ୍ଚିତ ସୃଷ୍ଟି ହେବ ବୋଲି ସେ କହିଛନ୍ତି। ଏବେ ବିଧାୟକ ଗୋମୂତ୍ର ପାନ କରୁଥିବାର ୩ ମିନିଟ୍‌ ୫୮ ସେକେଣ୍ଡର ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। କରୋନା ଭୂତାଣୁ ନେଇ ସମସ୍ତ ବୈଜ୍ଞାନିକ ଗବେଷଣା ବିଫଳ ହୋଇଥିବାବେଳେ ମଣିଷ ଭଗବାନଙ୍କ ଉପରେ ଭରସା ଏବଂ ବିଶ୍ୱାସ କରିବା ଆରମ୍ଭ କରିଛି। ଭାରତୀୟ ସଂସ୍କୃତିରେ ପୁରାତନ କାଳରେ ଗୋମୂତ୍ର ପାନ ଦ୍ୱାରା ରୋଗ ଚିକିତ୍ସା କରାଯାଉଥିବା ସୁରେନ୍ଦ୍ର ସିଂ କହିଛନ୍ତି।

Share