Categories: ଜାତୀୟ

‘ଗୋମୂତ୍ର ପିଅନ୍ତୁ ଭାଜପା ଏମ୍‌ପି’

ନୂଆଦିଲ୍ଲୀ,୪ା୨:ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏମ୍‌ପି ମହୁଆ ମୋଇତ୍ର ଗୁରୁବାର ପାର୍ଲାମେଣ୍ଟର ଭାଜପା ସଦସ୍ୟମାନଙ୍କୁ ଗୋମୂତ୍ର ପିଇବାକୁ ପରାମର୍ଶ ଦେଇଛନ୍ତି। ପଶ୍ଚିମବଙ୍ଗର କ୍ରିଷ୍ଣାନଗର ଆସନରୁ ଲୋକ ସଭାରେ ପ୍ରତିନିଧିତ୍ୱ କରୁଥିବା ମହୁଆ ଟୁଇଟ୍‌ କରିଥିଲେ, ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବକୁ ନେଇ ସନ୍ଧ୍ୟାରେ ଗୃହରେ ବକ୍ତବ୍ୟ ରଖିବାର ଅଛି। ଏହା ପୂର୍ବରୁ ଭାଜପାକୁ ପରାମର୍ଶ ଯେ, ଦଳ ହ୍ୟାକେଲର୍‌ (ବାରମ୍ବାର କଥା କାଟୁଥିବା) ଟିମ୍‌କୁ ପ୍ରସ୍ତୁତ ରଖୁ। ସେମାନେ ଗୋମୂତ୍ର ଡୋଜ୍‌ ପିଇ ଆସନ୍ତୁ ବୋଲି ମହୁଆ ମାଇକ୍ରୋବ୍ଲଗିଂ ସାଇଟ୍‌ରେ ଲେଖିଥିଲେ। ପ୍ରକାଶ ଯେ, ଗାଈକୁ ଭାଜପା ମାତା କହୁଥିବାବେଳେ ଗୋବଂଶର ସୁରକ୍ଷା ଏହାର ପ୍ରାଥମିକ ଏଜେଣ୍ଡାରେ ରହିଥାଏ। ତେଣୁ ନିଜ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରୁଥିବା ଟିଏମ୍‌ସି ସଦସ୍ୟା ବକ୍ତବ୍ୟ ଦେବାବେଳେ ଭାଜପା ଏମ୍‌ପିମାନେ ତାଙ୍କୁ ଯେପରି ହ୍ୟାକେଲିଂ ନ କରିବେ ସେଥିଲାଗି ସେ ଟୁଇଟ୍‌ କରି ସତର୍କ କରାଇଦେଇଥିଲେ।
ପରେ ଲୋକ ସଭାରେ ବକ୍ତବ୍ୟ ରଖି ମହୁଆ କହିଥିଲେ, ମୋଦି ସରକାର ଦେଶର ଇତିହାସ ବଦଳାଇବାକୁ ଚାହାନ୍ତି। ସେମାନେ ଭବିଷ୍ୟତକୁ ଭୟ ଏବଂ ବର୍ତ୍ତମାନକୁ ଅବିଶ୍ୱାସ କରୁଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜ ଅଭିଭାଷଣରେ ଭାରତର ଅଧିକାରକୁ ସୁରକ୍ଷିତ ରଖିଥିବା ସ୍ବାଧୀନତା ସଂଗ୍ରାମୀମାନଙ୍କ ସମ୍ପର୍କରେ କହିଥିଲେ। କିନ୍ତୁ ଏହା କେବଳ ଏକ ଜୁମ୍‌ଲା। ୮୦ ବନାମ ୨୦ ସରକାରଙ୍କ ଲଢ଼େଇ ଆମ ଗଣତନ୍ତ୍ରକୁ ଧ୍ୱସ୍ତବିଧ୍ୱସ୍ତ କରିବାକୁ ବସିଲାଣି।

Share