ସ୍ବପ୍ନ ନିଜସ୍ବ ଗୁଣ, ବାହ୍ୟ ଘଟଣାବଳୀର ପ୍ରତିଫଳନ

ନୂଆଦିଲ୍ଲୀ,୨୯ା୪: ସ୍ବପ୍ନ କେବଳ ଅନିୟମିତ କିମ୍ବା ବିଶୃଙ୍ଖଳିତ ହୋଇ ନ ପାରେ, ବରଂ ଏହା ଜଣଙ୍କ ବ୍ୟକ୍ତିଗତ ଗୁଣ ଯେପରି କି ଜଣେ ବ୍ୟକ୍ତିର ଅନ୍ୟମନସ୍କ ହେବାର ପ୍ରବୃତ୍ତି, ସ୍ବପ୍ନ ପ୍ରତି ଆଗ୍ରହ, ନିଦ୍ରାର ଗୁଣବତ୍ତା ଏବଂ କୋଭିଡ୍‌-୧୯ ମହାମାରୀ ଭଳି ବାହ୍ୟ ସାମାଜିକ ଘଟଣାବଳୀ ମଧ୍ୟରେ ଥିବା ଏକ ଜଟିଳ ସମ୍ପର୍କକୁ ପ୍ରତିଫଳିତ କରିପାରେ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ଇଟାଲୀର ଆଇଏମ୍‌ଟି ସ୍କୁଲ ଫର୍‌ ଆଡ୍‌ଭାନ୍ସଡ ଷ୍ଟଡିଜ ଲୁକାର ଗବେଷକମାନେ ୧୮ରୁ ୭୦ ବର୍ଷ ବୟସର ୨୮୭ ଜଣ ଅଂଶଗ୍ରହଣକାରୀଙ୍କଠାରୁ ସଂଗୃହୀତ ୩,୭୦୦ରୁ ଅଧିକ ସ୍ବପ୍ନ ଏବଂ ଜାଗ୍ରତ ଅବସ୍ଥାର ଅନୁଭୂତିକୁ ବିଶ୍ଳେଷଣ କରିବା ପରେ ଏପରି ତଥ୍ୟ ଦେଇଛନ୍ତି।
ଦୁଇ ସପ୍ତାହ ଧରି ଅଂଶଗ୍ରହଣକାରୀମାନେ ନିଜର ଦୈନନ୍ଦିନ ଅନୁଭୂତିଗୁଡ଼ିକୁ ଲିପିବଦ୍ଧ କରିଥିଲେ, ଅନ୍ୟପଟେ ଗବେଷକମାନେ ସେମାନଙ୍କ ଶୋଇବା ଶୈଳୀ, ବୌଦ୍ଧିକ କ୍ଷମତା, ବ୍ୟକ୍ତିତ୍ୱ ଏବଂ ମନସ୍ତାତ୍ତ୍ୱିକ ଗୁଣ ବିଷୟରେ ତଥ୍ୟ ସଂଗ୍ରହ କରିଥିଲେ। ଅଂଶଗ୍ରହଣକାରୀମାନେ ସେମାନଙ୍କ ଦୈନନ୍ଦିନ ଜୀବନ ଏବଂ ସ୍ବପ୍ନର ବର୍ଣ୍ଣନା କରିବା ପାଇଁ ବ୍ୟବହାର କରିଥିବା ଶବ୍ଦଗୁଡ଼ିକୁ ଗବେଷକମାନେ ବିଶ୍ଳେଷଣ କରିଥିଲେ।
ଗବେଷକଙ୍କ କହିବା ଅନୁଯାୟୀ, ସ୍ବପ୍ନଗୁଡ଼ିକ କେବଳ ଜାଗ୍ରତ ଅବସ୍ଥାର ଅନୁଭୂତିକୁ ଦୋହରାଇ ନ ଥାଏ, ବରଂ ସେଗୁଡ଼ିକର ଏକ ନୂତନ ବ୍ୟାଖ୍ୟା ଉପସ୍ଥାପନ କରିଥାଏ ବୋଲି ଗବେଷକ ପ୍ରକାଶ କରିଛନ୍ତି।
ସ୍ପପ୍ନ କେବଳ ବାସ୍ତବତାକୁ ପ୍ରତିଫଳିତ କରେ ନାହିଁ, ବରଂ ଏହାକୁ ସକ୍ରିୟ ଭାବରେ ଏକ ନୂତନ ରୂପ ଦିଏ, ଅତୀତର ଅନୁଭୂତିର କିଛି ଅଂଶକୁ କାଳ୍ପନିକ କିମ୍ବା ଆଗାମୀ ସମ୍ଭାବନା ସହିତ ଯୋଡ଼ି ନୂଆ ଏବଂ ବେଳେବେଳେ ଅଦ୍ଭୁତ ଦୃଶ୍ୟ ସୃଷ୍ଟି କରେ ବୋଲି ଗବେଷକମାନେ କହିଛନ୍ତି। ‘କମ୍ୟୁନିକେଶନ୍ସ ସାଇକୋଲୋଜି’ ପତ୍ରିକାରେ ଏହି ଅଧ୍ୟୟନ ସମ୍ପର୍କରେ ଉଲ୍ଲେଖ କରାଯାଇ କୁହାଯାଇଛି ଯେ, ଜାଗ୍ରତ ଅବସ୍ଥାର ରିପୋର୍ଟ ତୁଳନାରେ, ସ୍ବପ୍ନଗୁଡ଼ିକ ଆତ୍ମ-କୈନ୍ଦ୍ରିକ ଏବଂ ଚିନ୍ତା-ଆଧାରିତ କାହାଣୀରୁ ପରିବର୍ତ୍ତିତ ହୋଇ ଦୃଶ୍ୟଗତ ବିବରଣୀ, ଏକାଧିକ ଚରିତ୍ର ଏବଂ ଅଦ୍ଭୁତ ଘଟଣାବଳୀରେ ପରିପୂର୍ଣ୍ଣ ଅନୁଭୂତିରେ ପରିଣତ ହୋଇଥାଏ। ଏପରି କି ସ୍ବପ୍ନ ପ୍ରତି ମନୋଭାବ, ଅନ୍ୟମନସ୍କ ହେବାର ପ୍ରବୃତ୍ତି ଏବଂ ବ୍ୟକ୍ତିଗତ ନିଦ୍ରାର ଗୁଣବତ୍ତା ପରି ସ୍ଥିର ଗୁଣଗୁଡ଼ିକ ସ୍ବପ୍ନର ବିଷୟବସ୍ତୁକୁ ମଧ୍ୟ ବିଶେଷ ଭାବରେ ପ୍ରଭାବିତ କରିଥାଏ। ଆଇଏମ୍‌ଟି ସ୍କୁଲ ଫର୍‌ ଆଡଭାନ୍ସଡ ଷ୍ଟଡିଜ ଲୁକାର ମୁଖ୍ୟ ଗବେଷକ ଭାଲେଣ୍ଟିନା ଏଲ୍‌ସେ କହିଛନ୍ତି, ଆମର ଅନୁସନ୍ଧାନ ଦର୍ଶାଉଛି ଯେ, ସ୍ବପ୍ନ କେବଳ ଅତୀତର ଅଭିଜ୍ଞତାର ପ୍ରତିଫଳନ ନୁହେଁ, ବରଂ ଏହା ଆମର ବ୍ୟକ୍ତିତ୍ୱ ଏବଂ ଆମେ ଅତିବାହିତ କରୁଥିବା ଜୀବନ ଦ୍ୱାରା ଗଠିତ ଏକ ଗତିଶୀଳ ପ୍ରକ୍ରିୟା। ସେ ଆହୁରି ମଧ୍ୟ କହିଛନ୍ତି, ବୃହତ୍‌ ସ୍ତରର ତଥ୍ୟକୁ କମ୍ପ୍ୟୁଟେଶନାଲ ପଦ୍ଧତି ସହ ସଂଯୋଗ କରି ଆମେ ସ୍ବପ୍ନର ବିଷୟବସ୍ତୁ ମଧ୍ୟରେ ଏପରି କିଛି ଶୈଳୀ ଖୋଜି ପାଇବାକୁ ସକ୍ଷମ ହେଲୁ, ଯାହା ପୂର୍ବରୁ ଚିହ୍ନଟ କରିବା କଷ୍ଟକର ଥିଲା। ଗବେଷଣାରୁ ଜଣାପଡ଼ିଛି ଯେ, ସ୍ବପ୍ନରେ ହେଉଥିବା ଏହି ପରିବର୍ତ୍ତନଗୁଡ଼ିକ ବ୍ୟକ୍ତି ବିଶେଷଙ୍କ କ୍ଷେତ୍ରରେ ଭିନ୍ନ ଭିନ୍ନ ହୋଇଥାଏ। ଉଦାହରଣ ସ୍ବରୂପ, ଯେଉଁମାନେ ଅଧିକ ଅନ୍ୟମନସ୍କ ହୁଅନ୍ତି, ସେମାନଙ୍କ ସ୍ବପ୍ନରେ ଅସଂଲଗ୍ନ ଏବଂ ଦ୍ରୁତ ପରିବର୍ତ୍ତନଶୀଳ ବିଷୟବସ୍ତୁ ଦେଖିବାକୁ ମିଳିଥାଏ। ଏହାସତ୍ତ୍ୱେ ଯେଉଁମାନେ ସାଧାରଣତଃ ସ୍ବପ୍ନର ମୂଲ୍ୟ, ଅର୍ଥ ଏବଂ ଗୁରୁତ୍ୱ ଉପରେ ଦୃଢ଼ ବିଶ୍ୱାସ ରଖନ୍ତି, ସେମାନେ ଅଧିକ ଜୀବନ୍ତ ଏବଂ ପ୍ରଭାବଶାଳୀ ସ୍ବପ୍ନ ଅନୁଭବ କରନ୍ତି ବୋଲି ଗବେଷକମାନେ କହିଛନ୍ତି।
୨୦୨୦ ମସିହାର ପ୍ରଥମ କୋଭିଡ୍‌-୧୯ ଲକ୍‌ ଡାଉନ୍‌ ସମୟରେ ୮୦ ଜଣ ଅଂଶଗ୍ରହଣକାରୀଙ୍କଠାରୁ ସଂଗୃହୀତ ଏକ ସ୍ବତନ୍ତ୍ର ତଥ୍ୟାବଳୀ ଗବେଷକମାନଙ୍କୁ ସ୍ବପ୍ନ ଉପରେ ବାହ୍ୟ ଚାପର ପ୍ରଭାବ ପରୀକ୍ଷା କରିବାରେ ସାହାଯ୍ୟ କରିଥିଲା। ଲକ୍‌ଡାଉନ ସମୟରେ ସ୍ବପ୍ନଗୁଡ଼ିକରେ କଟକଣା ବିଷୟରେ ଅଧିକ ସୂଚନା ଏବଂ ତୀବ୍ର ଭାବପ୍ରବଣତା ଦେଖିବାକୁ ମିଳିଥିଲା, ଯାହା ସେହି ସମୟର ସାମାଜିକ ପରିସ୍ଥିତିକୁ ପ୍ରତିଫଳିତ କରିଥିଲା। ତେବେ ସେହି ପ୍ରଭାବଗୁଡ଼ିକ ସମୟ ସହିତ ଧୀରେ ଧୀରେ ହ୍ରାସ ପାଉଥିବା ଦେଖାଯାଇଥିଲା। ଏଥିରୁ ଜଣାପଡ଼ିଛି ଯେ, ଜୀବନର ପ୍ରମୁଖ ଘଟଣାଗୁଡ଼ିକ ସହିତ ମାନସିକ ଅଭ୍ୟସ୍ତତା ବଢ଼ିବା ସହ ସ୍ବପ୍ନର ବିଷୟବସ୍ତୁ ମଧ୍ୟ ପରିବର୍ତ୍ତିତ ହୋଇଥାଏ।

Odisha’s No.1 Odia Daily

Share
Tags: National