Categories: ଫୁରସତ

‘ଲଭ୍‌ ଇନ୍‌ ଲଣ୍ଡନ୍‌’ରେ ସ୍ବପ୍ନା

ଢେଙ୍କାନାଳ ଅଫିସ: ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ମଡେଲିଂ କରି ଚର୍ଚ୍ଚିତ ଚେହେରା ପାଲଟିଥିବା ଢେଙ୍କାନାଳର ଝିଅ ସ୍ବପ୍ନା ପ୍ରିୟଦର୍ଶିନୀଙ୍କୁ ପୁଣିଥରେ ରୁପେଲି ପରଦାରେ ଦେଖିବାକୁ ମିଳିବ। ଅପ୍‌କମିଂ ଓଡ଼ିଆ ସିନେମା ‘ଲଭ୍‌ ଇନ୍‌ ଲଣ୍ଡନ’ରେ ସେ ଅଭିନେତା ଅନୁଭବ ମହାନ୍ତିଙ୍କ ସହ ସ୍କ୍ରିନ୍‌ ଶେୟାର କରିଛନ୍ତି। ଲଣ୍ଡନରେ ଏହି ସିନେମାର ଶୁଟିଂ ଚାଲିଛି। ଏହା ନଭେମ୍ବର ୩୦ରେ ଶେଷ ହେବ ବୋଲି ଜଣାପଡ଼ିଛି। ଆସନ୍ତା ଜାନୁୟାରୀରେ ଏହି ଚଳଚ୍ଚିତ୍ର ରିଲିଜ ହେବା ସମ୍ଭାବନା ରହିଛି। ଏହି ଫିଲ୍ମର ଏକ ଭିଡିଓ କ୍ଲିପ୍‌ ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ପରେ ପୁନର୍ବାର ଚର୍ଚ୍ଚାକୁ ଆସିଛନ୍ତି ସ୍ବପ୍ନା।
ବିଗ୍‌ ବଜେଟର ଓଡ଼ିଆ ଫିଲ୍ମ ‘ଲଭ୍‌ ଇନ୍‌ ଲଣ୍ଡନ’ ସ୍ବପ୍ନାଙ୍କ ଅଭିନୀତ ଦ୍ୱିତୀୟ ସିନେମା। ଏଥିପୂର୍ବରୁ ସେ ‘ଟୁ ଚକୋଲେଟ୍‌’ରେ ଲିଡ୍‌ ରୋଲ୍‌ରେ ଅଭିନୟ କରି ଓଲିଉଡ୍‌ରେ ପାଦ ଥାପିଥିଲେ। ଏହାକୁ ବାଦ୍‌ଦେଲେ ମଡେଲିଂ ମଧ୍ୟ ତାଙ୍କର ନିଶା। ୨୦୨୧ରେ ଏମ୍‌ଟିଭିରେ ପ୍ରସାରିତ ସୁପର ମଡେଲ ପ୍ରତିଯୋଗିତାରେ ସେ ଥାର୍ଡ ରନର୍ସ ଅପ୍‌ ହୋଇଥିଲେ। ସେହିପରି ମ୍ୟାନ୍‌ମାରଠାରେ ଅନୁଷ୍ଠିତ ‘ମିସ୍‌ ଟୁରିଜମ୍‌ ୟୁନିଭର୍ସ’ ପ୍ରତିଯୋଗିତାରେ ମଧ୍ୟ ତୃତୀୟ ସ୍ଥାନ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସୂଚନାଯୋଗ୍ୟ, ଢେଙ୍କାନାଳ କୁଞ୍ଜକାନ୍ତ ଅଞ୍ଚଳରେ ସ୍ବପ୍ନାଙ୍କ ପୈତୃକ ଘର। ତାଙ୍କ ବାପା ବିଶ୍ୱଜିତ୍‌ ରାଉତରାୟ ମୁମ୍ବାଇ ଗୋରେଗାଓଁସ୍ଥିତ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ସହାୟକ ମହାପ୍ରବନ୍ଧକ ଭାବେ କାର୍ଯ୍ୟରତ। ମା’ ମଧୁମିତା ରାଉତରାୟଙ୍କ ପ୍ରେରଣାରେ ସେ ଗୋଟିଏ ପରେ ଗୋଟିଏ ସଫଳତାର ଶିଡ଼ି ଚଢ଼ି ଚାଲିଛନ୍ତି।

Share