ଡ୍ରିମ୍‌ କ୍ୟାଚର

ଶୋଇବା ସମୟରେ ସ୍ବପ୍ନ ଆସିବା ଏକ ସ୍ବାଭାବିକ ପ୍ରକ୍ରିୟା। ହେଲେ ଖରାପ ଓ ଭୟାନକ ସ୍ବପ୍ନ ଆସିଲେ ତା’ର ପ୍ରଭାବ ପୁରା ଦିନଚର୍ଯ୍ୟା ଉପରେ ପଡିଥାଏ। ଏମିତିକି ବେଳେବେଳେ ଏହାର ଭୟ ମନରେ ଘର କରିଯାଏ। ତେବେ ଏହାର ସମାଧାନ ଭାବେ ବାସ୍ତୁଶାସ୍ତ୍ରରେ ଡ୍ରିମ୍‌ କ୍ୟାଚର୍‌କୁ ଘରେ ଲଗାଇବାକୁ ପରାମର୍ଶ ଦିଆଯାଏ..

ଶୋଇବା ସମୟରେ ସ୍ବପ୍ନ ଆସିବା ଏକ ସ୍ବାଭାବିକ ପ୍ରକ୍ରିୟା। ଏଇ ସ୍ବପ୍ନ କେବେ ବେଶ୍‌ ସୁଖଦ ହୋଇଥାଏ ତ କେବେ ବେଶ୍‌ ଭୟାନକ। ଆଉ ଭୟାନକ ସ୍ବପ୍ନ ଆସିଲେ ତା’ର ପ୍ରଭାବ ପୁରା ଦିନଚର୍ଯ୍ୟା ଉପରେ ପଡିଥାଏ। କାରଣ କିଛି ସ୍ବପ୍ନକୁ ଆମେ ଆଗାମୀ ଦିନରେ ଘଟିବାକୁ ଥିବା ଘଟଣାର ଆଗୁଆ ସଙ୍କେତ ଭାବେ ଧରିନେଉ ତ ଆଉ କିଛି ସ୍ବପ୍ନକୁ ଶୁଭ ଓ ଅଶୁଭ ଭାବେ ଗଣନା କରୁ। ତେଣୁ କିଛି ଖରାପ ସ୍ବପ୍ନ ଦେଖିଲେ ମନରେ ଭୟ ଘର କରିଯାଏ। ଏହାର ସମାଧାନ ଭାବେ ବାସ୍ତୁଶାସ୍ତ୍ରରେ ଡ୍ରିମ୍‌ କ୍ୟାଚର୍‌କୁ ଘରେ ଲଗାଇ ହେବ ବୋଲି କୁହାଯାଇଛି। ବାସ୍ତୁଶାସ୍ତ୍ର ଅନୁଯାୟୀ ଏହାକୁ ଘରର ସଠିକ ଦିଗରେ ଲଗାଇଲେ ଖରାପ ସ୍ବପ୍ନରୁ ମୁକ୍ତି ମିଳିଥାଏ।
ଡ଼୍ରିମ କ୍ୟାଚର୍‌ କ’ଣ: ଡ୍ରିମ କ୍ୟାଚର୍‌ ଦେଖିବାକୁ ଏକ ସୁନ୍ଦର ଓ୍ବାଲ୍‌ ହ୍ୟାଙ୍ଗି ପରି। ଯାହାର ଉପରଭାଗ ଗୋଲାକାର ହୋଇଥାଏ ଓ ଏହି ଗୋଲାକାର ଭିତରେ ସୁତାର ଓ୍ବେବ ବା ଜାଲ ପରି କରାଯାଇଥାଏ। ବିଶ୍ୱାସ ରହିଛି ଏହି ଓ୍ବେବ ସବୁ ନକରାତ୍ମକ ଉର୍ଜା ଧରିନିଏ ଓ ସକାରାତ୍ମକ ଉର୍ଜା ପ୍ରଦାନ କରିଥାଏ। ଡ୍ରିମ୍‌ କ୍ୟାଚର୍‌ର ତଳଭାଗରେ ରଙ୍ଗବିରଙ୍ଗର ପକ୍ଷୀର ପର ଝୁଲିଥାଏ। ଯାହାକି ଦେଖିବାକୁ ବେଶ୍‌ ସୁନ୍ଦର ଓ ଆକର୍ଷକ ଲାଗେ। ଏହା ଘର ସାରା ସକରାତ୍ମକ ଉର୍ଜା ବିଚ୍ଛୁରିତ କରିଥାଏ। ବାସ୍ତୁଶାସ୍ତ୍ର ଓ ଫେଙ୍ଗସୁଇରେ ଏହାକୁ ଘରେ ଲଗାଇଲେ ଅନେକ ସୁଫଳ ମିଳେ ବୋଲି ବିଶ୍ୱାସ ରହିଛି।
ସୁଫଳ: ଏହାକୁ ଲଗାଇଲେ ଘରେ ସକରାତ୍ମକ ଉର୍ଜା ବାସ କରିଥାଏ। ଫଳରେ ପରିବାର ସଦସ୍ୟଙ୍କ ମଧ୍ୟରେ ସର୍ବଦା ସକରାତ୍ମକ ଭାବ ରହେ। ଏହାବାଦ୍‌ ଏହା ଖରାପ ସ୍ବପ୍ନକୁ ଦୂର କରିଥାଏ ବୋଲି ମଧ୍ୟ ବିଶ୍ୱାସ ରହିଛି। ତେଣୁ ଯଦି ସବୁବେଳେ ଖରାପ ସ୍ବପ୍ନ ଆସୁଛି ଏହାକୁ ଘରେ ଲଗାନ୍ତୁ। ତା’ଛଡା ଏହାବି ବିଶ୍ୱାସ କରାଯାଏ ଏହାକୁ ଲଗାଇଲେ ଘରର ଯେକୌଣସି ବାସ୍ତୁଦୋଷ ଥିଲେ ବି ତାହା ଦୂର ହୁଏ।
କେଉଁଠି ଲଗାଇବେ: ଏହାକୁ ବାରଣ୍ଡା, ଝରକା ଅବା ବାଲକୋନୀରେ ଲଗାଇପାରିବେ। ବାସ୍ତୁଶାସ୍ତ୍ର ଅନୁଯାୟୀ ଡ୍ରିମ କ୍ୟାଚର୍‌କୁ ଏଭଳି ସ୍ଥାନରେ ଲଗାଇବେ ଯେମିତିକି ଏହା ତଳେ କେହି ବସି ପାରିବେନି କି ଏହା ତଳ ଦେଇ କେହି ଯାଇପାରୁ ନ ଥିବେ। ଏହାକୁ ସବୁବେଳେ ଦକ୍ଷିଣ ପଶ୍ଚିମ ଦିଗରେ ଲଗାଇବା ଭଲ। ଚାହିଁଲେ ପୂର୍ବ ଦିଗରେ ବି ଲଗାଇପାରିବେ। ଖାସ୍‌କରି ଏହାକୁ ବେଡ୍‌ ପାଖରେ ଲଗାଇଲେ ଭଲ। ଏହାକୁ ପିଲାଙ୍କ ବେଡରୁମ୍‌ରେ ମଧ୍ୟ ଲଗାଇପାରିବେ। ଏହାକୁ କେବେ ବି ରୋଷେଇ ଘର କିମ୍ବା ବାଥ୍‌ରୁମ୍‌ରେ ଲଗାଇବେ ନାହିଁ। ଏଭଳି କଲେ ନକରାତ୍ମକ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି।