Categories: ଖେଳ

କ୍ରିକେଟ ବାହାରର ଜୀବନ ନେଇ ଡ୍ରାଭିଡ୍‌ଙ୍କଠୁ ଶିକ୍ଷା କରିଛି: ପୂଜାରା

ନୂଆଦିଲ୍ଲୀ,୨୭।୬ (ପି.ଟି.): ପେସାଦାର ଓ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ପୂର୍ବତନ ବ୍ୟାଟ୍ସମ୍ୟାନ ରାହୁଲ ଡ୍ରାଭିଡ୍‌ଙ୍କଠାରୁ ବହୁତ କିଛି ଶିକ୍ଷା କରିଛି ବୋଲି ଭାରତୀୟ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାର କହିଛନ୍ତି। ଏ ନେଇ ଡ୍ରାଭିଡ୍‌ଙ୍କ ବହୁତ ଅବଦାନ ରହିଛି। କ୍ରିକେଟଠାରୁ ଦୂରେଇ ରହିବା ଓ କ୍ରିକେଟ ବାହାରର ଜୀବନର ଗୁରୁତ୍ୱ ସମ୍ପର୍କରେ ସେ ମୋତେ ବହୁତ କିଛି ପରାମର୍ଶ ଦେଇଛନ୍ତି ବୋଲି ପୂଜାରା କହିଛନ୍ତି। ପେସାଦାର ଓ ବ୍ୟକ୍ତିଗତ ଜୀବନକୁ କିପରି ଅଲଗା ରଖି ହେବ, ଏ ନେଇ ଡ୍ରାଭିଡ୍‌ଙ୍କଠାରୁ ଶିକ୍ଷା କରିଥିଲି। କ୍ରିକେଟରୁ ଦୂରେଇ ରହିବାର ମହତ୍ତ୍ୱ ସେ ମୋତେ ବୁଝାଇଥିଲେ। ପରେ ଏହା ଅବଶ୍ୟ ମୋ ପାଇଁ କାମରେ ଆସିଥିଲା। କାଉଣ୍ଟି କ୍ରିକେଟରେ ଖେଳାଳିମାନେ କିଭଳି ପେସାଦାର ଓ ବ୍ୟକ୍ତିଗତ ଜୀବନକୁ ଅଲାଗା କରି ରଖୁଥିବାର ଲକ୍ଷ୍ୟ କରିଥିଲି। ମୁଁ ବହୁତ ଏକାଗ୍ରଚିତ୍ତ ବୋଲି ବହୁ ଲୋକ ଚିନ୍ତା କରନ୍ତି। ଏହା ମଧ୍ୟ ସତ କଥା। ତେବେ ମୁଁ ମଧ୍ୟ କ୍ରିକେଟରୁ ଦୂରେଇ ରହିବାର କଳା ଶିକ୍ଷା କରିଛି। କ୍ରିକେଟ ବାହାରରେ ମଧ୍ୟ ଏକ ଜୀବନ ଅଛି ବୋଲି ପୂଜାରା କହିଛନ୍ତି।
ନିଜ ଉଜ୍ଜ୍ୱଳମୟ କ୍ୟାରିୟରରେ ଡ୍ରାଭିଡ୍‌ ୧୬୪ଟି ଟେଷ୍ଟ ଖେଳି ୧୩,୨୮୮ ରନ ସଂଗ୍ରହ କରିଛନ୍ତି। ସେହିପରି ୩୪୪ ଦିନିକିଆ ଖେଳି ଡ୍ରାଭିଡ ୧୦,୮୮୯ ରନ ସଂଗ୍ରହ କରିଛନ୍ତି। ସେ ୭୯ ଦିନିକିଆରେ ଭାରତର ନେତୃତ୍ୱ ନେଇଛନ୍ତି। ଏଥିରେ ଚେଜ୍‌ କରି ଭାରତ କ୍ରମାଗତ ୧୪ଟି ମ୍ୟାଚ୍‌ରେ ବିଜୟ ହାସଲ କରିଥିଲା। ଡ୍ରାଭିଡ୍‌ ସବୁବେଳେ ମୋ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବେ। ଡ୍ରାଭିଡ୍‌ଙ୍କ ମାନସିକ ଦୃଢତା ଓ ଟେକ୍‌ନିକ ସହିତ ପୂଜାରାଙ୍କୁ ତୁଳନା କରାଯାଉଥିଲେ ମଧ୍ୟ ତାଙ୍କୁ କେବେ ନକଲ କରିବାକୁ ଚେଷ୍ଟା କରିନାହିଁ ବୋଲି ସେ କହିଛନ୍ତି। ଆମ ଦୁହିଁଙ୍କ ମଧ୍ୟ କିଛି ସମାନତା ରହିଛି। କେବଳ ବ୍ୟକ୍ତିଗତ ଭାବେ ଶତକ ହାସଲ କରିଦେଲେ କିଛି ହେବ ନାହିଁ। ଏଥିସହିତ ଦଳକୁ ମଧ୍ୟ ସାଥିରେ ନେଇ ଖେଳିବାକୁ ହେବ। ଦାୟିତ୍ୱ ନେଇ ଦଳକୁ ବଡ଼ ସ୍କୋର ପ୍ରଦାନ କରିବାର କଳା ଡ୍ରାଭିଡ୍‌ଙ୍କଠାରୁ ଶିକ୍ଷା କରିଥିଲି ବୋଲି ପୂଜାରା କହିଛନ୍ତି।

Share