ସ୍କୁଲର କେୟାରଟେକରଙ୍କୁ ଦସ୍ତଖତ ଶିଖାଇଥିଲେ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର, ୨୩।୬(ବ୍ୟୁରୋ): ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଜୀବନ ସଂଘର୍ଷମୟ ଥିଲା। ୫ଦଶନ୍ଧି ତଳେ ରାଜ୍ୟର ଗମନାଗମନ କ୍ଷେତ୍ର ବିଶେଷ ନ ଥିବା ସତ୍ତ୍ୱେ ୧୯୭୪ରେ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାରୁ ଆସି ଭୁବନେଶ୍ବର ୟୁନିଟ-୨ସ୍ଥିତ ରାଜଧାନୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପାଠ ପଢ଼ିଥିଲେ। ସେ ସ୍କୁଲର ହଷ୍ଟେଲରେ ରହୁଥିଲେ। ଦ୍ରୌପଦୀ ଛାତ୍ରୀ ଜୀବନରେ ଖୁବ୍‌ ଶାନ୍ତ ସ୍ବଭାବର ଥିଲେ। ନିଜେ ପାଠ ପଢ଼ିବା ସହ ଅନ୍ୟପିଲାଙ୍କୁ ମଧ୍ୟ ପାଠ ପଢ଼ାଉଥିଲେ। ଏପରି କି ସ୍କୁଲର କେୟାରଟେକରଙ୍କୁ ଦସ୍ତଖତ ବି ଶିଖାଇଥିଲେ। ଏବେ ଦ୍ରୌପଦୀଙ୍କୁ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥତ୍ନୀ କରାଯାଇଥିବାରୁ ସେ ପଢ଼ୁଥିବା ସ୍କୁଲର ପୁରୁଣା ଓ ନୂଆ ଛାତ୍ରୀମାନେ ବେଶ୍‌ ଗର୍ବିିତ ଅନୁଭବ କରୁଛନ୍ତି। ଏହି ଖୁସିକୁ ଜାହିର କରିବା ପାଇଁ ବୁଧବାର ସ୍କୁଲ ପରିସରରେ ଛାତ୍ରୀ ଓ ଶିକ୍ଷକ ଏବଂ କର୍ମଚାରୀ ଏକତ୍ର ହୋଇଥିଲେ। ପରସ୍ପରକୁ ମିଠା ଖୁଆଇ ଦ୍ରୌପଦୀଙ୍କ ପ୍ରାର୍ଥତ୍ତ୍ୱକୁ ନେଇ ଉତ୍ସାହିତ ଦେଖାଯାଇଛନ୍ତି। ଏ ସମ୍ପର୍କରେ ସ୍କୁଲର ସହକାରୀ ଶିକ୍ଷୟିତ୍ରୀ କଲ୍ୟାଣୀ ମିଶ୍ର କହିଛନ୍ତି, ଏହି ଖୁସିର କୌଣସି ତୁଳନା ନାହିଁ। ତାକୁ ଭାଷାରେ ବ୍ୟକ୍ତ କରିହେବ ନାହିଁ। ଦ୍ରୌପଦୀଙ୍କୁ ଅନୁସରଣ କରି ଭବିଷ୍ୟତରେ ଜଣେ ଜଣେ ସୁନାଗରିକ ହେବା ପାଇଁ ପିଲାମାନଙ୍କୁ ଶିକ୍ଷୟିତ୍ରୀମାନେ ପରାମର୍ଶ ଦେଇଥିଲେ। ସୂଚନାଯୋଗ୍ୟ, ଝାଡ଼ଖଣ୍ଡ ରାଜ୍ୟପାଳ ଥିବା ବେଳେ ୨୦୧୯ ନଭେମ୍ବର ୨୬ରେ ସ୍କୁଲର ଡାଇମଣ୍ଡ ଜୁବୁଲିରେ ପୂର୍ବତନ ଛାତ୍ରୀ ଦ୍ରୌପଦୀ ମୁର୍ମୁ ଅତିଥି ହୋଇ ଆସିଥିଲେ। ଏହି ଅବସରରେ ସ୍କୁଲ ପରିସର ପରିଦର୍ଶନ କରିବା ସହିତ ନିଜେ ରହୁଥିବା ହଷ୍ଟେଲ ରୁମ୍‌କୁ ଯାଇ ପୁରୁଣା ସ୍ମୃତି ସାଉଁଟିଥିଲେ।

ଦ୍ରୌପଦୀ ମାଟ୍ରିକ ପାସ୍‌ କରିବା ପରେ ରମାଦେବୀ ମହିଳା ମହାବିଦ୍ୟାଳୟରେ ଆଇଏ ଓ ବିଏ ପଢ଼ିଥିଲେ। ତେଣୁ ନିଜ ଅନୁଷ୍ଠାନର ପୁରୁଣା ଛାତ୍ରୀ ଦେଶର ପ୍ରଥମ ନାଗରିକ ହେବାକୁ ଯାଉଥିବାରୁ ଅଧ୍ୟାପକଙ୍କ ଠାରୁ ଆରମ୍ଭ କରି ଛାତ୍ରୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ବୁଧବାର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଛାତ୍ରୀମାନେ ଏକାଠି ହୋଇ ଖୁସି ବ୍ୟକ୍ତ କରିଥିଲେ। ଭବିଷ୍ୟତରେ ତାଙ୍କ ପରି ଜଣେ ବଡ଼ ଲୋକ ହେବ ପାଇଁ ଛାତ୍ରେୀମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ କହିଥିଲେ, ଆମ ଅନୁଷ୍ଠାନର ସେ ପୁରାତନ ଛାତ୍ରୀ ହେଇଥିବାରୁ ଆମେ ଖୁସି ଏବଂ ଗର୍ବିତ ଅନୁଭବ କରୁଛୁ। ଆମ ପିଲାମାନେ ତାଙ୍କୁ ଅନୁସରଣ କରନ୍ତୁ ବୋଲି କୁଳପତି ପରାମର୍ଶ ଦେଇଛନ୍ତି।