ପରଲୋକରେ ନାଟ୍ୟ ନିର୍ଦ୍ଦେଶକ ପୁଲିନ୍‌ ବିହାରୀ ମାନସିଂହ

ଭୁବନେଶ୍ୱର,୧୫ା୭(ବ୍ୟୁରୋ): ଓଡ଼ିଶା ନାଟ୍ୟସଂଘର ଉପଦେଷ୍ଟା ତଥା ରାଉରକେଲାର ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ଓ ଅଭିନେତା ପୁଲିନ୍‌ ବିହାରୀ ମାନସିଂହଙ୍କ ସୋମବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ତାଙ୍କୁ ୭୨ ବର୍ଷ ହୋଇଥିଲା। କିଛିଦିନ ଧରି ସେ ହୃଦ୍‌ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ଓଡ଼ିଶା ନାଟ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି।
ମାନସିଂହ ଓଡ଼ିଶାର ଜଣେ ବଳିଷ୍ଠ ନାଟ୍ୟ ନିର୍ଦ୍ଦେଶକ ଓ ଦକ୍ଷ ନାଟ୍ୟ ସଂଗଠକ ଭାବେ ପରିଚିତ। ରାଉରକେଲା କଳିଙ୍ଗ କଳା ପରିଷଦ ନାଟ୍ୟସଂସ୍ଥାର ସେ ଅନ୍ୟତମ ପ୍ରତିଷ୍ଠାତା। ଦୀର୍ଘ ୫୦ବର୍ଷ ଧରି ସେ ଓଡ଼ିଆ ମଞ୍ଚ ନାଟକର ଉନ୍ନତି ପାଇଁ ନିରବଚ୍ଛିନ୍ନ କାମ କରିଛନ୍ତି। ଶତାଧିକ ନାଟକର ନିର୍ଦ୍ଦେଶନା ଦେବାସହ କଳିଙ୍ଗ କଳା ପରିଷଦ ମାଧ୍ୟମରେ ପ୍ରତିବର୍ଷ ଶିଶୁ ନାଟକ ମହୋତ୍ସବ ଆୟୋଜନ କରି ଶତାଧିକ କଳାକାର ସୃଷ୍ଟି କରିଛନ୍ତି। ଏହାସହ ଶହଶହ ଛାତ୍ରୀଛାତ୍ରଙ୍କୁ ନାଟ୍ୟମନସ୍କ କରିବା ଦିଗରେ ତାଙ୍କର ଅତୁଳନୀୟ ଅବଦାନ ରହିଛି। ତାଙ୍କ ନେତୃତ୍ୱରେ ରାଉରକେଲାର ୨୪ଟି ନାଟ୍ୟାନୁଷ୍ଠାନର ସଦସ୍ୟମାନେ ଏକାଠି ହୋଇ ‘ଏକତ୍ର ରାଉରକେଲା’ ନାମରେ ଏକ ଅନୁଷ୍ଠାନ ଗଠନ କରିଥିଲେ। ଏହାର ସଭାପତିଭାବେ କାର୍ଯ୍ୟକରି ସେ ରାଉରକେଲାରେ ମଞ୍ଚ ନାଟକର ପ୍ରଚାର ପ୍ରସାରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏଥିସହ ଶିକ୍ଷା, ସାମ୍ବାଦିକତା ଓ ରାଉରକେଲା ଇସ୍ପାତ କାରଖାନାର କର୍ମଚାରୀଭାବେ ସେ ନିଜ କର୍ତ୍ତବ୍ୟର ପରାକାଷ୍ଠା ଦେଖାଇଥିଲେ। ତାଙ୍କ ବିୟୋଗ ଓଡ଼ିଶା ନାଟ୍ୟଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଓଡ଼ିଶା ନାଟ୍ୟସଂଘ ପକ୍ଷରୁ କୁହାଯାଇଛି। ଏଥିସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛି ସଂଘ।